ବନମାଳୀ ମହାରଣାଙ୍କୁ ନାଲକୋ ସଂଗୀତ ସୁଧାକର ସ୍ମାରକୀ ସମ୍ମାନ

ସଂଗୀତ ସୁଧାକରଙ୍କ ୯୬ତମ ଜୟନ୍ତୀ

ଭୁବନେଶ୍ୱର: ଗୀତରେ ଗୀତରେ ସଂଗୀତ ସୁଧାକରଙ୍କୁ ଶ୍ରଦ୍ଧାସୁମନ ଅର୍ପଣ ସହ ପୂଜ୍ୟପୂଜାର ଅନନ୍ୟ ପରମ୍ପରାକୁ ନେଇ ଆଜି ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ହୋଇଛି ‘ସଂଗୀତ ସୁଧାକରଙ୍କ ୯୬ତମ ଜୟନ୍ତୀ’। ସଂଗୀତ ସୁଧାକର ବାଳକୃଷ୍ଣ ଦାଶ ଫାଉଣ୍ଡେସନ୍‌ ପକ୍ଷରୁ ଆୟୋଜିତ ଏହି ବିଶେଷ ସନ୍ଧ୍ୟାରେ ବିଶିଷ୍ଟ ମର୍ଦଳଗୁରୁ ଡ. ବନମାଳୀ ମହାରଣାଙ୍କୁ ‘ନାଲ୍‌କୋ ସଂଗୀତ ସୁଧାକର ବାଳକୃଷ୍ଣ ଦାଶ ସ୍ମାରକୀ ସମ୍ମାନ’ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ମନୋରଂଜନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆୟକର କମିସନର୍‌ ଶରତ ଦାଶ, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟନିର୍ବାହୀ ଡ. ସଂଗୀତା ଗୋସାଇଁ, ଗଜପତି କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷା ପ୍ରୀତିରାୟ ଚାନ୍ଦ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିବା ସହ କୃତୀ ବ୍ୟକ୍ତିତ୍ୱଙ୍କୁ ପୁରସ୍କୃତ କରିଥିଲେ। ଆଶାଲତା ଷଡ଼ଙ୍ଗୀଙ୍କୁ ସଂଗୀତ ସରସ୍ୱତୀ ସମ୍ମାନ, ଗୁରୁ ନିରଂଜନ ପାତ୍ରଙ୍କୁ ବାଦ୍ୟ ସରସ୍ୱତୀ ସମ୍ମାନ ଏବଂ ଡ. ଶିବକୁମାର ରଥଙ୍କୁ ଗୀତି ସରସ୍ୱତୀ ସମ୍ମାନ ପ୍ରଦାନ କରାଯାଇଥିଲା। ୩ ପ୍ରତିଭାଙ୍କୁ ୧୦ ହଜାର ଟଙ୍କାର ଅର୍ଥରାଶି ସହ ସମ୍ବର୍ଧିତ କରାଯାଇଥିଲା। ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଓଡ଼ିଶୀ କଣ୍ଠ ସଂଗୀତ ବିଭାଗରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀ ସଂଗୀତା ପ୍ରିୟଦର୍ଶିନୀଙ୍କୁ ୫ ହଜାର ଟଙ୍କାର ଅର୍ଥରାଶି ସହ ସଂଗୀତ ସୁଧାକର ସ୍ମୃତି ବୃତ୍ତି ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ସାମ୍ବାଦିକା ସସ୍ମିତା ପାଇକରାୟ ଏବଂ ସତ୍ୟନାରାୟଣ ରାଉତରାୟଙ୍କୁ ସମ୍ବର୍ଧିତ କରାଯାଇଥିଲା। ଏହି ଅବସରରେ ‘ସଂଗୀତ ସୁଧାକର ଗୀତିଧାରା’ ସଂଗୀତ ସିଡି ଉନ୍ମୋଚନ ହୋଇଥିଲା।

ପରେ ସଂଗୀତ ଆସରରେ ମୋ ପାଇଁ ଜଳେ ସେ.., ଆସ ଜୀବନ ଧନ ମୋର.., ଆଜି ଆକାଶେ କି ରଙ୍ଗ ଲାଗିଲା.., କଇଁଚି କାକୁଡ଼ି ନଳିତା ପିତା, ଫୁଲ ରସିଆରେ.., ବୋଉଲୋ କି କହିବି ନୂଆ ଭାଉଜଙ୍କ କଥା.., ମରମ ତଳେ ଅତୀତ ଯେ.., ଆରତ ସୁର ବାରେ… ଏ ତ କଳିକାଳ ରୀତି ବିପରୀତ..ଭଳି ଗୀତ ଶୁଣିବାକୁ ମିଳିଥିଲା। ଶ୍ୟାମାମଣୀ ଦେବୀ, ତୃପ୍ତି ଦାସ, ଶେଖର ଘୋଷ, ରାମହରି ଦାସ, କେଶବ ଚନ୍ଦ୍ର ରାଉତ, ବିଜୟ ଜେନା, ଶାନ୍ତିଲତା ବାରିକ, ଲତା ଘୋଷ, ମିତାଲି ଚିନ୍ନାରା, ହରପ୍ରିୟା ସ୍ୱାଇଁ, ମହାପାତ୍ର ମିନତି ଭଂଜ, ଆଦ୍ୟାଶା ଦାସ, ଛନ୍ଦା ମିଶ୍ରଙ୍କ ସମେତ ଯୁବପିଢ଼ିର ଶିଳ୍ପୀମାନେ ସଂଗୀତ ପରିବେଷଣ କରିଥିଲେ। ଫାଉଣ୍ଡେସନ୍‌ର ସଭାପତି ଧୀରେନ୍ଦ୍ର କୁମାର ରାୟ, ସମ୍ପାଦକ ଗୁରୁ ରାମହରି ଦାସ ଏବଂ ଆବାହକ ଅରକ୍ଷିତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଡ. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର