ପେଟ ଚିନ୍ତାରେ ବ୍ୟାଣ୍ଡ୍ ପାର୍ଟି କଳାକାର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ୨୫୦ରୁ ଅଧିକ ବ୍ୟାଣ୍ଡ୍ ପାର୍ଟି ବର୍ତ୍ତମାନ ନିଜ ଜୀବିକାକୁ ନେଇ ଚିନ୍ତାରେ ଅଛନ୍ତି। ବାହାଘର, ମେଳା, ମହୋତ୍ସବ, ପର୍ବ ପର୍ବାଣି, ରାଲି ଆଦିରେ ବାଜା ବଜାଇ ଦି ପଇସା ରୋଜଗାର କରୁଥିବା ଏହି କଳାକାରମାନଙ୍କ ପାଇଁ କରୋନା କଣ୍ଟା ସାଜିଛି। ପୂଜାପାର୍ବଣଠୁ ଆରମ୍ଭ କରି ବିଭିନ୍ନ ଧାର୍ମିକ ସମାବେଶ ଭଳି ସମସ୍ତ କାର୍ଯ୍ୟରେ ସରକାର କଟକଣା ଜାରି କରିଛନ୍ତି। ବାହାଘର ଉପରେ ଯଦିଓ କଟକଣା ନାହିଁ, କିନ୍ତୁ ଲୋକଙ୍କ ସମାବେଶ ଉପରେ ରୋକ୍ ଲଗାଯାଇଛି। ଅତି ବେଶିରେ ୫୦ଜଣ ଲୋକଙ୍କୁ ନେଇ ବିବାହ ସମ୍ପନ୍ନ କରାଯିବାର ନିୟମ ରଖାଯାଇଛି। ଏପରି କଟକଣା ପାଇଁ ଲୋକମାନେ ଆଉ ଏହି ବ୍ୟାଣ୍ଡ୍ ପାର୍ଟିଗୁଡ଼ିକୁ ଡାକୁ ନାହାନ୍ତି। ଯାହାଦ୍ବାରା ସେମାନେ ଦୁଇ ମାସରୁ ଊର୍ଦ୍ଧ୍ବ ସମୟ ହେଲାଣି ବେରୋଜଗାର ହୋଇ ଘରେ ବସିଛନ୍ତି। ଅନୁଷ୍ଠାନଗୁଡ଼ିକ ସେମାନଙ୍କ କଳାକାରମାନଙ୍କୁ ଟଙ୍କା ନ ଦେଇ ପାରିବାରୁ ସେମାନେ ସହର ଛାଡ଼ି ଗାଁକୁ ଚାଲି ଗଲେଣି। ଅନେକଙ୍କର କୁଳବେଉସା ବାଜା ବଜାଇବା ହୋଇଥିବାରୁ ଅନ୍ୟ କୌଣସି କାମ କରିବାକୁ ମଧ୍ୟ ସେମାନେ ଅସମର୍ଥ।

ବାପୁଜୀନଗର ମ୍ୟୁଜିକାଲ୍ ବ୍ୟାଣ୍ଡ୍ ଆସୋସିଏସନ୍‌ର ମାଲିକ ଶ୍ରୀଧର ଜେନା କହିଛନ୍ତି, ବିଭିନ୍ନ ବାଦ୍ୟ ଯନ୍ତ୍ର କିଣିବା ପାଇଁ ଆମେ ଏକ ସ୍ବୟଂ ସହାୟକ ଗୋଷ୍ଠୀ ପାଖରୁ ଦୁଇଲକ୍ଷ ଟଙ୍କା ଆଣିଥିଲୁ। କିନ୍ତୁ ମାର୍ଚ୍ଚ ୧୪ ପରଠାରୁ ଅର୍ଡର୍‌ ନଥିବାରୁ ଆସୋସିଏସନ୍‌ର କଳାକାରଙ୍କୁ ପଇସା ଦେଇ ପାରୁ ନାହିଁ କି ଧାର ଟଙ୍କା ମଧ୍ୟ ଶୁଝି ପାରୁନାହିଁ। ସେ କହିଛନ୍ତି, ନିଜେ ବାଜା ବଜାଇବା ସହିତ ୪୦ ଜଣ ପିଲାଙ୍କୁ ରଖି ଏକ ବ୍ୟାଣ୍ଡ ପାର୍ଟି ଗଢ଼ିଛୁ। ପ୍ରତି ପିଲାଙ୍କୁ ଅର୍ଡର ପିଛା ୫୦୦ରୁ ୮୦୦ ଟଙ୍କା ଦିଆଯାଏ। କିନ୍ତୁ କଟକଣା ପରଠୁ ସବୁ କିଛି ବନ୍ଦ ହୋଇଯାଇ ଥିବାରୁ ପିଲାମାନେ ମଧ୍ୟ ଗାଁକୁ ପଳାଇଛନ୍ତି। ସେହିଭଳି ସର୍ବଶକ୍ତି ବ୍ରାସ୍ ବ୍ୟାଣ୍ଡ୍ ପାର୍ଟିର ମୁଖ୍ୟ ଜି. ବନମାଳି ପାତ୍ର କହିଛନ୍ତି ଯେ ବାଜା ବଜାଇବା ହେଉଛି ତାଙ୍କ କୁଳବେଉସା। ପେଟପାଟଣା ପାଇଁ ବାପା, ଜେଜେ ବାପାଙ୍କ ସହିତ ବିଭିନ୍ନ ମେଳାରେ ବାଜା ବଜାଇ ଲୋକଙ୍କୁ ମନୋରଞ୍ଜନ କରୁଥିଲୁ। ଧୀରେ ଧୀରେ ଏହାକୁ ବଞ୍ଚିବାର ମୁଖ୍ୟ ମାର୍ଗ କରି ଚଳୁଥିଲୁ। କିନ୍ତୁ ଲକ୍‌ଡାଉନ୍‌ ପରେ ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି। ଏବେ ବହୁ କଷ୍ଟରେ କାଳ କାଟୁଛୁ। ଗୁଜୁରାଣ ମେଣ୍ଟାଇବା ପାଇଁ ବର୍ତମାନ ବାଉଁଶରେ କୁଲା, ଡାଲା, ଟୋକେଇ ପ୍ରଭୃତି ତିଆରି କରି ବିକ୍ରି କରୁଛୁ।

ସମ୍ବନ୍ଧିତ ଖବର