ଦୁନିଆକୁ ଏକାତ୍ମ ଭାବରେ ଯୋଡ଼ିଥାଏ ସାହିତ୍ୟ

ବିଶିଷ୍ଟ ଲେଖିକା ବନଜ ଦେବୀ ପାଇଲେ ଶାରଳା ସମ୍ମାନ

ଭୁବନେଶ୍ୱର : ମନକୁ ମନ ସହିତ ଯୋଡ଼ିଥାଏ ସାହିତ୍ୟ। ସୀମା ସରହଦ ଡେଇଁ ସାହିତ୍ୟ ଏକାତ୍ମ ଭାବନାର ଏକ ଅପୂର୍ବ ଫଲ୍‌ଗୁ ପ୍ରବାହିତ କରିଥାଏ। ଉତ୍ତର ଭାରତ ରାଜ୍ୟଗୁଡ଼ିକ ସହିତ ଓଡ଼ିଶାର ସମ୍ପର୍କ ବହୁ ପୁରୁଣା। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ପ୍ରତିଷ୍ଠା କରିଥିବା କଳିଙ୍ଗ ଏୟାର ଲାଇନ୍‌ସ ଓ ଇଣ୍ଡୋ ଚାଇନା ଯୁଦ୍ଧ ସମୟରୁ ଅରୁଣାଚଳ ପ୍ରଦେଶ ସହିତ ଓଡ଼ିଶାର ନିବିଡ଼ତା ରହି ଆସିଛି। ୩୮ ତମ ଶାରଳା ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏ କଥା କହିଛନ୍ତି ବିଶିଷ୍ଟ ଲେଖିକା, ସାମ୍ବାଦିକା ତଥା ସେବାନିବୃତ୍ତ ଆଇଏଏସ୍‌ ଅଧିକାରୀ ପଦ୍ମଶ୍ରୀ ମାମାଂ ଦାଇ।

ଆଜି ସନ୍ଧ୍ୟାରେ ଇଣ୍ଡିଆନ୍‌ ମେଟାଲସ୍‌ ପବ୍ଲିକ୍‌ ଚାରିଟେବଲ୍‌ ଟ୍ରଷ୍ଟ୍‍ ପକ୍ଷରୁ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ବିଶିଷ୍ଟ ଲେଖିକା ବନଜ ଦେବୀଙ୍କୁ  ଶାରଳା ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କାର ସ୍ୱରୂପ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ସହିତ ତାମ୍ର ଫଳକ ପ୍ରଦାନ କରାଯାଇଥିଲା। ସେହିପରି ଯଶସ୍ୱୀ ସଂଗୀତଗୁରୁ ପଣ୍ଡିତ ଡ. ଘାସିରାମ ମିଶ୍ରଙ୍କୁ ଇଲା ପଣ୍ଡା ସଂଗୀତ ସମ୍ମାନ ଓ କାରୁକଳା ଓ ଚାରୁକଳାରେ ସିଦ୍ଧହସ୍ତ ବିନ୍ଧାଣୀ ଡ. ଦୁର୍ଗାପ୍ରସାଦ ଦାସଙ୍କୁ ଇଲା ପଣ୍ଡା ଚିତ୍ରକଳା ସମ୍ମାନ ପ୍ରଦାନ କରାଯାଇଥିଲା। ଉଭୟଙ୍କୁ ପୁରସ୍କାର ସ୍ୱରୂପ ତାମ୍ରଫଳକ, ଉପାୟନ ଓ ୧.୫ ଲକ୍ଷ ଟଙ୍କାର ସମ୍ମାନରାଶି ପ୍ରଦାନ କରାଯାଇଥିଲା।

ପୁରସ୍କାର ପାଇବା ଅବସରରେ ବିଶିଷ୍ଟ ଲେଖିକା ବନଜ ଦେବୀ ଆନନ୍ଦିତ ଥିବା ପ୍ରକାଶ କରିଥିଲେ। ତାଙ୍କର ସଫଳତା ନିମନ୍ତେ ସେ ପାଠକ ଓ ନିଜ ପରିବାରକୁ ଧନ୍ୟବାଦ ଜଣାଇଥିଲେ। ମର୍ଯ୍ୟାଦାଜନକ ଶାରଳା ପୁରସ୍କାରକୁ ସେ ନିଜ ଦିବଙ୍ଗତ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ହରିଚନ୍ଦନଙ୍କୁ ଉତ୍ସର୍ଗ କରିଥିଲେ।

ସେହିପରି ଇଲା ପଣ୍ଡା ସଂଗୀତ ଓ ଚିତ୍ରକଳା ସମ୍ମାନ ପାଇଥିବା ଦୁଇ ବିଶିଷ୍ଟ ସାଧକ ମଧ୍ୟ ଏହି ସମ୍ମାନ ନିମନ୍ତେ ଇମ୍ଫା ଚାରିଟେବୁଲ୍‌ ଟ୍ରଷ୍ଟକୁ କୃତଜ୍ଞତା ଜ୍ଞାପନ କରିଥିଲେ। ଅନୁଷ୍ଠାନର ଟ୍ରଷ୍ଟି ପାରମିତା ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ ଉପଦେଷ୍ଟା ମଣ୍ଡଳୀର ସମ୍ପାଦକ ରାଜ କିଶୋର ମିଶ୍ର ଓ କାର୍ଯ୍ୟକାରୀ ସଭାପତି ଶରତ ଚନ୍ଦ୍ର ପ୍ରଧାନ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଉଲ୍ଲେଖଯୋଗ୍ୟ ଯେ ସାହିତ୍ୟ, ସଙ୍ଗୀତ ତଥା ଚିତ୍ରକଳା କ୍ଷେତ୍ରରେ ସାଧନା କରୁଥିବା ଯଶସ୍ୱୀ ପ୍ରତିଭାମାନଙ୍କୁ ମାନ୍ୟତା ଦେବା ସ୍ୱରୂପ ପ୍ରତିବର୍ଷ ଶାରଳା ପୁରସ୍କାର ପ୍ରଦାନ କରାଯାଇଆସୁଛି। ସାହିତ୍ୟ ସ୍ୱୀକୃତି କ୍ଷେତ୍ରରେ ଶାରଳା ପୁରସ୍କାର ଏକ ସମ୍ମାନଜକ ପୁରସ୍କାର ଭାବରେ ବିବେଚନା କରାଯାଇଥାଏ।

ସମ୍ବନ୍ଧିତ ଖବର