ଖଣ୍ଡିଗିରି ମେଳାରେ ବାସି ଖାଦ୍ୟ, ୧୦କେଜି ବାସି ଖାଦ୍ୟ ନଷ୍ଟ, ୪ ନମୁନା ସଂଗ୍ରହ

ଭୁବନେଶ୍ବର: ଖଣ୍ଡଗିରି ମେଳାରେ ବାସି ଖାଦ୍ୟ ବିକ୍ରି ହେଉଥିବା ନଜରକୁ ଆସିଛି। ଗତ ଦୁଇଦିନ ଖାଦ୍ୟ ସୁରକ୍ଷା ପକ୍ଷରୁ ଚଢ଼ଉ ଜାରି ରହିଥିବା ‌ବେଳେ ଆଜି ୧୦ କେଜିର ବାସି ଖାଦ୍ୟ ନଷ୍ଟ କରାଯାଇଛି। ମେଳାରେ ଶହ ଶହ ଲୋକଙ୍କ ଭିଡ଼ ଜମୁଥିବା ବେଳେ ଦୋକାନୀମାନେ ବାସି ଖାଦ୍ୟ ବିକ୍ରି କରିବା ଚିନ୍ତାର କାରଣ ପାଲଟିଛି। ଅପରପକ୍ଷେ ୪ଟି ଖାଦ୍ୟ ନମୁନାକୁ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବା ସୂଚନା ମିଳିଛି। ଖାଦ୍ୟ ସୁରକ୍ଷାର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ଖଣ୍ଡଗିରି ମେଳାରେ ଲୋକଙ୍କ ଭିଡ଼କୁ ନଜରରେ ରଖି ଖାଦ୍ୟ ପଦାର୍ଥର ଯାଞ୍ଚ ଆରମ୍ଭ ହୋଇଛି। ଆଜି ଖାଦ୍ୟ ସୁରକ୍ଷାର ୪ଜଣିଆ ଟିମ୍ ଦିନ ୧୧ଟା‌ରେ ମେଳାରେ ଥିବା ୨୫/୩୦ଟି ଦୋକାନର ଯାଞ୍ଚ କରିଥିଲେ। ଯେଉଁ ଦୋକାନୀମାନେ ବାସି ଖାଦ୍ୟ ବିକ୍ରି କରୁଥିବା ଜଣାପଡ଼ିଥିଲା, ସଙ୍ଗେସଙ୍ଗେ ଏହାକୁ ନଷ୍ଟ କରି ଦିଆଯାଇଥିଲା। ବିଶେଷକରି ମିଠା, ତେଲ ଓ ସସ୍ ଯାଞ୍ଚ କରାଯାଉଛି। ଏହାସହ ୪ ନମୁନାକୁ ସଂଗ୍ରହ କରି ଖାଦ୍ୟ ସୁରକ୍ଷା ଲାବୋରେଟାରିକୁ ପରୀକ୍ଷା ପାଇଁ ପଠାଇ ଦିଆଯାଇଛି। ମେଳା ଶେଷ ହେବା ପର୍ଯ୍ୟନ୍ତ ଏହି ଯାଞ୍ଚ ଜାରି ରହିବ। ଯେଉଁ ଦୋକାନୀମାନେ ବାସି ଖାଦ୍ୟ ରଖିଥିବା ନଜରକୁ ଆସିଥିଲା ସେମାନଙ୍କୁ ସଚେତନ କରାଯାଇଛି। ସେହିପରି ଲୋୟର ପିଏମ୍‌ଜିର ବିକ୍ଷୋଭସ୍ଥଳରେ ବିକ୍ରି ହେଉଥିବା ଖାଦ୍ୟ ଓ ଷ୍ଟେସନ୍‌ ନିକଟରେ ବିକ୍ରି ହେଉଥିବା ଖାଦ୍ୟ ଉପରେ ନଜର ରଖାଯାଇଛି। ଆବଶ୍ୟକ ପଡ଼ିଲେ ଫୁଡ୍ ସେଫ୍‌ଟି ଅନ୍ ହ୍ବିଲ୍‌ସ ଗାଡ଼ିକୁ ସେଠାକୁ ପଠାଯାଇ ଖାଦ୍ୟର ଯାଞ୍ଚ କରାଯିବ। ଉଲ୍ଲେଖ‌ଯୋଗ୍ୟ, ଗତକାଲି ଖଣ୍ଡଗିରି ମେଳାରେ ଖାଦ୍ୟ ସୁରକ୍ଷା ପକ୍ଷରୁ ଯାଞ୍ଚ ସମୟରେ ୩୦ କେଜି ବାସି ଖାଦ୍ୟ ନଷ୍ଟ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର