ରାସ୍ତାରେ ବାଉଁଶ ବାଡ଼

ବାଲିପାଟଣା: ବାଲିପାଟଣା ବ୍ଲକର ‘ନରଦାଠାରୁ ଇନ୍ଦୋଳକୁସିଆରୀ’ ମୁଖ୍ୟମନ୍ତ୍ରୀ ସଡ଼କ ଉପରେ ବାଉଁଶ ବାଡ଼ ପଡ଼ିଛି। ଆଜିକୁ ୩ ଦିନ ହେବ ବାଡ଼ ପଡ଼ିଥିବାରୁ ଏହି ରାସ୍ତାରେ ବଡ଼ ଗାଡ଼ି ଯିବା ଆସିବା ଦୂରେ ଥାଉ ସାଇକେଲଟିଏ ବି ଗଡ଼ିବା ସମ୍ଭବ ହେଉନାହିଁ। ୪ଟି ପଞ୍ଚାୟତକୁ ଏହା ସଂଯୋଗ କରୁଥିବାରୁ ଯାତାୟାତ ବ୍ୟବସ୍ଥା ଏକପ୍ରକାର ଠପ୍‌ ହୋଇଯାଇଛି। ରାଜସ, ପମ୍ପାଲୋ, କୁରୁଞ୍ଜିପୁର ଓ ତୁରନ୍ତିରା ପଞ୍ଚାୟତର ହଜାର ହଜାର ଲୋକ ଏଥିପାଇଁ ଅସୁବିଧାରେ ପଡ଼ୁଛନ୍ତି। ଖବର ପାଇ ବାଲିପାଟଣା ପୁଲିସ୍‌ ଗତକାଲି ସନ୍ଧ୍ୟାରେ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ବାଡ଼ ହଟି ନାହିଁ। ଏକ ପ୍ରମୁଖ ସରକାରୀ ରାସ୍ତା ଉପରେ ଏଭଳି ବେଆଇନ ରାସ୍ତା ଅବରୋଧକୁ ସାଧାରଣରେ ନାପସନ୍ଦ କରାଯାଇଛି। ତେବେ ଯଥାଶୀଘ୍ର ରାସ୍ତା ଉପରୁ ବାଡ଼ ହଟାଇ ଯାତାୟାତ ବ୍ୟବସ୍ଥାରେ ସୁଧାର ଆଣିବାକୁ ଦାବି ହୋଇଛି। ଘଟଣାରୁ ପ୍ରକାଶ ଯେ ଇନ୍ଦୋଳ କୁସିଆରୀ ଗାଁରେ ଏକ ବିଦ୍ୟୁତ୍‌ ସମସ୍ୟା ପାଇଁ ରାସ୍ତାରେ ଏଭଳି ବାଡ଼ ପଡ଼ିଛି। ରାସ୍ତାରେ ଯେଉଁଠି ବାଡ଼ ପଡ଼ିଛି ସେହି ଜାଗାଟି ବ୍ୟକ୍ତିଗତ ଜାଗା। ପୂର୍ବରୁ ସେ ନିଜ ଜାଗାକୁ ସମୂହ କଲ୍ୟାଣରେ ରାସ୍ତା ନିର୍ମାଣ ପାଇଁ ଦାନ କରିଦେଇଛନ୍ତି। କିନ୍ତୁ ଗାଁର ଅନ୍ୟ ଏକ ପରିବାରର ଜାଗା ଉପରେ ଆଗରୁ ଥିବା ଏକ ବିଦ୍ୟୁତ ଖୁଣ୍ଟକୁ ବିଦ୍ୟୁତ ବିଭାଗ ପକ୍ଷରୁ ହଟାଯାଇ ଖୁଣ୍ଟ ବଦଳରେ ସେଠାରେ ଏକ ଗଛରେ ବିଦ୍ୟୁତ ତାର ବାନ୍ଧି ଦେବା ଫଳରେ ଗ୍ରାମର ଟ୍ରାନ୍ସଫର୍‌ମର୍‌ଟି ପୋଡ଼ି ଯାଇଛି। ୪ ଦିନ ହେବ ସମ୍ପୂର୍ଣ୍ଣ ଗାଁ ଅନ୍ଧାରରେ ରହିଛି। ଯଦି ବ୍ୟକ୍ତିଗତ ଜାଗାରେ ବିଦ୍ୟୁତ୍‌ ଖୁଣ୍ଟ ରହି ପାରିଲା ନାହିଁ ତେବେ ବ୍ୟକ୍ତିଗତ ଜାଗା ଉପରେ ରାସ୍ତା କେମିତି ଯିବ ବୋଲି ଗାଁର ବହୁ ଲୋକ ପ୍ରଶ୍ନ କରିଛନ୍ତି। ଏନେଇ ସେମାନେ ପୁଲିସ୍‌, ତହସିଲଦାର ତଥା ଜିଲ୍ଲାପାଳଙ୍କୁ ଜଣାଇଥିଲେ ମଧ୍ୟ ସମସ୍ୟା ସମାଧାନ ହେଉ ନଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର