ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ କନ୍ୟା ଶିବିର ଆୟୋଜିତ

ଭୁବନେଶ୍ୱର : ବଡ଼ଗଡ଼ ବ୍ରିଟ୍‌ କଲୋନି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଏକ କନ୍ୟା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ଷଷ୍ଠ ଶ୍ରେଣୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୧୭୫ ଜଣ ଛାତ୍ରୀ ଯୋଗ ଦେଇଥିଲେ। ସକାଳ ୭ଟା ସମୟରେ ପତଞ୍ଜଳି ଯୋଗ କେନ୍ଦ୍ରର ମିନତି ସାହୁ ଛାତ୍ରୀମାନଙ୍କୁ ଉପାଦେୟ ଯୋଗ ଓ ପ୍ରାଣାୟମ ଶିକ୍ଷା ଦେଇଥିଲେ। ଅବସରପ୍ରାପ୍ତ ସିଆଇ ନଳିନୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଏହି ଶିବିରରେ ଯୋଗ ଦେଇ ପାରମ୍ପରିକ ଢଙ୍ଗରେ ଉଦ୍‌ଘାଟନ କରିଥିଲେ। ଏହା ପରେ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏହି ଅବସରରେ ପିଲାମାନେ ପାରମ୍ପରିକ ରୀତିରେ ଓଡ଼ିଆ ସଂସ୍କୃତି ଆଧାରିତ ନାନା ପର୍ବପର୍ବାଣୀ ପାଳନ କରିଥିଲେ। ଅପରାହ୍ଣରେ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ମମତା ବାରିକ ଶିବିରରେ ଉପସ୍ଥିତ କିଶୋରୀ ବୟସର ସମସ୍ୟା ଓ ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ। ସନ୍ଧ୍ୟାରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ସମାଜସେବୀ ସଙ୍ଗୀତା ଦାଶ ଯୋଗ ଦେଇ କୃତୀ ଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ। ଏହାପରେ ପିଲାମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଚନ୍ଦନ ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୁଖଲତା ଦାଶ, ମିନତି ଚୌଧୁରୀ ଓ ରାଜଶ୍ରୀ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଜଗନ୍ନାଥ ପଟ୍ଟାନାୟକ ପିଲାମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିବା ବେଳେ ପ୍ରଭାସ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଜଗନ୍ନାଥ ଧଳ, ବିଜୟ କୁମାର ପଣ୍ଡା ଓ ସଭାପତି ରାଧାକୃଷ୍ଣ ସାମଲ ପ୍ରମୁଖ ସହଯୋଗ କରିଥିଲେ।

ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ବାର୍ଷିକ ଉତ୍ସବ

ଭୁବନେଶ୍ୱର : ସତ୍ୟନଗର ସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ୨୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ପ୍ରସାଦ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ହୃଷିକେଶ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ସୁଧାଂଶୁ ଶେଖର ଧଡ଼ା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଉତ୍ସବରେ ସମ୍ମାନିତ ଅତିଥି ଭାବେ ଅଧ୍ୟାପିକା ଡ. ପ୍ରତିଭା ମହାରଥୀ, କର୍ପୋରେଟର୍‌ ଭାନୁପ୍ରିୟା ଦାସ, କଂଗ୍ରେସ କମିଟିର ସମ୍ପାଦକ ଶୁଭେନ୍ଦୁ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୁକାନ୍ତ ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ। ସୁପ୍ରିୟା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ। ଅତିଥିମାନଙ୍କ ଦ୍ୱାରା କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଉତ୍ସବକୁ ଚିନ୍ମୟୀ ନାୟକ, ଜ୍ୟୋତିଶ୍ରୀ ନାୟକ, ସ୍ମିତାରାଣୀ ସ୍ୱାଇଁ ଏବଂ ଅନ୍ୟ ଶିକ୍ଷୟିତ୍ରୀମାନେ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର