ମାଡ଼ି ବସିଲେଣି ବାଣୀବିହାର

ଭୁବନେଶ୍ୱର(କେଶବ ପାଣି): ପିଲାଙ୍କ ଶ୍ରେଣୀଗୃହ ପାଇଁ ପର୍ଯ୍ୟାପ୍ତ ଘର ନାହିଁ। ଗୋଟିଏ ଗୋଟିଏ ବିଲ୍‌ଡିଂରେ ଚାଲିଛି ଏକାଧିକ ବିଭାଗ। କେଉଁଠି କାନ୍ଥ ଫାଟି ଆଁ କଲାଣି ତ ଆଉ କେଉଁଠି ବର୍ଷା‌ ଦିନେ ଘର ଭିତରେ ପାଣି ଢ଼େଉ ଖେଳୁଛି। ଶିକ୍ଷକଙ୍କ ରହିବା ପାଇଁ ନିର୍ମାଣ ହୋଇଥିବା କ୍ବାର୍ଟର୍ସ ଅବସ୍ଥା ନ କହିବା ଭଲ। ରାଜଧାନୀ ଛାତି ଉପରେ ଗଢ଼ି ଉଠିଥିବା ୭୫ ବର୍ଷ ତଳର ପୁରାତନ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ବବିଦ୍ୟାଳୟରେ ଏଭଳି ସ୍ଥିତି ଉପୁଜିଛି। ଦୀର୍ଘବର୍ଷ ଧରି ଏଭଳି ସ୍ଥିତି ଲାଗି ରହିଥିଲେ ମଧ୍ୟ ତାହାର ସମାଧାନ କରାଯାଉ ନାହିଁ। ଆଉ ଏହାର ଫାଇଦା ନେଇ ବାଣୀବିହାର ଭିତରକୁ ମାଡ଼ି ଚାଲିଛନ୍ତି ବସ୍ତିବାସିନ୍ଦା। ସ୍ଥିତି ଏମିତି ହେଲାଣି ଯେ କ୍ୟାମ୍ପସରେ ଏବେ ଯେତିକି ଛାତ୍ରଛାତ୍ରୀ ପଢ଼ୁଛନ୍ତି ତା’ଠାରୁ ଅଧିକ ବସ୍ତିବାସିନ୍ଦା ରହୁଛନ୍ତି। କ୍ୟାମ୍ପସ‌୍ର ଚାରିପାଖରେ ରାତା ରାତି ଘର ଛିଡ଼ା ହେଇଯାଉଛି। ବିଜୁଳି ସଂଯୋଗ ବି କରି ଦିଆଯାଉଛି। ପାଣି ପାଇପ ବି ଘରେ ପହଞ୍ଚିଯାଉଛି। ସେପଟେ ପଥରବନ୍ଧ ବସ୍ତି ଧୀରେ ଧୀ‌ରେ ଛାତ୍ରାବାସ ନିକଟରେ ପହଞ୍ଚି ଗଲେଣି। କ୍ୟାମ୍ପସ୍‌ର ଏକ ଓ ଦୁଇ ନମ୍ବର ଛାତ୍ରାବାସକୁ ଲାଗି ବସ୍ତିବାସିନ୍ଦାଙ୍କ ଘର ଗଢ଼ିଉଠିଛି। ପ୍ରତିଦିନ ହଷ୍ଟେଲ ପଛ ପାର୍ଶ୍ବରେ ଅସାମାଜିକଙ୍କ ଆଡ଼ା ଜମୁଥିବାରୁ ଛାତ୍ରଛାତ୍ରୀ ମଧ୍ୟ ଭୟରେ ରାତି କାଟୁଛନ୍ତି। କେତେବେଳେ ହଷ୍ଟେଲ ଉପରକୁ କାଚ ବୋତଲ ମାଡ଼ ହେଉଛି ତ ଆଉ କେତେବେଳେ ୟୁନିଭରସିଟି ଲ’ କଲେଜ ଉପରେ ଟେକା ପଡ଼ୁଛି। ଅସାମାଜିକ ଲୋକ କ୍ୟାମ୍ପସ୍‌ ଜମିକୁ ଏକପ୍ରକାର କବ୍‌ଜା କରି ରଖିଥିଲେ ମଧ୍ୟ କେହି ମୁହଁ ଖୋଲୁନାହାନ୍ତି। ଯିଏ ପଦେ କହୁଛି ମାଡ଼ ଖାଉଛି। ସେମାନେ ବିନା ବାଧାରେ ପାଚେରି ଭାଙ୍ଗି ଆଗକୁ ବଢ଼ୁଛନ୍ତି।

ସବୁଠାରୁ ବଡ଼ କଥା ହେଉଛି ଯେ ଦୁଇ ଦିନ ତଳେ କେତେଜଣ ଯୁବନେତାଙ୍କ ପ୍ରୋତ୍ସାହନରେ ଦୁର୍ବୃତ୍ତମାନେ ବିଶ୍ବବିଦ୍ୟାଳୟ ଗବେଷଣା ପ୍ରକଳ୍ପକୁ ବି ଭାଙ୍ଗିବାକୁ ପଛାଇ ନାହାନ୍ତି। କ୍ୟାମ୍ପସ୍‌ର ପୂର୍ବ ପାର୍ଶ୍ବ ଅର୍ଥାତ୍‌ ଡିଡିସିଇ ଓ ୟୁନିଭର୍ସିଟି ଲ’ କଲେଜ ପଛପାର୍ଶ୍ବରେ ୨୦ ବର୍ଷ ତଳେ ଏକ ପ୍ରକଳ୍ପ ପ୍ରତିଷ୍ଠା ଲାଗି ଯୋଜନା ହୋଇଥିଲା। ସେତେବେଳେ ବାଣୀବିହାର ନିକଟରେ ହ୍ରଦ ଥିବାରୁ ସେଠାରେ ସିଫା(ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫ୍ରେସ୍‌ୱାଟର ଆକ୍ବାକଲଚର) ପକ୍ଷରୁ ଗବେଷଣା ପ୍ରକଳ୍ପ କରିବାକୁ ନିଷ୍ପତ୍ତି ହୋଇଥିଲା। ଏନେଇ ବିଶ୍ବବିଦ୍ୟାଳୟ ସହ ରାଜିନାମା ହେବା ପରେ କାର୍ଯ୍ୟ ବି ଆଗେଇଥିଲା। ପ୍ରକଳ୍ପ ଲାଗି ୨୦ରୁ ଅଧିକ ଛୋଟ ପୋଖରୀ ଖୋଳାଯାଇଥିଲା। କିନ୍ତୁ କିଛି ବର୍ଷ ପରେ ସବୁ କିଛି ଅଧାରେ ଅଟକି ଯାଇଛି। ଆଉ ଆଗକୁ ବଢ଼ିପାରିନି। ସେହି ପ୍ରକଳ୍ପ ଲାଗି ନିର୍ମାଣ ହୋଇଥିବା ଘରକୁ ଦୁଇ ଦିନ ତଳେ ଭାଙ୍ଗି ଦିଆଯାଇଛି। ଛାତ ସହ କାନ୍ଥର ଇଟା ତାଡ଼ି ନେଇଛନ୍ତି। ଘଟଣା ନଜରକୁ ଆସିବା ପରେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଏତଲା ଦେଇଥିବା ସହିଦ ନଗର ଥାନାରୁ ଜଣାପଡ଼ିଛି। ବିଶ୍ବବିଦ୍ୟାଳୟର ଦକ୍ଷିଣ ଓ ପଶ୍ଚିମ ପାର୍ଶ୍ବକୁ ଲାଗି ଗଢ଼ି ଉଠିଥିବା ବସ୍ତିରେ ପ୍ରତି ସପ୍ତାହରେ ୨ରୁ ୩ଟି ଘର ନିର୍ମାଣ ହେଉଛି। କ୍ୟାମ୍ପସ୍‌ ଭିତରେ ଆଜବେଷ୍ଟସ୍‌ ଘର ନିର୍ମାଣ ହୋଇଥିଲେ ମଧ୍ୟ ରୋକ ଲଗାଇବାରେ ବିଫଳ ହୋଇଛନ୍ତି କର୍ତୃପକ୍ଷ। ତିନି ମାସ ତଳେ କ୍ୟାମ୍ପସର ଉତ୍ତର-ପଶ୍ଚିମ ପାର୍ଶ୍ବରେ ଦୁଇଟି ଦୋକାନ ଘର ନିର୍ମାଣ ଚାଲିଥିବା ବେଳେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ତାହାକୁ ରୋକିବାରେ କିଛି ପରିମାଣରେ ସଫଳ ହୋଇଥିଲେ। ଦୋକାନ ଘର ଭଙ୍ଗାଯିବା ସହ ପାଚେରି କରିଥିଲେ। ବସ୍ତି ହଟାଇବା ପାଇଁ ରାଜ୍ୟ ସରକାରଙ୍କୁ ବାରମ୍ବାର ଚିଠି ଲେଖି ହାତ ଟେକି ଦେଲେଣି କର୍ତୃପକ୍ଷ। କିଛି ଦିନ ତଳେ ରାଜଭବନ ଅଧିକାରୀ କ୍ୟାମ୍ପସ ପରିଦର୍ଶନରେ ଆସି ଭାଙ୍ଗିପଡ଼ିଥିବା ପାଚେରି ବୁଲି ଦେଖିଥିଲେ। ମରାମତି କରିବାକୁ ପରାମର୍ଶ ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳିନି। ଏନେଇ କର୍ତ୍ତୃପକ୍ଷ ମୁହଁ ଖୋଲୁନାହାନ୍ତି।

କାଟିନେଲେଣି ଶହେ ଗଛ
କ୍ୟାମ୍ପସ ସାରା କାୟା ମେଲାଇଛନ୍ତି ବସ୍ତିବାସିନ୍ଦା। ଚାରିପାଖରୁ ବାଣୀବିହାର ଜମିକୁ କବ୍‌ଜା କରିନେଲେଣି। କ୍ୟାମ୍ପସ ଭିତରେ ମାଳ ମାଳ ଆଜବେଷ୍ଟସ୍‌ ଘର ନିର୍ମାଣ କରିଥିବା ବେଳେ ଏବେ କ୍ୟାମ୍ପସ୍‌ର ସବୁଜିମାକୁ ନଷ୍ଟ କରିବାକୁ ପଛାଇ ନାହାନ୍ତି। ଗତ ୧୦ ଦିନ ମଧ୍ୟରେ କ୍ୟାମ୍ପସ୍‌ ପରିସରରୁ ଶତାଧିକ ଗଛ କାଟି ନେଲେଣି। ମାତ୍ର ୫ରୁ ୭ ବର୍ଷ ତଳେ କ୍ୟାମ୍ପସର ପଶ୍ଚିମ ପାର୍ଶ୍ବ ତଥା ଆଇଏମ୍‌ଏମ୍‌ଟି ପାର୍ଶ୍ବକୁ ଲାଗି ହଜାରରୁ ଅଧିକ ମୂଲ୍ୟବାନ ବୃକ୍ଷରୋପଣ କରାଯାଇଥିଲା। ସେହି ଗଛଗୁଡ଼ିକ ଏବେ ବଢ଼ୁଥିବା ବେଳେ ବେଳେ ତାହାର ପକ୍ଷ ଛେଦନ କରାଯାଉଛି। ଲୋକେ ଗଛଗୁଡ଼ିକର ଡାଳ କାଟି ନେଉଛନ୍ତି। କେତେକ ଗଛର ଗଣ୍ଡିକୁ ଛାଡ଼ି ସବୁ କିଛି କାଟି ନେଲେଣି। ଏବେ କେବଳ ଗଣ୍ଡି ଠିଆ ହୋଇ ରହିଛି। କ୍ୟାମ୍ପସ ଭିତରେ ଥିବା ଜଗନ୍ନାଥ ମନ୍ଦିର ନିକଟରୁ କର୍ମଚାରୀଙ୍କ କ୍ବାର୍ଟର୍ସ ଆଡ଼କୁ ଯାଇଥିବା ରାସ୍ତା ପାର୍ଶ୍ବରେ ଏହି ଗଛଗୁଡ଼ିକୁ ବେଧଡ଼କ ଭାବେ ଗଛ କଟା ଯାଉଥିଲେ ମଧ୍ୟ କେହି ମୁହଁ ଖୋଲୁନାହାନ୍ତି। ସମସ୍ତେ ସବୁ ଦେଖି ଚୁପ୍‌ ବସିପଡ଼ିଛନ୍ତି।

୪୦ ଏକର ଜମି କଥା ଭୁଲିଗଲେଣି
ଉତ୍କଳ ବିଶ୍ୱବିଦ୍ୟାଳୟ ୩୯୮.୯୮ ଏକର ପରିମିତ ଜମିରେ ଛିଡ଼ା ହୋଇଥିବା ନେଇ କାଗଜପତ୍ରରେ ଉଲ୍ଲେଖ ରହିଛି। ହେଲେ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗର ଭୂ-ଲେଖରେ ଥିବା ତଥ୍ୟରେ ଦର୍ଶାଯାଇଛି, ଏବେ ବିଶ୍ୱବିଦ୍ୟାଳୟର ୩୫୯ ଏକର ଜମି ରହିଛି। ଅର୍ଥାତ୍‌ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଦିଆଯାଇଥିବା ୪୦ ଏକର ଜମି ଗାଏବ ହୋଇଛି। ଏନେଇ ୨୦୧୮ ମେ’ ମାସରେ ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶ ପାଇଥିଲା। ଏହାକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ବି ହୋଇଥିଲା। ଇତି ମଧ୍ୟରେ ୮ମାସ ବିତିଗଲାଣି। ହେଲେ ରାଜଧାନୀର ଛାତି ଉପରେ ଛିଡ଼ା ହୋଇଥିବା ଏହି ୭୫ ବର୍ଷର ଶିକ୍ଷାନୁଷ୍ଠାନର ଜମିର ହିସାବ ଏପର୍ଯ୍ୟନ୍ତ ମିଳିପାରୁନି।

କାହା ଚାପ ପଡ଼ୁଛି?
ଜମି ଜବରଦଖଲ ହଟାଇବା ପାଇଁ କେଉଁ ଆଡୁ ଅଦୃଶ୍ୟ ଚାପ ପଡୁଛି କି ଆଉ କ’ଣ ଗୁପ୍ତ କାରଣ ରହିଛି, ତାହା ଏବେ ବି ରହସ୍ୟ। ଉତ୍କଳ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଏନେଇ ବାରମ୍ବାର ଚିଠି କରୁଥିଲେ ମଧ୍ୟ ବିଏମ୍‌ସି ଓ ବିଡିଏ ଅଧିକାରୀମାନେ ସବୁ ଜାଣି ନିରବଦ୍ରଷ୍ଟା ସାଜିଛନ୍ତି। ରାଜଧାନୀର ବିଭିନ୍ନ ସ୍ଥାନରୁ ବସ୍ତିବାସିନ୍ଦା, ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯାଉଥିଲେ ମଧ୍ୟ ବାଣୀବିହାର ଚାରିପାଖରୁ ଜବରଦଖଲ ହଟାଯାଇପାରୁନି। ବିଧାନସଭାରେ ମନ୍ତ୍ରୀ କହୁଛନ୍ତି ଯେ ଜମି ଜବରଦଖଲ ହୋଇଛି। ହେଲେ କେଉଁ ରାଜନୈତିକ ଚାପରେ ପଡ଼ି ଜମି ଜବରଦଖଲ ହଟାଯାଉ ନାହିଁ, ତାହାକୁ ନେଇ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର