ବନବାସୀ କଲ୍ୟାଣ ଆଶ୍ରମର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଆଜି ଇଡ୍‌କଲ୍‌ ଅଡିଟୋରିୟମଠାରେ ବନବାସୀ କଲ୍ୟାଣ ଆଶ୍ରମର ପ୍ରତିଷ୍ଠା ଦିବସ ତଥା ବନଯୋଗୀ ବାଲାସାହେବ ଦେଶପାଣ୍ଡେଜୀଙ୍କ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀର୍ଘ ୬୫ବର୍ଷ ଧରି ବନବାସୀ କଲ୍ୟାଣ ଆଶ୍ରମ ଦ୍ୱାରା ବିଭିନ୍ନ ସେବା ତଥା ସଂସ୍କାର ମୂଳକ କାର୍ଯ୍ୟର ପ୍ରଶଂସା କରିବା ସହ ଭାରତ ସରକାରଙ୍କ ଦ୍ୱାରା ଜନଜାତି ସମାଜର ସର୍ବାଙ୍ଗୀନ ଉନ୍ନତିପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ।

ସ୍ୱାଧୀନତା ପରେ ପୂଜ୍ୟ ଠକ୍କର ବାପାଙ୍କ ପ୍ରେରଣାରେ ଛତିଶଗଡ଼ର ଯଶପୁରର ବାନାଞ୍ଚଳରେ ୧୯୫୦ରେ ବାଲାସାହେବ ଦେଶପାଣ୍ଡେ ଓକିଲାତି ଛାଡ଼ି ୧୯୫୨ରେ ବନବାସୀ କଲ୍ୟାଣ ଆଶ୍ରମ କାର୍ଯ୍ୟ ଆରମ୍ଭ କରିଥିଲେ। ସେ ସାରା ଭାରତବର୍ଷର ବନାଞ୍ଚଳ ପରିଭ୍ରମଣ କରି ସେମାନଙ୍କର ଉତ୍ଥାନ ଓ ବିକାଶର ମାର୍ଗଦର୍ଶନ କରିଥିଲେ। ସଭାରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପୂର୍ବାଞ୍ଚଳ ନଗର କାର୍ଯ୍ୟ ପ୍ରମୁଖ ପ୍ରଣୟ ଦତ୍ତ କହିଥିଲେ ଯେ ବନବାସୀ କଲ୍ୟାଣ ଆଶ୍ରମ ଆଜି ଲାକ୍ଷାଦ୍ୱୀପରୁ ଲଦାଖ ପର୍ଯ୍ୟନ୍ତ ସମସ୍ତ ବନାଞ୍ଚଳରେ ଜନଜାତି ସ୍ୱାଭିମାନର ପ୍ରତୀକ ସଂଗଠନ ରୂପେ ପ୍ରତିଭାତ ହୋଇଛି। ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଡ. ପ୍ରଫୁଲ୍ଲ କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭାରତର ଜନଜାତିମାନଙ୍କର ସଂସ୍କୃତି, ପରମ୍ପରା ଓ ଉପାସନା ବୈଦିକ ଏବଂ ସେମାନେ ସନାତନ ବୈଦିକ ତଥା ହିନ୍ଦୁ ସମାଜର ବିଭିନ୍ନ ଅଙ୍ଗ ବୋଲି ବିଭିନ୍ନ ଉଦାହରଣ ଦେଇଥିଲେ।

ଏହି ଅବସରରେ ବନବାସୀ ପିଲାମାନଙ୍କୁ କ୍ରୀଡ଼ାରେ ପ୍ରତିଷ୍ଠିତ କରିବା ପାଇଁ ଉଲ୍ଲେଖନୀୟ ସେବା ପ୍ରଦାନ କରିଥିବା କ୍ରୀଡ଼ାବିତ ଓ ପ୍ରଶିକ୍ଷକ ସୁରେନ୍ଦ୍ର ଜେନାଙ୍କୁ ବନଯୋଗୀ ସ୍ମୃତି ସମ୍ମାନରେ ସମ୍ମାନିତ କରିଥିବା ବେଳେ କ୍ରୀଡ଼ାବିତ ଜିତେନ୍ଦ୍ର ସିଂ ଓ ଶିକ୍ଷୟିତ୍ରୀ ଶୁଭଶ୍ରୀ ରାଉତଙ୍କୁ ସମ୍ମାନିତ କରାଯାଇଥିଲା। ସଭାରେ ଇଂ ଜଗଦୀଶ ପ୍ରସାଦ ମିଶ୍ର ସଭାପତିତ୍ୱ କରିଥିବା ବେଳେ ଚନ୍ଦ୍ରକାନ୍ତ ନାଥଙ୍କ ସଂଯୋଜନାରେ ମହାନଗର ସଭାପତି ଡ. ସଞ୍ଜିତ କୁମାର ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ। ପ୍ରକାଶ ବେତାଲ ବିବରଣୀ ପାଠ କରିଥିବା ବେଳେ ଲକ୍ଷ୍ମୀଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର