ବାହୁବଳୀର ମାଙ୍କଡ଼ ଶିକାର: ନନ୍ଦନକାନନରେ ଲୋମଟାଙ୍କୁରା ଦୃଶ୍ୟ

ବାରଙ୍ଗ: ସିନେ ପରଦାରେ ମାହିସ୍ମତୀ ସାମ୍ରାଜ୍ୟର ମହରାଜା ‘ବାହୁବଳୀ’ର ପରାକ୍ରମ ଦେଖିଥିବା ଲୋକ ଆଜି ନନ୍ଦନକାନନର ବାଘ ଖୁଆଡ଼ରେ ମହାବଳ ବାଘ ‘ବାହୁବଳୀ’ର ଲୋମଟାଙ୍କୁରା ଶିକାର ଦୃଶ୍ୟ ଦେଖିଛନ୍ତି। ଦେଢ଼ବର୍ଷର ବାହୁବଳୀ କିପରି ଗୋଡ଼ାଇ ଗୋଡ଼ାଇ ମାଙ୍କଡ଼ ଶିକାର କରିଥିଲା ଏବଂ ତାକୁ ୧୫ମିନିଟ ଭିତରେ ଖାଇଥିଲା ତା’ର ଲାଇଭ୍‌ ସୋ’ ଆଜି ନନ୍ଦନକାନନକୁ ଆସିଥିବା ଶହ ଶହ ପର୍ଯ୍ୟଟକ ଦେଖି ଶିହିରି ଉଠିଥିଲେ। କୁନି ହନୁମାଙ୍କଡ଼ଟି ଆର୍ତ ଚିତ୍କାର କରୁଥିଲେ ହେଁ ବାହୁବଳୀ ମୁହଁରୁ ତା’କୁ କେହି ଛଡ଼ାଇ ପାରିନଥିଲେ।

ଶୁକ୍ରବାର ଅପରାହ୍ଣ ୩ଟା ହେବ। ନନ୍ଦନକାନନର ବାଘ ଖୁଆଡ଼ ୩୧ (ଖ)ରେ ବାହୁବଳୀ ସାଥୀ କୁନ୍ଦନ ସହ ଖେଳୁଥିଲା। ଏତିକି ବେଳେ କିଛି ହନୁମାଙ୍କଡ଼ ଖୁଆଡ଼ ଭିତରେ ଥିବା ପାଚେରି ଉପରେ କୁଦା ମାରି ଖେଳୁଥିଲେ। କିନ୍ତୁ ଏହା ଉପରେ ତୀକ୍ଷ୍ଣ ନଜର ରଖିଥିଲା ବାହୁବଳୀ। ହଠାତ୍‌ ଗୋଟିଏ ମାଙ୍କଡ଼ ଛୁଆ ପାଚେରିକୁ ଲାଗି ଥିବା ଗଛର ତଳ ପାର୍ଶ୍ୱକୁ ଆସି ଯାଇଥିଲା। ଅନ୍ୟ ମାଙ୍କଡ଼ ଛୁଆ ତାକୁ ଟାଣୁଥିଲେ। ଠିକ୍‌ ଏହି ସମୟରେ ବାହୁବଳୀ ପାଞ୍ଚ କୁଦା ମାରି ମାଙ୍କଡ଼ ଛୁଆକୁ ଅନ୍ୟ ମାଙ୍କଡ଼ଙ୍କଠାରୁ ଝାମ୍ପି ନେଲା। ଚେଁ ଚେଁ କରି ରଡ଼ି ଛାଡ଼ୁଥିବା ମାଙ୍କଡ଼ ଛୁଆଟିକୁ ବାହୁବଳୀ କାମୁଡ଼ି କାମୁଡ଼ି ଆଣୁଥିବାବେଳେ ଅନ୍ୟ ମାଙ୍କଡ଼ ମାନେ ଘେରି ଯାଇଥିଲେ। କିନ୍ତୁ କୁନ୍ଦନ ସେମାନଙ୍କ ବାଟ ପ୍ରତିରୋଧ କରିଥିଲା। ଯାହାର ସୁଯୋଗ ନେଇ ବାହୁବଳୀ ମଞ୍ଚା ଉପରକୁ ଚଢ଼ିଗଲା। ଆଉ ମଞ୍ଚା ଉପରେ ବସି ମାଙ୍କଡ଼ଟିକୁ ଖିନ୍‌ଭିନ୍‌ କରି ଖାଇବା ଆରମ୍ଭ କରିଥିଲା। ଏହି ବିରଳ ଦୃଶ୍ୟକୁ କ୍ୟାମେରା ଓ ମୋବାଇଲ୍‌ରେ ଉତ୍ତୋଳନ କରୁଥାନ୍ତି ପର୍ଯ୍ୟଟକ। କେତେକ ବାହୁବଳୀର ଶିକାରକୁ ପ୍ରଶଂସା କରି ତାଳି ମାରୁଥିବାବେଳେ ଆଉ କେତେକ ନିରୀହ ମାଙ୍କଡ଼ ଛୁଆଟି ପାଇଁ ସମବେଦନା ଜଣାଉଥିଲେ। ବାଘ ଖୁଆଡ଼ ଦାୟିତ୍ୱରେ କର୍ମଚାରୀ ଆସିଲା ବେଳକୁ କୁନି ମାଙ୍କଡ଼ର ଅଧା ମାଂସ ବାହୁବଳୀ ପେଟରେ ପଶି ଯାଇଥିଲା। ତେବେ କର୍ମଚାରୀମାନେ ଆସି ମୃତ ମାଙ୍କଡ଼ର ଖିନ୍‌ଭିନ୍‌ ଶରୀରକୁ ବାଘ ପାଟିରୁ ଛଡ଼ାଇ ନେଇଥିଲେ। କିନ୍ତୁ ପାଟିରୁୁ ଶିକାର ଛଡ଼ାଇ ନେବା ବାହୁବଳୀକୁ ପସନ୍ଦ ନଥିଲା। ଯେଉଁଥିପାଇଁ ସେ କର୍ମଚାରୀଙ୍କ ଆଡ଼କୁ ଚିହିଁକି ଆସିଥିଲା। କିନ୍ତୁ ମାଷ୍ଟର୍‌ ଆଗରେ ବାହୁବଳୀର ରାଗ କାଟୁ କରି ନଥିଲା। କେବଳ ତଳକୁ ମୁହଁ ପୋତି ଗର୍ଜନ କରିଥିଲା ବାହୁବଳୀ।

ସୂଚନାଯୋଗ୍ୟ ଯେ, ନନ୍ଦନନକାନନ ବାଘୁଣୀ ‘ମେଘା’ର ପ୍ରେମରେ ପାଗଳ ହୋଇ ଖୁଆଡ଼ ଡେଇଁ ଅନୁପ୍ରବେଶ କରିଥିବା ଜଙ୍ଗଲୀ ମହାବଳ ବାଘ ‘ନନ୍ଦନ’ର ମିଳନରେ ଏପ୍ରିଲ ୨୦, ୨୦୧୬ରେ ବାହୁବଳୀର ଜନ୍ମ ହୋଇଥିଲା । ତେଣୁ ବାହୁବଳୀ ଠାରେ ନନ୍ଦନର ଶିକାରୀ ଲକ୍ଷଣ ସାଙ୍ଗକୁ ମେଘାର କ୍ରୋଧ ବି ଭରି ରହିଛି।

ସମ୍ବନ୍ଧିତ ଖବର