ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ବନ୍ଧୁମିଳନ

ଚନ୍ଦ୍ରଶେଖରପୁର : ନୂଆବର୍ଷ ଓ ବଡ଼ଦିନର ଅବ୍ୟବହିତ ପୂର୍ବରୁ ଭୁବନେଶ୍ୱର ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ପକ୍ଷରୁ ଏକ ବନ୍ଧୁମିଳନ ଉତ୍ସବ ସ୍ଥାନୀୟ ପ୍ରେସ୍‌ ଛକ ନିକଟସ୍ଥ ଦକ୍ଷିଣକାଳୀ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପ୍ରତାପ ଜେନା, ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜୟ ମହାନ୍ତି, ବିଜେଡି ମୁଖପାତ୍ର ଅସୀମ ଅମିତାଭ ଦାସ, ମିହିର ମହାନ୍ତି, ବାବୁ ସିଂ ପ୍ରମୁଖ ଯୋଗଦେଇଥିଲେ। ଜନସାଧାରଣଙ୍କୁ ବିନା ମୂଲ୍ୟରେ ଆଇନ ପରାମର୍ଶ ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚାୟତ ସ୍ତରରେ ଗଠନ କରିବାକୁ ଯାଉଥିବା ମଧୁବାବୁ ଆଇନ ସହାୟତା କେନ୍ଦ୍ର ଭଳି ଅଭିନବ ପଦକ୍ଷେପ ନିମନ୍ତେ ରାଜ୍ୟ ସରକାରଙ୍କୁ ଏହି ଅବସରରେ ଆଇନଜୀବୀମାନେ ସ୍ୱାଗତ କରିଥିଲେ। ଆଗାମୀ ଦିନରେ ସଂଗଠନକୁ ତୃଣମୂଳ ସ୍ତରରେ ମଜଭୁତ୍‌ କରିବା ସହିତ ଆଇନଜୀବୀ ବନ୍ଧୁମାନଙ୍କ କଲ୍ୟାଣ ନିମନ୍ତେ ଉଦ୍ୟମ କରାଯିବାକୁ ନେଇ ଉପସ୍ଥିତ ଆଇନଜୀବୀମାନେ ମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ସରକାରୀ ଓକିଲ ଜୟନ୍ତ କୁମାର ମିଶ୍ର, ପ୍ରବୀର ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ଅନେକ ପ୍ରତିନିଧି ଓ ସରକାରୀ ଦଳ ନେତା ଯୋଗ ଦେଇଥିଲେ। ନୂଆବର୍ଷ ପୂର୍ବରୁ ସରକାରୀ ଦଳ ସମର୍ଥିତ ଆଇନଜୀବୀଙ୍କ ଏଭଳି ବନ୍ଧୁମିଳନ ଉତ୍ସବ ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର