ଭୁବନେଶ୍ୱର(ହିତେଶ ନାୟକ): ଯେଉଁ ବାଲୁଙ୍କେଶ୍ୱର ପୁଷ୍କରିଣୀ ଦିନେ ନୂଆପଲ୍ଲୀ ବେହେରା ସାହିର ଜୀବନରେଖା ପାଲଟିଥିଲା, ତାହା ଏବେ ସ୍ଥାନୀୟ ବାସିନ୍ଦାଙ୍କ ଦୁଃଖ ପାଲଟିଛି। କାଚକେନ୍ଦୁ ଭଳି ଚକ୍ଚକ୍ କରୁଥିବା ପାଣିରୁ ଏବେ ପଚାଶଢ଼ା ଦୁର୍ଗନ୍ଧ ବାହାରୁଛି। ଯେଉଁ ପାଣିରେ ଶହଶହ ଲୋକଙ୍କ ଘରେ ଭାତ ହାଣ୍ଡି ବସୁଥିଲା, ଯେଉଁ ପାଣି ପିଇ ପଶୁପକ୍ଷୀ ଶୋଷ ମେଣ୍ଟାଉଥିଲେ,,ତାହାକୁ ଆଜି ଛୁଇଁବାକୁ ଲୋକ ଡରୁଛନ୍ତି। ଦିନେ ସ୍ଥାନୀୟ ବାସିନ୍ଦାଙ୍କ ଜୀବନରେଖା ପାଲଟିଥିବା ପୁଷ୍କରିଣୀଟି ଆଜି ଯେମିତି ଅଭିଶପ୍ତ ପାଲଟିଯାଇଛି। କାହିଁ କେଉଁ ପୁରୁଷରୁ ନୂଆପଲ୍ଲୀରେ ୭ଏକର ଅଞ୍ଚଳରେ ପରିବ୍ୟାପ୍ତ ଥିଲା ବାଲୁଙ୍କେଶ୍ୱର ପୁଷ୍କରିଣୀ। କିନ୍ତୁ ଜମି ମାଫିଆ ଓ କଂକ୍ରିଟ୍ ଜଙ୍ଗଲ ଆଢୁଆଳରେ ଏହା ୪ଏକରରେ ଆସି ପହଞ୍ଚିଲାଣି। ଜଳାଶୟ ପୁନରୁଦ୍ଧାର ପାଇଁ ନଗର ଉନ୍ନୟନ ବିଭାଗ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି। କିନ୍ତୁ ରାଜଧାନୀ ଛାତିରେ ଥିବା ଏହି ଜଳାଶୟକୁ ପୁନରୁଦ୍ଧାର କରିବା ପାଇଁ ଆଜି ଯାଏଁ ଗୋଟିଏ ବି ଯୋଜନା ହୋଇପାରିଲାନି। ବାଲୁଙ୍କେଶ୍ୱର ପୁଷ୍କରିଣୀ ଯେଉଁ ଲୋକଙ୍କ ବଞ୍ଚିବାର ସାହାରା ସାଜିଥିଲା, ସେହି ଲୋକମାନେ ଆଧୁନିକତାର ସ୍ପର୍ଶ ପାଇବା ପରେ ପୁଷ୍କରିଣୀ ଭିତରକୁ ଡ୍ରେନ୍ ଓ ସ୍ୱେରେଜ୍ ପାଣି ଛାଡ଼ିଲେ, ଅଳିଆ ପକାଇଲେ। ସେହିପରି ଜମି ମାଫିଆଙ୍କ ଲୋଲୁପ ଦୃଷ୍ଟି ଏବଂ ବିଏମ୍ସିର ଅପାରଗତାରୁ ଏହା ପୋତି ହୋଇଗଲାଣି। ଯେତିକି ଅଛି, ତାହା କୌଣସି ପଙ୍କ ଭର୍ତ୍ତି ଖାଲୁଆ ଅଞ୍ଚଳ ଭଳି ଲାଗୁଛି। ପାଣି ଏପରି ବିଷାକ୍ତ ପାଲଟିଛି ଯେ ଏହାକୁ ଛୁଇଁଲେ ଦେହରେ ଘା’ ମାଡ଼ି ଯାଉଛି। ଯଦି କୌଣସି ପଶୁପକ୍ଷୀ ଏହାକୁ ପିଉଛନ୍ତି, ତେବେ ଧୀରେ ଧୀରେ ମୃତ୍ୟୁମୁହଁକୁ ଠେଲି ହୋଇଯାଉଛନ୍ତି। କେବଳ ଏତିକି ନୁହେଁ, ପରିତ୍ୟକ୍ତ ଅବସ୍ଥାରେ ଥିବା ପୁଷ୍କରିଣୀଟି ଏବେ ବିଷାକ୍ତ ସାପଙ୍କର ଚରାଭୂଇଁ ପାଲଟିଛି। ମଶା ବଂଶବୃଦ୍ଧିରେ ସହାୟକ ହେଉଛି। ଯେଉଁ ପୁଷ୍କରିଣୀ ଲୋକଙ୍କ ଜୀବନ ବଞ୍ଚାଉଥିଲା ସେ ଏବେ ଜୀବନ ନେଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ଏହା ଭୁବନେଶ୍ୱରର ପୁରାତନ ଜଳାଶୟ ମଧ୍ୟରେ ଅନ୍ୟତମ। ପୂର୍ବରୁ ଆଖପାଖ ଅଞ୍ଚଳରେ କୂଅ, ପୋଖରୀ ନଥିବାରୁ ଏହା ଉପରେ ନିର୍ଭର କରୁଥିଲେ। ବିଶେଷକରି ଖରାଦିନେ ଜଳାଭାବ ଦେଖାଦେଲେ ଜଳାଶୟ ମଧ୍ୟରେ ଥିବା ଚୁଆ ଉପରେ ନିର୍ଭର କରୁଥିଲେ। ଏମିିତିକି ସେଥିରୁ ଯେଉଁ ପାଣି ଝରୁଥିଲା, ତାହା ଲୋକମାନେ ପିଇବା ପାଇଁ ବ୍ୟବହାର କରୁଥିଲେ। କିନ୍ତୁ ଆଜି ଏଥିରୁ ପାଣି ନୁହେଁ ବିଷ ଝରୁଛି। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଯେ, କିଛି ବର୍ଷ ତଳେ ଜଳାଶୟକୁ ଡମ୍ପିଂୟାର୍ଡ ଭାବେ ବ୍ୟବହାର କରାଗଲା। ଆଖପାଖ ଅଞ୍ଚଳର ଅଳିଆ ଆବର୍ଜନାକୁ ଆଣି ଏଠାରେ ପକାଗଲା। ଏଥିରେ ଅଧା ପୋଖରୀ ପୋତି ହୋଇଗଲା। ଏହାକୁ ବିରୋଧ କରିବାରୁ ଅଳିଆ ସିନା ଆଉ ପଡ଼ିଲାନି କିନ୍ତୁ ଯେତିକି ପଡ଼ିଥିଲା, କଢ଼ା ଗଲାନି। ପୋତି ହୋଇଥିବା ପୋଖରୀ ଉପରେ ଆରମ୍ଭ ହୋଇଗଲା ବେଆଇନ ନିର୍ମାଣ। ପ୍ରଥମେ ମଠ, ମନ୍ଦିର ପାଇଁ ପଥର ପଡ଼ିଲା। ଧାର୍ମିକ ଅନୁଷ୍ଠାନ ହେଉଥିବାରୁ ଲୋକ ନିରବ ରହିଲେ। ଏହାପରେ ସମିତି ଗୃହ ନିର୍ମାଣ କରାଗଲା। ଏପରିକି ଏଠାରେ ଏବେ ବେଆଇନ ନିର୍ମାଣ ବଢ଼ିବାରେ ଲାଗିଲାଣି। ଏହି ପୁଷ୍କରିଣୀଟିକୁ ପୁନରୁଦ୍ଧାର କରିବା ପାଇଁ ସ୍ଥାନୀୟ ଲୋକ କର୍ପୋରେଟରଙ୍କଠାରୁ ଆରମ୍ଭ କରି ବିଏମ୍ସି କର୍ତ୍ତୃପକ୍ଷ ଓ ମେୟରଙ୍କୁ ଭେଟି ଦାବି ଜଣାଇଲେଣି। କିନ୍ତୁ ଯେଉଁଠି ଶାସକ ଦଳ ପ୍ରତିନିଧି ଜଳାଶୟକୁ ପୋତିବାରେ ମାତିଛନ୍ତି, ସେଠାରେ କାହାର ଦାବି ପୂରଣ ହେବାର ସମ୍ଭାବନା ନାହିଁ ବୋଲି ସ୍ଥାନୀୟ ବାସିନ୍ଦା କହୁଛନ୍ତି। ଏନେଇ ସ୍ଥାନୀୟ କର୍ପୋରେଟର ନବ ବେହେରା କହିଛନ୍ତି ଯେ, ଏହା ୭ ଏକର ନୁହେଁ ୪.୨ଏକର ବିଶିଷ୍ଟ ଏକ ହ୍ରଦ। ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି। ସ୍ଥାନୀୟ ଲୋକମାନେ ସେଠାରେ ମନ୍ଦିର କରିଛନ୍ତି।