ବାଣୀବିହାର ଅଧ୍ୟାପକଙ୍କ ନିର୍ଯାତନା ଘଟଣା: କୁଳପତିଙ୍କୁ ରିପୋର୍ଟ ମାଗିଲା ଉଚ୍ଚଶିକ୍ଷା ବିଭାଗ

 

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ମନସ୍ତତ୍ତ୍ୱ ବିଜ୍ଞାନ ବିଭାଗ ଅଧ୍ୟାପକ ମହେଶ୍ୱର ଶତପଥୀଙ୍କ ବିରୋଧରେ ଆସିଥିବା ନିର୍ଯାତନା ଅଭିଯୋଗକୁ ନେଇ ତନାଘନା ଆରମ୍ଭ କରିଛି ଉଚ୍ଚଶିକ୍ଷା ବିଭାଗ। ଛାତ୍ରଛାତ୍ରୀ, ସହକର୍ମୀଙ୍କୁ ମାନସିକ ନିର୍ଯାତନା ଦେବା ସହ ପରୀକ୍ଷା ଖାତା ଦେଖି ମାର୍କଗୁଡ଼ିକୁ ସୋସିଆଲ୍‌ ମିଡିଆରେ ଛାଡ଼ି ଦେଉଥିବା ନେଇ ଛାତ୍ରଛାତ୍ରୀ ଅଭିଯୋଗ କରିଥିଲେ। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଛାତ୍ରଛାତ୍ରୀ କ୍ୟାମ୍ପସରେ ଧାରଣାରେ ବସିଥିବା ନେଇ ଖବର ପ୍ରସାରଣ ପରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କୁ ରିପୋର୍ଟ ମାଗିଛି ଉଚ୍ଚଶିକ୍ଷା ବିଭାଗ।

ବିଭାଗୀୟ ଯୁଗ୍ମ ସଚିବ ବାବାଜୀ ଚରଣ ସେଠୀ ଆଜି ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଆଧାରରେ ଛାତ୍ରଛାତ୍ରୀ ପ୍ରଫେସର ଶତପଥୀଙ୍କ ବିରୋଧରେ ଆଣିଥିବା ଅଭିଯୋଗର ସମ୍ପୂର୍ଣ୍ଣ ତଥ୍ୟ ସହ ରିପୋର୍ଟ ପ୍ରଦାନ କର। ଏଥିସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ, ଗତ ୧୨ ତାରିଖରେ ମନସ୍ତତ୍ୱ ବିଭାଗର ଛାତ୍ରଛାତ୍ରୀ ଅଧ୍ୟାପକଙ୍କ ବିରୋଧରେ ଅଭିଯୋଗ ଆଣି ଧାରଣାରେ ବସିଥିଲେ। ଅଧ୍ୟାପକ ଜଣକ ଶ୍ରେଣୀଗୃହ ଭିତରେ ଖରାପ କଥା କହୁଛନ୍ତି। ପାଠପଢ଼ାଉ ନାହାନ୍ତି। ପରୀକ୍ଷା ମାର୍କ ସୋସିଆଲ୍‌ ମିଡିଆରେ ଛାଡ଼ି ଦେଉଛନ୍ତି। ତାଙ୍କୁ ତୁରନ୍ତ ବହିଷ୍କାର କରିବା ସହ ପ୍ରଶାସନିକ ତଦନ୍ତ କରିବାକୁ ଦାବି କରିଥିଲେ। ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ବ୍ୟାପକ ହେବା ପରେ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଏକ ତଦନ୍ତ କମିଟି ଗଠନ କରିଛନ୍ତି। ଆସନ୍ତା ୩୧ ତାରିଖ ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।

ବାଣୀବିହାରରେ ଛାତ୍ରୀଙ୍କୁ ଦୁର୍ବ୍ୟବହାର, ଜଣେ ଅଟକ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଆଇଏମ୍‌ସିଏ ବିଭଗର ଜଣେ ଛାତ୍ରୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସହିଦନଗର ଥାନା ପୁଲିସ ଆଜି ଜଣଙ୍କୁ ଅଟକ ରଖିଛି। ଅଭିଯୋଗ ଅନୁଯାୟୀ ଅପରାହ୍ନ ପ୍ର୍ରାୟ ସାଢ଼େ ଗୋଟାଏରେ ଛାତ୍ରୀ ଜଣକ କ୍ୟାମ୍ପସ ପରିସରରେ ଥିବାବେଳେ ଜଣେ ଯୁବକ ଜଙ୍ଗଲ ଭିତରେ ରହି ତାଙ୍କୁ ଖରାପ ଇଙ୍ଗିତ ବି କରିଥିଲେ। ଏହାକୁ ନେଇ କ୍ୟାମ୍ପସରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ବିଭାଗୀୟ ଛାତ୍ରଛାତ୍ରୀ କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଥିଲେ। ପ୍ରାୟ ୩୦ ମିନିଟ୍‌ ଧରି ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଥିଲା। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର