ବିନା ମାଷ୍ଟରପ୍ଲାନ୍‌ରେ ବାଣୀବିହାରରେ ନିର୍ମାଣ, ଯିଏ ଯେଉଁଠି ପାରିଲେ ଫଳକ ପୋତିଲେ

କ’ଣ ହେବ ପୁରାତନ ପ୍ରାଶାସନିକ କୋଠା? ଅଧା ଗଢ଼ା‌ରେ ୭ କୋଠା, ୩ କୋଠା ଭାଗ୍ୟ ଫିଟୁନି

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ୩୯୯ ଏକର ଜମି। ସେଥିମଧ୍ୟରୁ ୪୦ ଏକର ଏବେ ବସ୍ତିବାସିନ୍ଦାଙ୍କ କବଜାରେ। ଆଉ ପ୍ରାୟ ୩୬୦ ଏକର ଜମି ରହିଛି। ଦେଢ଼ ଶହ ଏକର ପର୍ଯ୍ୟନ୍ତ ଜମିକୁ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରୁଛନ୍ତି। ଏକାଡେମିକ ବିଲଡିଂ ସହ ପ୍ରାଶାସନିକ କୋଠା, ଖେଳ ପଡ଼ିଆ, ପାର୍କ ଆଦି କରାଯାଇଛି। ବାକି ଜମି ମଧ୍ୟରୁ କେଉଁଠି ଗଛ ଲଗାଯାଇଛି ତ ଆଉ କେଉଁଠି ପୋଖରୀ ଖୋଳା ଯାଇଛି। କ୍ୟାମ୍ପସରେ ଅର୍ଧାଧିକ ଜମି କାର୍ଯ୍ୟରେ ଲାଗୁ ନ ଥିବାରୁ ଯିଏ ବିଶ୍ବବିଦ୍ୟାଳୟ କୁଳପତି ହେଉଛନ୍ତି ସେ ନିଜ ମର୍ଜିରେ ଫଳକ ‌ପୋତି ଚାଲିଛନ୍ତି। କିଏ ମୁଖ୍ୟ ପ୍ରବେଶ ପଥ ନିକଟରେ ଫଳକ ପୋତି ସେଥିରେ ନିଜ ନାଁକୁ ଲିପିବଦ୍ଧ କରୁଛନ୍ତି ତ ଆଉ କିଏ ପୁରୁଣା ପାର୍କର ପୁନରୁଦ୍ଧାର ନ କରି ନୂଆ ନିର୍ମାଣ କରୁଛନ୍ତି। କୌଣସି ମାଷ୍ଟରପ୍ଲାନ୍‌ ନ ଥିବାରୁ ରାଜ୍ୟର ଏହି ପୁରାତନ ଶିକ୍ଷାନୁଷ୍ଠାନର ଏକର ଏକର ଜମି ଅପବ୍ୟବହାର ହେଉଥିବା ଅଭିଯୋଗ ହୋଇଛି।

ସବୁଠାରୁ ବଡ଼ କଥା ହେଲା ନିର୍ମାଣାଧୀନ କୋଠାର ଭାଗ୍ୟ ଫିଟିପାରୁ ନାହିଁ। ଜଣଙ୍କ ସମୟରେ ଯେଉଁ କାମ ହେଉଛି ତାଙ୍କ ପରେ ଆସୁଥିବା କୁଳପତି ସେଥିରେ ହାତ ମାରୁ ନାହାନ୍ତି। ବିଲଡିଂ କାମ କିଭଳି ସରିବ ସେନେଇ ସମୀକ୍ଷା କରୁନାହାନ୍ତି। ବରଂ ନୂଆ ଭିତ୍ତିପ୍ରସ୍ତର ସ୍ଥାପନ କରୁଛନ୍ତି। ଯେମିତି କି ପୂର୍ବତନ କୁଳପତି ପ୍ରଫେସର ଅଶୋକ କୁମାର ଦାସଙ୍କ ସମୟରେ ୫ରୁ ଅଧିକ କୋଠା ନିର୍ମାଣ ହୋଇଥିଲା। ଏବେ ତାହା କାର୍ଯ୍ୟକ୍ଷମ ନ ହୋଇ ପଡ଼ିରହିଛି। କେବଳ ଏହି ଗୋଟିଏ ଘଟଣା ନୁହେଁ। ଗତ ଦୁଇ ଦଶନ୍ଧି ମଧ୍ୟରେ ଏମିତି ନିର୍ମାଣଧୀନ ୭ଟି କୋଠା ଅଧା ଗଢ଼ା ହୋଇ ରହିଛି। ଖାଲି କୋଠା ନୁହେଁ, କେତେକ ପ୍ରକଳ୍ପ ଇତି ମଧ୍ୟ‌ରେ ଅଧାରୁ ବନ୍ଦ ହୋଇଗଲାଣି। ତା’ର ବି ପୁନରୁଦ୍ଧାର ହେଉ ନାହିଁ।

ମିଳିଥିବା ସୂଚନା ଅନୁଯାୟୀ ୭୫ ବର୍ଷ ପୂରଣ କରିଥିବା ଏହି ଶିକ୍ଷାନୁଷ୍ଠାନର ମାଷ୍ଟରପ୍ଲାନ୍‌ ଏପର୍ଯ୍ୟନ୍ତ ହୋଇ ନାହିଁ। ଯେଉଁଥିପାଇଁ ମୁଖ୍ୟ ପ୍ରବେଶ ପଥ ନିକଟରେ ଖେଳ ପଡ଼ିଆ ଓ ଜିମ୍‌ ରହିଥିବା ବେଳେ କ୍ୟାମ୍ପସ ଶେଷରେ ସ୍ପୋର୍ଟସ କାଉନସିଲ୍‌ କାର୍ଯ୍ୟାଳୟ ନିର୍ମାଣ ହୋଇଛି। ଯେଉଁଥିପାଇଁ ବିଭିନ୍ନ ସମୟରେ ସମସ୍ୟା ସୃଷ୍ଟି ହେଉଛି। ସେହିପରି ଆଗରୁ ଏଠାରେ ଦୁଇଟି ପାର୍କ ରହିଥିବା ବେଳେ ‌ଖୋଲା ମଞ୍ଚ କାର୍ଯ୍ୟକ୍ରମ ହେଉଥିବା ସ୍ଥାନରେ ଏବେ ଆଉ ଗୋଟିଏ ପାର୍କ ନିର୍ମାଣ କରାଯାଇଛି। ପ୍ରଫେସର ଓ କର୍ମଚାରୀ କେଉଁ ଅଞ୍ଚଳରେ ରହିବେ ତାହା ଏପର୍ଯ୍ୟନ୍ତ ଚିହ୍ନଟ ହୋଇପାରି ନାହିଁ।

ଏତିକିରେ ସରି ନାହିଁ। ଏବେ ମୁଖ୍ୟ ପ୍ରବେଶ ପଥ ନିକଟରେ ୨୫ କୋଟି ଟଙ୍କା ବିନିଯୋଗରେ ପ୍ରାଶାସନିକ କୋଠା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏବେ ଯେଉଁ ବିଲଡିଂରେ ପ୍ରାଶାସନିକ କୋଠା ଚାଲିଛି ତାହାର ଭାଗ୍ୟ କ’ଣ ହେବ ସେନେଇ କାହା ପାଖରେ ଉତ୍ତର ନାହିଁ। କୁଳପତି ପ୍ରଫେସର ପଟ୍ଟନାୟକ ଏନେଇ ମୁହଁ ଖୋଲୁ ନ ଥିବା ବେଳେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଆଗ ନିର୍ମାଣ ହେଉ। ତା’ ପରେ ପୁରାତନ କୋଠା କ’ଣ ହେବ ସେନେଇ ଆଲୋଚନା କରାଯିବ। ‌ବିଶ୍ବବିଦ୍ୟାଳୟ କ୍ୟାମ୍ପସର ବିଭିନ୍ନ କାର୍ଯ୍ୟାଳୟକୁ ବାଟ ଦେଖାଉଥିବା ଫଳକ ଉପୁଡ଼ିଯାଇଛି। ତାହାକୁ ଆଉ ମରାମତି କରାଯାଉ ନାହିଁ। ପାଚେରି ଭାଙ୍ଗିପଡ଼ିଥିଲେ ମଧ୍ୟ ମରାମତି ହେଉନି। ହେଲେ ବିଲଡିଂ ନିର୍ମାଣ ବେଳକୁ ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ତତ୍ପରତାକୁ ନେଇ ଏବେ ପ୍ରଶ୍ନବାଚ୍ଚୀ ସୃଷ୍ଟି ହୋଇଛି। ବର୍ତମାନର କୁଳପତିଙ୍କ କାର୍ଯ୍ୟକାଳ ୯ ମାସ ଥିବାରୁ ଏହା ପୂର୍ବରୁ ଆଉ କିଛି ଫଳକ ପୋତିବା ଆଶଙ୍କାକୁ ଏଡାଇ ଦିଆଯାଇନ ପାରେ। ଫଳସ୍ବରୂପ ତାଙ୍କ କାର୍ଯ୍ୟ ସରିବା ପରେ ପୁଣି ନିର୍ମାଣଧୀନ କୋଠାର ଭାଗ୍ୟ ଯେ ଝୁଲି ନ ରହିବ ତାହା କିଏ କହିବ। ବିଶ୍ବବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ତଥା ବର୍ତମାନର ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଉପରେ ଛାତ୍ରଛାତ୍ରୀ ଭରସା କରିଛନ୍ତି। ତାଙ୍କ ସମୟରେ ବିଶ୍ବବିଦ୍ୟାଳୟରେ କିଛିଟା ସଂସ୍କାର ଆସିବା ସହ ଭିତ୍ତିଭୂମି ସୁଧୁରିବ ବୋଲି ଛାତ୍ରଛାତ୍ରୀ ଆଶ‌ା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର

Comments are closed.