ଭୁଶୁଡ଼ୁଛି ବାଣୀବିହାର ଭିତ୍ତିଭୂମି, ୨୦ କୋଟି ଟଙ୍କାର କୋଠା ଏବେ ଭୂତକୋଠି

ଷ୍ଟ୍ରିଟ୍‌ ଲାଇଟ୍‌ ଅଚଳ, ପାଚେରି ମୁକୁଳା

ଭୁବନେଶ୍ବର: ଧୀରେ ଧୀରେ ଭୁଶୁଡ଼ୁଛି ଉତ୍କଳ ବିଶ୍ବବିଦ୍ୟାଳୟର ଭିତ୍ତିଭୂମି। ୨୦ କୋଟିରୁ ଅଧିକ ଟଙ୍କାର ୫ଟି କୋଠା ଏବେ ଭୂତକୋଠି ପାଲଟିଥିବା ବେଳେ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ କ୍ୟାମ୍ପସରେ ଲାଗିଥିବା ଷ୍ଟ୍ରିଟ୍‌ ଲାଇଟ୍‌ ଅଚଳ। ସିସିଟିଭି ବି କାମ କରୁନି। ଆଗରୁ ଯାହା ଯେମିତି ପାଚେରି ଭାଙ୍ଗିଥିଲା, ବାତ୍ୟା ‘ଫନି’ ପରେ ସମ୍ପୂର୍ଣ୍ଣ କ୍ୟାମ୍ପସ ମୁକୁଳା। ଇତି ମଧ୍ୟରେ ବାତ୍ୟାକୁ ସାଢ଼େ ୪ ମାସ ବିତି ଯାଇଥିଲେ ମଧ୍ୟ ମରାମତି ଦିଗରେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ କାଣିଚାଏ ବି ପଦକ୍ଷେପ ନେଇନାହାନ୍ତି। ହଷ୍ଟେଲଗୁଡ଼ିକ ଅବସ୍ଥା ବି ନ କହିବା ଭଲ। ଯେଉଁଥିପାଇଁ ନାକ୍‌ ‘ଏ+’ ଗ୍ରେଡ୍‌ ହାସଲ କରିଥିବା ଉତ୍କଳ ବିଶ୍ବବିଦ୍ୟାଳୟ ମାନ୍ୟତା ନେଇ ଆଶଙ୍କା ସୃଷ୍ଟି ହୋଇଛି। ୨୦୨୧ରେ ପୁଣିଥରେ ନାକ୍‌ ଟିମ୍‌ ଆସିବ। ଏବେ ବିଶ୍ବବିଦ୍ୟାଳୟ ଯେଉଁ ସ୍ଥିତି ଦେଇ ଗତି କରୁଛି, ସେତେବେ‌ଳକୁ ‌ନାକ୍‌ ‘ଏ’ ଗ୍ରେଡ୍‌ ମିଳିବା କଷ୍ଟକର ହୋଇପଡ଼ିବ ବୋଲି ପ୍ରଫେସରମାନେ କହିଛନ୍ତି।

କାମ କରୁନି ସିସିଟିଭି, ହଷ୍ଟେଲ କାନ୍ଥ ଫାଟି ଆଁ
ୟୁୟୁ ଷ୍ଟୁଡେଣ୍ଟ ଫୋରମ୍‌ର ଆନ୍ଦୋଳନ ଡାକରା

ନାକ୍‌ ଟିମ୍‌ ଆସିବା ପୂର୍ବରୁ ୨୦୧୫ରେ ବିଶ୍ବବିଦ୍ୟାଳୟକୁ ନୂଆ ରୂପ ଦିଆଯାଇଥିଲା। ପ୍ରବେଶ ପଥରୁ ଆରମ୍ଭ କରି ପ୍ରସ୍ଥାନ ଯାଏ ସବୁଠି ଝଟକୁଥିଲା। ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ରାସ୍ତାରେ ଏଲ୍‌ଇଡି ଲାଇଟ୍‌ ଲଗାଗଲା, ପ୍ରବେଶ ପଥରୁ ହଷ୍ଟେଲ ପର୍ଯ୍ୟନ୍ତ ସିସିଟିଭି ଲାଗିଲା, ସବୁ ବିଭାଗ‌ରେ ଗବେଷଣାଗାର ଖୋଲିଲା। ଦିନରାତି ଏକ କରି ପ୍ରଫେସର, କର୍ମଚାରୀ, ଛାତ୍ରଛାତ୍ରୀ ନାକ୍‌ ମାନ୍ୟତା ହାସଲ କରିବାକୁ ଲାଗି ପଡ଼ିଲେ। ଫଳସ୍ବରୂପ ୨୦୧୬ ଡିସେମ୍ବରରେ ନାକ୍‌ ‘ଏ+’ ଗ୍ରେଡ୍‌ ମିଳିଲା। ମାନ୍ୟତା ମିଳିବାର ଗୋଟିଏ ବର୍ଷ ବିତିଛି କି ନାହିଁ, ସବୁ କିଛି ଧୀରେଧୀରେ ନଷ୍ଟ ହୋଇଗଲା। କୁଳପତି ବଦଳିବା ସହ ବଦଳିଗଲା ଉତ୍କଳ ବିଶ୍ବବିଦ୍ୟାଳୟର ଚିତ୍ର। ୨୦୧୫-୧୬ରେ ଆରମ୍ଭ ହୋଇଥିବା ୫ଟି ବିଲଡିଂ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନି। ଆଜି ଖୋଲିବ, କାଲି ଖୋଲିବ କହି କର୍ତୃପକ୍ଷ ଦିନ ଗଡ଼ାଇ ଚାଲିଛନ୍ତି। କେବେ କାର୍ଯ୍ୟକ୍ଷମ ହେବ ସେନେଇ କୁଳପତି କିମ୍ବା କୁଳସଚିବଙ୍କ ପାଖରେ ଉତ୍ତର ନାହିଁ। ୨୦୧୫ରେ କ୍ୟାମ୍ପସ ସାରା ଲାଗିଥିବା ଷ୍ଟ୍ରିଟ୍‌ ଲାଇଟ୍‌ଗୁଡ଼ିକ ମଧ୍ୟରୁ ୮୦ ପ୍ରତିଶତ ଏବେ ଅଚଳ। କେଉଁଠି ଲାଇଟ୍‌ ଖୁଣ୍ଟରେ ଝୁଲି ରହିଛି ତ ଆଉ କେଉଁଠି ଖୁଣ୍ଟ ଶୋଇ ପଡ଼ିଲାଣି। କେତେକ ସ୍ଥାନରେ ଖୁଣ୍ଟ ଛିଡ଼ା ହୋଇଥିଲେ ମଧ୍ୟ ଲାଇଟ୍‌ ଚୋରି ହୋଇଗଲାଣି। ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ହଜାରରୁ ଅଧିକ ଛାତ୍ରୀ ରହୁଥିବା ଓ ଚଳପ୍ରଚଳ କରୁଥିବା ରାସ୍ତାର ଲାଇଟ୍‌ ବାତ୍ୟା ପରଠାରୁ ନଷ୍ଟ ହୋଇଛି ଯେ ମରାମତି ହେଉନି। ପ୍ରବେଶ ପଥରେ ବି ଲାଗିଥିବା ଷ୍ଟ୍ରିଟ୍‌ ଲାଇଟ୍‌ଗୁଡ଼ିକ ଖରାପ ହୋଇପଡ଼ିଛି। କେବେ ସୁଦ୍ଧା ମରାମତି ହେବ, ସେନେଇ କାହା ପାଖରେ ଉତ୍ତର ନାହିଁ। କୁଳପତି ପ୍ରଫେସର ସୌ‌ମେନ୍ଦ୍ର ମୋହନ ପଟ୍ଟନାୟକଙ୍କୁ ଯୋଗାଯୋଗ କଲେ ମଧ୍ୟ କୌଣସି ଉତ୍ତର ଦେଉନାହାନ୍ତି। କାହିଁ କେବେଠାରୁ ବିଶ୍ବବିଦ୍ୟାଳୟ ପାଚେରି ମୁକୁଳା ପଡ଼ିଛି। ବସ୍ତିବାସିନ୍ଦା ଧୀରେଧୀରେ କ୍ୟାମ୍ପସକୁ ପଶି ଆସିଥିଲେ ମଧ୍ୟ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ସେମାନଙ୍କୁ ବାହାର କରିପାରୁ ନାହାନ୍ତି। ସେପଟେ ବାତ୍ୟା ପରଠାରୁ ଭାଙ୍ଗି ପଡ଼ିଥିବା ପାଚେରି ମରାମତି ହେଉନି। କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ସମ୍ମୁଖ‌ ଓ ପ୍ରବେଶ ପଥ ନିକଟରେ ୩୦ ଫୁଟ୍‌ର ପାଚେରି ଭାଙ୍ଗି ପଡ଼ିଥିଲେ ମଧ୍ୟ ମରାମତି ହେଉନାହିଁ। ସାଢ଼େ ୪ ମାସ ମଧ୍ୟରେ କର୍ତୃପକ୍ଷ ଗୋଟିଏ ମାତ୍ର ପଦକ୍ଷେପ ନେଇଛନ୍ତି। ପ୍ରବଳ ବିରୋଧ, ଦାବି ପରେ ଛାତ୍ରୀ ନିବାସରେ ଭାଙ୍ଗି ଯାଇଥିବା ପ‌ାଚେରି ମରାମତି କରିଛନ୍ତି।

ବଡ଼ କଥା ହେଲା, ବିଶ୍ବବିଦ୍ୟାଳୟ ଭିତ୍ତିଭୂମି ଦୋହଲି ଯାଇଥିଲେ ମଧ୍ୟ ଉତ୍କଳକୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ସ୍ବପ୍ନ ମୁଣ୍ଡରୁ ଖସୁ ନାହିଁ। ଉଚ୍ଚଶିକ୍ଷା ମନ୍ତ୍ରୀ, ସଚିବ ଓ ବିଶ୍ବବିଦ୍ୟାଳୟ କୁଳପତି ଯେକୌଣସି ସଭା‌, ସମିତି, ସମୀକ୍ଷା ବୈଠକରେ ଯୋଗଦେଇ କହୁଛନ୍ତି ଉତ୍କଳ ବିଶ୍ବବିଦ୍ୟାଳୟ ନାକ୍‌ ‘ଏ+’ ଗ୍ରେଡ୍‌ ପାଇଛି। ତାହାକୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରାଯିବ। ବିଶ୍ବବିଦ୍ୟାଳୟସ୍ତରୀୟ ଶିକ୍ଷାନୁଷ୍ଠାନ ହେବ। ତେବେ ସେମାନଙ୍କର ଏଭଳି ବାହା‌ସ୍ପୋଟ ଆଉ ‌କେତେ ଦିନ ବୋଲି ପ୍ରଫେସରମାନେ ମତ ପ୍ରକାଶ କରିଛନ୍ତି। ଭିତ୍ତିଭୂମି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଲେ କ’ଣ ଉତ୍କର୍ଷ କେନ୍ଦ୍ର ହେବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଅପରପକ୍ଷେ ୧୦ ଦଫା ଦାବିରେ ଆନ୍ଦୋଳନ ଡାକରା ଦେଇଛି ଉତ୍କଳ ବିଶ୍ବବିଦ୍ୟାଳୟ ଷ୍ଟୁଡେଣ୍ଟ ଫୋରମ୍‌। ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକ ସ୍ଥାନାନ୍ତର, ପରୀକ୍ଷା ସରିବାର ୪୫ଦିନ ଭିତରେ ଫଳ ପ୍ରକାଶ, ହଷ୍ଟେଲ, ମାଇଗ୍ରେସନ, ପ୍ରବେଶିକା ପରୀକ୍ଷା ଫି’ ଦୁଇ ଗୁଣ ବୃଦ୍ଧି ପ୍ରତ୍ୟାହାର, ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ୨୪ ଘଣ୍ଟିଆ ଜାତୀୟ ପତାକା ଉଡ଼ାଇବା, ବସ୍ତି ଉଚ୍ଛେଦ, ନୂତନ ଭାବେ ନିର୍ମାଣ ହୋଇଥିବା କୋଠାଗୁଡ଼ିକ କାର୍ଯ୍ୟକ୍ଷମ କରିବା, ଛାତ୍ରାବାସ କାନ୍ଥ ମରାମତି, ସ୍ଥାୟୀ ଅଧ୍ୟାପକ ପଦ ପୂରଣ, ଅଚଳ ଆମ୍ବୁଲାନ୍ସକୁ ସଚଳ କରିବା ଦାବିରେ ଏହି ଆନ୍ଦୋଳନ କରାଯିବ।

ସମ୍ବନ୍ଧିତ ଖବର