ଦିଲ୍ଲୀରୁ ଆସିବେ ୩ ବାଂଲାଦେଶୀ ଡକାୟତ, ଫିଟିବ ଓଡ଼ିଶା-ବାଂଲାଦେଶ ଅପରାଧ ଲିଙ୍କ୍‌

କାନନ ବିହାର ଡକାୟତିରେ ସଂପୃକ୍ତି

ଭୁବନେଶ୍ୱର : ଦିଲ୍ଲୀରେ ଧରାପଡ଼ିଥିବା ୩ ବାଂଲାଦେଶୀ ଡକାୟତଙ୍କୁ ରିମାଣ୍ଡରେ ଆଣିବ କମିସନରେଟ୍‌ ପୁଲିସ। କାନନ ବିହାର ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ଘରୁ ହୋଇଥିବା ଡକାୟତିରେ ଏମାନଙ୍କ ସଂପୃକ୍ତି ଥିବା ଜଣାପଡ଼ିବା ପରେ କମିସନରେଟ୍‌ ପୁଲିସ ଏମାନଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣିବା ପାଇଁ ଦିଲ୍ଲୀ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଆବେଦନ କରିଥିଲା। ଆବେଦନ ମଂଜୁର ହୋଇଛି ଓ ୨୫ ତାରିଖରେ ସେମାନେ ଭୁବନେଶ୍ୱର ଆସିବେ ବୋଲି ଜଣାଯାଇଛି। ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ଏସ୍କର୍ଟ ଜରିଆରେ ଭୁବନେଶ୍ବର ପହଞ୍ଚିବା ପରେ ସେମାନଙ୍କୁ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯିବ। ସେଠାରୁ ଚନ୍ଦ୍ରଶେଖରପୁର ପୁଲିସ ରିମାଣ୍ଡରେ ନେବ। ତେବେ ରିମାଣ୍ଡ ବେଳେ ପୁଲିସ କାନନ ବିହାର ଡକାୟତି ସମେତ ଅନ୍ୟ ବହୁ ଅପରାଧ ସଂପର୍କରେ ତଥ୍ୟ ହାସଲ କରିବ ବୋଲି କୁହାଯାଉଛି।

କାନନ ବିହାର ଡକାୟତି ଘଟଣାରେ ୧୨ଜଣ ସଂପୃକ୍ତ ଥିବା ପୁଲିସ ସିସିଟିଭି ଯାଞ୍ଚ ବେଳେ ଜାଣିବାକୁ ପାଇଥିଲା। ତେଣୁ ଅନ୍ୟ ସଦସ୍ୟମାନେ କେଉଁଠି ଆତ୍ମଗୋପନ କରିଛନ୍ତି, ସେ ସଂପର୍କରେ ପୁଲିସ ପଚରାଉଚରା କରିବ ବୋଲି ଜଣାଯାଇଛି। ସେହିପରି ଓଡ଼ିଶାକୁ ଏମାନେ କେଉଁ ବାଟ ଦେଇ ଆସୁଛନ୍ତି, ଏଠାରେ କେଉଁଠାରେ ରହୁଛନ୍ତି ଓ ସେମାନଙ୍କୁ କିଏ କିଏ ସାହାଯ୍ୟ କରୁଛନ୍ତି, ସେ ସଂପର୍କରେ ମଧ୍ୟ ପୁଲିସ ପଚରାଉଚରା କରିବ ବୋଲି ଜଣାଯାଇଛି। ପଚରାଉଚରା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିପାରେ ବୋଲି ପୁଲିସ ଆଶା ବାନ୍ଧି ବସିଛି।

ଏ ସଂପର୍କରେ ଚନ୍ଦ୍ରଶେଖରପୁର ଥାନା ଆଇଆଇସି ବିଶ୍ବରଞ୍ଜନ ନାୟକ କହିଛନ୍ତି, ତିନିଜଣ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆସୁଛନ୍ତି। ଏମାନଙ୍କୁ ପଚରାଉଚରା କରାଗଲେ ବାକି ଅଭିଯୁକ୍ତଙ୍କ ସମ୍ବନ୍ଧରେ ସୂଚନା ମିଳିବା ସମ୍ଭାବନା ରହିଛି। ତା’ଛଡ଼ା ଅନ୍ୟ ଅପରାଧ ଓ ବାଂଲାଦେଶୀ ଅପରାଧୀଙ୍କ ଲିଙ୍କ୍‌ ନେଇ ମଧ୍ୟ ଅଧିକ ତଥ୍ୟ ମିଳିବା ସମ୍ଭାବନା ରହିଛି ବୋଲି କହିଛନ୍ତି। ଗତ ଫେବ୍ରୁଆରି ୨୬ ତାରିଖ ଏବଂ ମେ ୧ ତାରିଖରେ କାନନ ବିହାରର ଫେଜ୍‌ ୧ ଓ ୨ ଦୁଇଟି ସ୍ଥାନରୁ ସେମାନେ ଡକାୟତି କରିଥିଲେ। ଫେଜ୍-୧ରେ ରହୁଥିବା ଜଣେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ଘରୁ ବନ୍ଧୁକ ଓ ଭୁଜାଲି ଦେଖାଇ ଲକ୍ଷାଧିକ ଟଙ୍କାର ସୁନା, ରୁପା ଗହଣା ଓ ଦାମୀ ଜିନିଷପତ୍ର ଲୁଟି ନେଇଥିଲେ।

ଅପରପକ୍ଷେ ପୁଲିସ କହିଛି ଯେ ବସ୍ତିରେ ସଂଘଟିତ ହେଉଥିବା ଅପରାଧ ବା ଅପରାଧ ବାବଦରେ ହେଉଥିବା ଯୋଜନା ସମ୍ପର୍କରେ ବସ୍ତିବାସିନ୍ଦା ପୁଲିସକୁ କୌଣସି ସୂଚନା ଦେଉନଥିବାରୁ ଅପରାଧ ଦମନରେ ସମସ୍ୟା ହେଉଛି। ନିକଟ ଅତୀତରେ ଏକ ନୂତନ ଯୋଜନା ମାଧ୍ୟମରେ ପୁଲିସ ବସ୍ତିବାସିନ୍ଦାଙ୍କ ନିକଟବର୍ତ୍ତୀ ହେବା ପାଇଁ କସରତ କରିଛି। ହେଲେ ସଫଳତା ମିଳିନାହିଁ। ଏହି ଅପରାଧୀମାନେ ଏକ ବଡ଼ ବିପଦ ହୋଇ ଛିଡ଼ା ହୋଇଛନ୍ତି। ଏଠାରେ ସୂଚାଇ ଦିଆଯାଇ ପାରେ, ଗତ ମାସରେ ବିମାନବନ୍ଦରରୁ ଧରାପଡ଼ିଥିବା ବାଂଲାଦେଶୀର ଆଦିଅନ୍ତ ନ ପାଇବାରୁ ପୁଲିସ କ୍ରାଇମ୍‌ବ୍ରାଞ୍ଚକୁ ତଦନ୍ତ ପାଇଁ ଚିଠି ଲେଖିଛି।

ସମ୍ବନ୍ଧିତ ଖବର