ବଇଁଚୁଆ ବିଜୁ ସେତୁ ପ୍ରସ୍ତାବରେ ଅଟକିଛି

ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଧୀନ ବଇଁଚୁଆ, ଭିଙ୍ଗାରପୁର, ସୁବାଲୋ, ବୁଢ଼ାଲୋ, ପଟୁପଡ଼ା, ମଣ୍ଡାଗଡ଼, ଚିଙ୍ଗୁଡ଼ିଆ, ଭୁବନପୁର ଏବଂ ଆଖପାଖ ଗ୍ରାମ ପଞ୍ଚାୟତର ୨୦ ହଜାର ଲୋକଙ୍କ ଯାତାୟାତ ସମସ୍ୟାକୁ ଦୃଷ୍ଟିରେ ରଖି କୁଶଭଦ୍ରା ଓ ଧନୁଆ ନଦୀର ସଂଯୋଗସ୍ଥଳ ବଇଁଚୁଆ କାଜ ନିକଟରେ ବିଜୁ ସେତୁ ନିର୍ମାଣ ଯୋଜନାରେ ଏକ ପୋଲ ନିର୍ମାଣ ପାଇଁ ଗତ ଆର୍ଥିକ ବର୍ଷରେ ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହି ପୋଲ ନିର୍ମାଣ ହେଲେ ଭୁବନପୁର ମହାତ୍ମା ସେତୁକୁ ଯୋଗାଯୋଗ ସହଜ ହେବ ବୋଲି ମତପ୍ରକାଶ ପାଇଥିଲା। ଏପରିକି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଧବଳାହାର ଗ୍ରାମ ମୁଖ୍ୟମନ୍ତ୍ରୀ ସଡ଼କଯୋଜନା ଭିତ୍ତିପ୍ରସ୍ତର ସଭାରେ ଯୋଗଦେଇ ଏଠାରେ ବିଜୁ ସେତୁ ନିର୍ମାଣ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ। ବିଭାଗୀୟ ଅଧିକାରୀମାନେ ଉପରୋକ୍ତ ସ୍ଥାନ ଅନୁଧ୍ୟାନ କରି ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରିଥିଲେ। ହେଲେ ଇତିମଧ୍ୟରେ ଦୀର୍ଘଦିନ ବିତି ଯାଇଥିଲେ ମଧ୍ୟ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ପାରିନି। ଫଳରେ ଭୁବନେଶ୍ବର ଓ କଟକ ଯାତାୟାତ ପାଇଁ ଲୋକମାନେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି।

ସୂଚନା ଅନୁଯାୟୀ କାଜ ପାର୍ଶ୍ବରେ ଥିବା କଂକ୍ରିଟ୍‌ ଧାର ପାଦଚଲା ରାସ୍ତାରେ ଅତି ସନ୍ତର୍ପଣରେ ବାଇକ ଓ ସାଇକେଲ ନେଇ ଯାତାୟାତ କରୁଛନ୍ତି। ବିପଜ୍ଜନକ ଭାବେ ଆରୋହୀମାନେ ନଦୀବନ୍ଧ ରାସ୍ତା ଉପରୁ ତଳକୁ ଖସୁଛନ୍ତି। ବିଭିନ୍ନ ସମୟରେ ଅସାବଧାନତା ଯୋଗୁ ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଅଧିକାଂଶ ଲୋକ କୁଶଭଦ୍ରା ନଦୀରେ ପାଣି ଭିତରେ ପଶି ସାଇକେଲ ଓ ପରିବା ବୋଝ ନେଇ ରାସ୍ତାପାର ହେଉଛନ୍ତି। ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଓ ଅଙ୍ଗନବାଡ଼ି ପିଲାମାନେ ମଧ୍ୟ ଅସୁବିଧା ଭୋଗୁଛନ୍ତି। ସବୁଠାରୁ ବଡ଼କଥା ହେଉଛି ନଦୀରେ ବନ୍ୟା ଆସିଲେ ଏହି ରାସ୍ତା ବାହ୍ୟ ଜଗତରୁ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଯିବା ଫଳରେ ପରିସ୍ଥିତି ଅଧିକ ଜଟିଳ ହୋଇପଡ଼େ।

ପୋଲ ନିର୍ମାଣ ସଂପର୍କରେ ଜାଣିବା ପାଇଁ ସ୍ଥାନୀୟ ବାସିନ୍ଦା ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ସରକାରୀ ଅନୁମୋଦନ ମିଳିପାରି ନଥିବା ଜଣାଇଛନ୍ତି। ଏ ବିଷୟରେ ଅଧିକ ଜାଣିବା ପାଇଁ ଦାୟିତ୍ବରେ ଥିବା ସହକାରୀ ଯନ୍ତ୍ରୀ ସହଦେବ ସାହୁଙ୍କୁ ପଚାରିବାରେ ସେ କହିଥିଲେ, ବାଲିଅନ୍ତା ବ୍ଲକ ଅଞ୍ଚଳରେ ଦୁଇଟି ସ୍ଥାନରେ ବିଜୁସେତୁ ଯୋଜନାରେ ଅର୍ଥ ମଂଜୁର ପାଇଁ ମନ୍ତ୍ରୀଙ୍କ ଦପ୍ତରକୁ ଫାଇଲ ପଠାଯାଇଥିଲା। ସେଥିମଧ୍ୟରୁ ଜଗନ୍ନାଥପୁର – ବାଲିଅନ୍ତା ଭାୟା ଅଟଳା ପୁରୀ ମୁଖ୍ୟ କେନାଲ ଉପରେ ଏକମାତ୍ର ବିଜୁ ସେତୁ ନିର୍ମାଣ ନେଇ ପ୍ରସ୍ତାବ ଗୃହୀତ ହୋଇଛି। ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବା ଲାଗି ପ୍ଲାନ୍‌ ଏଷ୍ଟିମେଟ ପ୍ରସ୍ତୁତି ଚାଲିଛି। ହେଲେ ନିର୍ମାଣ ହେବାକୁ ଥିବା ପ୍ରାୟ ୨୦୦ ମିଟର ବିଶିଷ୍ଟ ବଇଁଚୁଆ ବିଜୁ ସେତୁ ପ୍ରସ୍ତାବ ଯୋଜନାରୁ ବାଦ ପଡ଼ିଛି। ପରବର୍ତ୍ତୀ ସମୟରେ ଯଦି ସରକାରୀ ଅନୁମୋଦନ ମିଳି ଅର୍ଥ ମଂଜୁର ହୁଏ ତା’ ହେଲେ କାମ ଆରମ୍ଭ ହେବ। ଚିହ୍ନଟ ସ୍ଥାନରେ ତୁରନ୍ତ ସେତୁ ନିର୍ମାଣ ଦିଗରେ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି। ଏଦିଗରେ ସରକାର ତ୍ବରିତ ପଦକ୍ଷେପ ନ ନିଅନ୍ତି ତେବେ ଅଞ୍ଚଳବାସୀ ଆଗାମୀ ସାଧାରଣ ନିର୍ବାଚନରେ ସମୂହ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ସମ୍ବନ୍ଧିତ ଖବର