ଶିବାନୀ ବିଲ୍‌ଡର ମାଲିକଙ୍କ ଆଉ ଏକ ଘର ସିଲ୍‌ କଲା ବ୍ୟାଙ୍କ

ଭୁବନେଶ୍ୱର: ଶିବାନୀ ସାରସ୍ୱତ ଏଜୁକେସନାଲ ଟ୍ରଷ୍ଟ୍‌ ନାମରେ ଋଣ ନେଇ ଖିଲାପ କରିଥିବା ଅଭିଯୋଗରେ ଆଜି ପୁଣି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ପକ୍ଷରୁ ବିଲ୍‌ଡର ରତିକାନ୍ତ କାନୁନ୍‌ଗୋଙ୍କ ଲକ୍ଷ୍ମୀସାଗରସ୍ଥିତ ବାସ ଭବନକୁ ସିଲ୍‌ କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଏସିପିଙ୍କ ଉପସ୍ଥିତିରେ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଲକ୍ଷ୍ମୀସାଗର ମୌଜାର ପ୍ଲଟ୍‌ ନଂ ୧୮୦୬ର ବିଲଡିଂର ୧୫ଟି ରୁମ୍‌କୁ ସିଲ୍‌ କରାଯାଇଛି। ତେବେ ଶ୍ରୀ କାନୁନଗୋ ଋଣ ସୁଝିଥିବା ସତ୍ତ୍ୱେ ବ୍ୟାଙ୍କ କର୍ତୃପକ୍ଷ ଭୁଲ୍‌ କାଗଜପତ୍ର ଦେଖାଇ ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ପାଲଟା ଅଭିଯୋଗ କରିଛନ୍ତି।

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଭାରପ୍ରାପ୍ତ ଅଧିକାରୀ ପିକେ ମହାପାତ୍ରଙ୍କ ସୂଚନା ଅନୁଯାୟୀ ବ୍ୟାଙ୍କର ଡୁମୁଡୁମା ଶାଖାରେ ଶ୍ରୀ କାନୁନ୍‌ଗୋ ତାଙ୍କ ଭୀମଟାଙ୍ଗି ଓ ଲକ୍ଷ୍ମୀସାଗର ଘରକୁ ବନ୍ଧକ ରଖି ୫କୋଟି ୪୭ଲକ୍ଷ ୩୮ହଜାର ୨୭୮ଟଙ୍କା ଋଣ ନେଇଥିଲେ। ତେବେ ବାରମ୍ବାର ଋଣ ଖିଲାପ ହେଉଥିବା ଅଭିଯୋଗରେ କୋର୍ଟ ନିର୍ଦେଶ ଓ ଜିଲ୍ଲାପାଳଙ୍କ ନିର୍ଦେଶ ମୁତାବକ ଗତକାଲି ଏସିପିଙ୍କ ଉପସ୍ଥିତିରେ କପିଳପ୍ରସାଦ ମୌଜାର ପ୍ଲଟ୍‌ ନଂ ୧୩୭୪/୩୫୭୯କୁ ବ୍ୟାଙ୍କ ତାଲା ପକାଇ ନିଜ ଅକ୍ତିଆରକୁ ନେଇଥିଲା। ଆଜି ଶ୍ରୀ କାନୁନ୍‌ଗୋଙ୍କ ଲକ୍ଷ୍ମୀସାଗର ଥାନା ଅଧୀନ ଚିନ୍ତାମଣିଶ୍ୱରସ୍ଥିତ ବାସଭବନକୁ ସିଲ୍‌ କରାଯାଇଛି। ଏହି ଘର ସିଲ୍‌ ବେଳେ ଲକ୍ଷ୍ମୀସାଗର ଥାନା ଅଧିକାରୀ, ପୁଲିସ, ବ୍ୟାଙ୍କ୍‌ର ଆଂଚଳିକ ପ୍ରବନ୍ଧକ ଏସ୍‌କେ ଅଲ୍ଲୀ, ରମାକାନ୍ତ ନନ୍ଦ, ପ୍ରଫୁଲ୍ଲ ଭଞ୍ଜ, ଇଣ୍ଡିଆନ୍‌ ଇନ୍‌ଭେଷ୍ଟିଗେସନ୍‌ ସେଣ୍ଟରର ଆର୍‌ କେ ପଟ୍ଟନାୟକ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ତେବେ ବ୍ୟାଙ୍କ୍‌ର ଏଭଳି କାର୍ଯ୍ୟାନୁଷ୍ଠାନ ନେଇ ଶ୍ରୀ କାନୁନ୍‌ଗୋଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ସେ ଗ୍ରାମ୍ୟ ବ୍ୟାଙ୍କ୍‌ରୁ ଆଣିଥିବା ୪କୋଟି ୬୮ଲକ୍ଷ ଟଙ୍କା ଋଣ ସୁଝି ସାରିଛନ୍ତି। ହୋଇଛି। ଏ ସଂପର୍କରେ କୋର୍ଟରେ କେସ୍‌ ଚାଲିଥିବା ବେଳେ ଏହାର ନିଷ୍ପତ୍ତିକୁ ଅପେକ୍ଷା ନ କରି ବ୍ୟାଙ୍କ୍‌ କର୍ତୃପକ୍ଷ ତରବରିଆ ଭାବେ କେତେକ ଭୁଲ କାଗଜପତ୍ର ଦେଖାଇ ପ୍ରଶାସନର ନିର୍ଦେଶ ବଳରେ ଘରଗୁଡ଼ିକ ସିଲ୍‌ କରିଛନ୍ତି। ଏ ନେଇ କୋର୍ଟରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଅଧିକାରୀମାନଙ୍କ ନାମରେ ମାମଲା ରୁଜୁ କରାଯାଇଛି ବୋଲି ଶ୍ରୀ କାନୁନ୍‌ଗୋ କହିଛନ୍ତି।

ସମ୍ବନ୍ଧିତ ଖବର