ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପାଣି ଯୋଗାଣ ବନ୍ଦ, ରୋଗୀ ହନ୍ତସନ୍ତ

ବାଲିଅନ୍ତା: ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ତିନି ଦିନ ହେଲା ପାଣି ଯୋଗାଣ ବନ୍ଦ ରହିଛି। ପାଣିଟାଙ୍କିକୁ ପାଣି ଉଠାଉଥିବା ମଟର ଓ ଷ୍ଟାର୍ଟର୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପାଣି ସମସ୍ୟା ସୃଷ୍ଟି ହୋଇଛି। ଫଳରେ ଆକ୍ବାଗାର୍ଡକୁ ପାଣି ଆସୁ ନଥିବାରୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ପିଇବା ପାଣି ପାଇଁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିକଳ୍ପ ବ୍ୟବସ୍ଥା ନ ଥିବାରୁ ଡାକ୍ତରଖାନା ପରିସରରେ ଥିବା ନଳକୂପର ଲୌହଯୁକ୍ତ ପାଣି ପିଇବାକୁ ସେମାନେ ବାଧ୍ୟ ହେଉଛନ୍ତି। ପାଇଖାନାକୁ ପାଣି ଯୋଗାଣ ବନ୍ଦ ଥିବାରୁ ଖୋଲାରେ ମଳତ୍ୟାଗ ଓ ପରିସ୍ରା କରୁଛନ୍ତି। ଫଳରେ ଡାକ୍ତରଖାନା ପରିମଳ ଓ ପରିବେଶ ଅପରିଷ୍କାର ହୋଇପଡ଼ିଛି। ଦୁଇ ଦିନ ବିତି ଯାଇଥିଲେ ମଧ୍ୟ ଡାକ୍ତରଖାନାକୁ ପାଣି ଯୋଗାଣ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି।

ଅନ୍ୟପକ୍ଷ‌‌ରେ ସୋମବାର ପୂର୍ବାହ୍ନରେ ସ୍ଥାନୀୟ ଲୋକମାନେ ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀ ଓ ମେଡିକାଲ ସୁପରିନ୍‌‌‌ଣ୍ଟେଣ୍ଡେଣ୍ଟଙ୍କୁ ଭେଟି ଏ ସଂପର୍କରେ ଜଣାଇଥିବା ନେଇ ସୂଚନା ମିଳିଛି। ସଂପୃକ୍ତ ଅଧିକାରୀଦ୍ବୟ ପରସ୍ପର ଉପରୁ ଦୋଷ ଖସାଇ ଡାକ୍ତରଖାନାରେ ପାଣି ଯୋଗାଣ ଭଳି ଏକ ଗୁରୁତ୍ବପୂର୍ଣ୍ଣ ସମସ୍ୟା ପ୍ରତି ଦୃଷ୍ଟି ଦେଉନଥିବା କିଛି କର୍ମଚାରୀ ସେମାନଙ୍କ ନାମ ଗୋପନ ରଖି ଜଣାଇଛନ୍ତି। ଖବର ନେବାରେ ଜଣାପଡ଼ିଛି, ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ବୋରୱେଲରୁ ୫ଟି ସିନ୍ଥେଟିକ୍ସ ଫାଇବର ପାଣି ଟାଙ୍କିକୁ ପାଣି ଯୋଗାଣ ହୋଇଥାଏ। ସେଠାରୁ ରୋଗୀଙ୍କ ଲାଗି ବିଭିନ୍ନ ୱାର୍ଡରେ ଥିବା ୧୦ଟି ବେସିନ୍‌ ଓ ରୋଗୀ ତଥା କର୍ମଚାରୀଙ୍କ ବ୍ୟବହାର ଲାଗି ଉଦ୍ଦିଷ୍ଟ ସବୁ ଆକ୍ବାଗାର୍ଡ ଓ ପାଇଖାନାକୁ ପାଣି ଯୋଗାଣ ହୋଇଥାଏ। ହେଲେ ଗତକାଲି ଅପରାହ୍‌ଣ ୨ଟାରୁ ପାଣି ଯୋଗାଣ ସଂପୂର୍ଣ୍ଣ ବନ୍ଦ ରହିଛି। ଏ ସଂପର୍କରେ ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀ ତନ୍ମୟ ତ୍ରିପାଠୀଙ୍କୁ ପଚାରିବାରେ ସେ ଉପରୋକ୍ତ ସମସ୍ୟାର ତୁରନ୍ତ ସମାଧାନ ପାଇଁ ସୁପରିନ୍‌‌‌ଣ୍ଟେଣ୍ଡେଣ୍ଟଙ୍କୁ ଅବଗତ କରାଇଥିବା କହିଛନ୍ତି। ସେହିପରି ସୁପରିନଣ୍ଟେଣ୍ଡେଣ୍ଟ ରାଜଶ୍ରୀ ଦାଶଙ୍କୁ ଯୋଗାଯୋଗ କରାଯିବାରେ ଖୁବ୍‌ଶୀଘ୍ର ଏହାର ମରାମତି ହେବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର