ବାଣୀଚିତ୍ର ସୁବର୍ଣ୍ଣ ଜୟନ୍ତୀ ସମ୍ମାନ : ପୌରାଣିକ କଥାବସ୍ତୁକୁ ନେଇ ଚଳଚ୍ଚିତ୍ର ନିର୍ମାଣ ହେଉ

ଭୁବନେଶ୍ୱର : ଚଳଚ୍ଚିତ୍ର, କଳା, ସାହିତ୍ୟ ଓ ସଂସ୍କୃତି ପତ୍ରିକା ‘ବାଣୀଚିତ୍ର’ର ୫୦ତମ ବର୍ଷ ପୂର୍ତ୍ତି ଅବସରରେ ଏହାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଆଜି ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ, ପୌରାଣିକ କଥାବସ୍ତୁକୁ ନେଇ କିମ୍ବା ଓଡ଼ିଆ ସଂସ୍କୃତି ସଂପର୍କିତ ଚଳଚ୍ଚିତ୍ର ନିର୍ମାଣ ହୋଇପାରିଲେ ଏହା ସବୁ ବର୍ଗର ଦର୍ଶକଙ୍କୁ ଛୁଇଁବ। ଏଥିରୁ ଉତ୍ତରପିଢ଼ି ଓଡ଼ିଆ ସଂସ୍କୃତିର ମହାନତା ସଂପର୍କରେ ଜାଣିବାର ସୁଯୋଗ ପାଇବେ। ସେହିପରି ଚଳଚ୍ଚିତ୍ର କଳାକାରମାନଙ୍କୁ ପୁରସ୍କୃତ କରାଯିବା ସ୍ୱାଗତଯୋଗ୍ୟ। ଏହା ସେମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ଭାବେ ସମାଜସେବୀ ସୁରେନ୍ଦ୍ର ସାହୁ ଯୋଗଦେଇ କହିଲେ, ଯଦି ରାଜ୍ୟ ସରକାରଙ୍କ ପକ୍ଷରୁ ଚଳଚ୍ଚିତ୍ର ଉନ୍ନୟନ ନିଗମକୁ କିଛି ଆର୍ଥିକ ସହାୟତା ମିଳନ୍ତା, ତେବେ କିଛି ଭଲ ଚଳଚ୍ଚିତ୍ର ନିର୍ମାଣ ହୋଇପାରନ୍ତା। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର, ନାଲ୍‌କୋ ମହିଳା ସମିତିର ଅଧ୍ୟକ୍ଷା ପ୍ରୀତିରାୟ ଚାନ୍ଦ ଓ ଆକାଶ ଇନ୍‌ଷ୍ଟିଚ୍ୟୁଟ୍‌ର ଅଧ୍ୟକ୍ଷ ଏ ବି ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ‘ବାଣୀଚିତ୍ର’ ପତ୍ରିକା ଓ ‘ଶୁଭମ୍‌’ ଦ୍ୱାରା ପ୍ରସ୍ତୁତ ଶ୍ରୀଜଗନ୍ନାଥଙ୍କ ଉପରେ ଆଧାରିତ ଭଜନ ସିଡି ‘ମୋ କଣ୍ଠେ ଶ୍ରୀଜଗନ୍ନାଥ’ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ଚଳିତ ବର୍ଷର ଦିବଂଗତ କଳାକାରମାନଙ୍କ ଆତ୍ମାର ସଦ୍‌ଗତି ପାଇଁ ନିରବ ପାର୍ଥନା କରାଯାଇଥିଲା। ଏହି ଅବସରରେ ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି, ଚଳଚ୍ଚିତ୍ର, ନାଟକ, ଯାତ୍ରା, ନୃତ୍ୟ, ସଂଗୀତ, ଛୋଟପରଦା ଓ ସମାଜସେବା କ୍ଷେତ୍ରରେ କାର୍ଯ୍ୟ କରି ଆସୁଥିବା ବ୍ୟକ୍ତିମାନଙ୍କୁ ‘ବାଣୀଚିତ୍ର ସୁବର୍ଣ୍ଣ ଜୟନ୍ତୀ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ବିଜୟ ମିଶ୍ର, ଅମିୟ ପଟ୍ଟନାୟକ, ପ୍ରେମାଞ୍ଜନ ପରିଡ଼ା, ସଂଜୟ ନାୟକ, ଇତି ସାମନ୍ତ, ଶ୍ରୀତମ ଦାସ, ଅନୁ ଚୌଧୁରୀ, ହରିହର ମହାପାତ୍ର, ବର୍ଷା ପ୍ରିୟଦର୍ଶିନୀ, ଆକାଶ ଦାସନାୟକ, ସବ୍ୟସାଚୀ ମିଶ୍ର, ବବି ମିଶ୍ର, ଅଶୋକ ପତି ଓ ତାପସ ସରଘରିଆଙ୍କ ସମେତ ୫୮ଜଣଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନର ମୁଖ୍ୟ ସଂପାଦକ ପରୀକ୍ଷିତ ଜେନା ସ୍ୱାଗତ ଭାଷଣ ଦେଇଥିବା ବେଳେ ସଂପାଦକ ଭାସ୍କର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର