ବରିଷ୍ଠ ନାଗରିକଙ୍କ ସହ ଖୁସି ବାଣ୍ଟିଲେ

ନୂଆବର୍ଷ ପୂର୍ବରୁ ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ର ନିଆରା ବନ୍ଧୁମିଳନ

ଚନ୍ଦ୍ରଶେଖରପୁର : ସମସ୍ତେ ବୟସର ସାୟାହ୍ନରେ ଉପନୀତ। ପରସ୍ପର ହିଁ ପରସ୍ପରର ସାଥୀ। ଏକତ୍ର ହେଲେ ଖୁସି ବାଣ୍ଟନ୍ତି, ଦୁଃଖକୁ ଲାଘବ କରିବାକୁ ଚେଷ୍ଟା କରନ୍ତି। ମାତ୍ର ଏମିତି ସୁଯୋଗ କ୍ୱଚିତ୍‌ ମିଳିଥାଏ। ବର୍ଷ ଶେଷରେ କିନ୍ତୁ ଏପରି ଏକ ଆନନ୍ଦ ଉଲ୍ଲାସର ପରିବେଶ ଆଣି ଦେଇଥିଲା ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌। ନୀଳାଦ୍ରିବିହାର, ଶୈଳଶ୍ରୀବିହାର, ଭୀମ୍‌ କଲୋନି, କାନନବିହାର, ପ୍ରଗତି, ପଦ୍ମାବତୀ, ଆର୍ଯ୍ୟବିହାର, ହାଉସିଂବୋର୍ଡ କଲୋନି, ମୈତ୍ରୀବିହାର, ପଟିଆ ଭଳି ବିଭିନ୍ନ ଅଞ୍ଚଳରୁ ଶତାଧିକ ବରିଷ୍ଠ ନାଗରିକ ଏକାଠି ହୋଇଥିଲେ ଚନ୍ଦ୍ରଶେଖରପୁର ଥାନା ପରିସରରେ। ଆରମ୍ଭ ହୋଇଥିଲା ପରସ୍ପର ମଧ୍ୟରେ ଭାବର ଆଦାନପ୍ରଦାନ। କିଏ କବିତା ପାଠ କରିଥିଲେ ତ’ କିଏ ନିଜ ଯୁବାବସ୍ଥାର ଅନୁଭୂତି ବର୍ଣ୍ଣନା କରିଥିଲେ। ଏହିପରି ଭାବରେ ଜୀବନର ନିଃସଙ୍ଗତାକୁ ଭୁଲି ଯାଇଥିଲେ ଏହି ଆନନ୍ଦମୟ ପରିବେଶରେ।

ରାଜ୍ୟ ବରିଷ୍ଠ ନାଗରିକ ସଂଘର ସଭାପତି ମଧୁମାଧବ ଜେନା ଏହି ନିଆରା ବନ୍ଧୁମିଳନ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ପ୍ରାୟ ୧୦ରୁ ଊର୍ଧ୍ୱ ବରିଷ୍ଠ ନାଗରିକ ସଂଗଠନ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମକୁ ବେଶ୍‌ ଉପଭୋଗ କରିଥିଲେ। ଏହି ଅବସରରେ ଅତିରିକ୍ତ ଡିସିପି ସୀତାରାମ ଶତପଥୀ, ଚନ୍ଦ୍ରଶେଖରପୁର ଥାନା ଆଇଆଇସି ଦୀପକ ମିଶ୍ର ଓ ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସବୁ କାର୍ଯ୍ୟ ତଦାରଖ କରିଥିଲେ। ପୁରୁଣା ବର୍ଷକୁ ବିଦାୟ ଦେଇ ନବବର୍ଷକୁ ସ୍ୱାଗତ କରିବା ତଥା ସମାଜର ବରିଷ୍ଠ ନାଗରିକମାନଙ୍କୁ ଖୁସିର ଅନୁଭବ ଆଣିଦେବାକୁ ଏପରି ପ୍ରୟାସ କରାଯାଇଥିବା ଆଇଆଇସି ଦୀପକ ମିଶ୍ର ପ୍ରକାଶ କରିଛନ୍ତି। ପୁଲିସ୍‌ର ଏପରି ପଦକ୍ଷେପ ଲୋକଙ୍କ ମନରେ ପୁଲିସ୍‌ ପ୍ରତି ବିଶ୍ୱାସ ସୃଷ୍ଟି କରିବାରେ ସହାୟକ ହେବା ନେଇ ପ୍ରଗତି ବରିଷ୍ଠ ନାଗରିକ ସଂଘର ସଭାପତି ହୃଷୀକେଶ ପ୍ରତାପ ପ୍ରକାଶ କରିଥିଲେ। ଏହି ଅବସରରେ ବିଭିନ୍ନ ସମସ୍ୟା ଓ ଅଭିଯୋଗ ସମ୍ପର୍କରେ ମଧ୍ୟ ପୁଲିସ୍‌କୁ ଅବଗତ କରାଯାଇଥିଲା। ଶେଷରେ ପୁଲିସ୍‌ ପକ୍ଷରୁ ସମସ୍ତଙ୍କୁ ଭୋଜନରେ ଆପ୍ୟାୟିତ କରାଯାଇଥିଲା।

ସମ୍ବନ୍ଧିତ ଖବର