ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନର ଷଷ୍ଠ ଶାମ୍ଭବୀ ପୁରସ୍କାର ଉତ୍ସବ

ଭୁବନେଶ୍ବର: ମଙ୍ଗଳବାର ହୋଟେଲ କ୍ରାଉନ୍ ପ୍ରେକ୍ଷାଳୟରେ ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ(ବିଆଇପିଏଫ୍)ର ୬ଷ୍ଠ ଶାମ୍ଭବୀ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ତଥା ନୀତି ଆୟୋଗ ସଦସ୍ୟ ବିବେକ ଦେବରାୟ ଓ ଅବସରପ୍ରାପ୍ତ ଆଇଏଫ୍‌ଏସ୍‌ ତଥା ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ ଏହି ଉତ୍ସବରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କନ୍ଧମାଳ ଜିଲ୍ଲା ସୁବଜ ବୈଦ୍ୟ ସଂଗଠନର ପ୍ରତିଷ୍ଠାତା ଦୀନବନ୍ଧୁ ମହାରଣାଙ୍କୁ ଶାମ୍ଭବୀ ପୁରସ୍କାର ପ୍ରଦାନ କରାଯାଇଥିଲା। ମାନପତ୍ର ସହ ତାଙ୍କୁ ୨.୫ଲକ୍ଷ ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଥିଲା। ସେହିଭଳି କଟକର ଅଭିମନ୍ୟୁ ଦାସଙ୍କୁ ବିଚାରପତି ପ୍ରଶଂସାପତ୍ର ୨୦୧୯ ପାଇଁ ମାନପତ୍ର ସହ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ବିଆଇପିଏଫ୍‌ର ସିଇଓ ଶୈଫାଳିକା ପଣ୍ଡାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନର ଶାମ୍ଭବୀ ପୁରସ୍କାର କମିଟିର ଜୁରି ମେମ୍ବର ତଥା ଅବସରପ୍ରାପ୍ତ ପ୍ରଶାସକ ରମେଶ ଚନ୍ଦ୍ର ପଣ୍ଡା ପ୍ରାରମ୍ଭିକ ସୂଚନା ଦେଇଥିଲେ। କନ୍ଧମାଳ ଜିଲ୍ଲା କେ ନୂଆଗାଁ, ଦାରିଙ୍ଗିବାଡ଼ି ଓ କୋଟଗଡ଼ ବ୍ଲକରେ ଗରିବ ଆଦିବାସୀମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ୍‌ କରାଇବା, ସେମାନଙ୍କ ଗାଁକୁ ରାସ୍ତା ଓ ପାନୀୟ ଜଳ ଯୋଗାଣ ଓ ଜମିକୁ ଜଳସେଚନ କରାଇବା ସହ ସେମାନଙ୍କୁ ଜରୁରୀକାଳୀନ ସମୟରେ ପୋଷାକ ଯୋଗାଇବାରେ ଦୀନବନ୍ଧୁଙ୍କ ଉଲ୍ଲେଖନୀୟ କାର୍ଯ୍ୟ ଯୋଗୁଁ ତାଙ୍କୁ ଏହି ପୁରସ୍କାର ପାଇଁ ‌ଯୋଗ୍ୟ ବିବେଚିତ କରାଯାଇଛି। ସେହିଭଳି କଟକ ବଡ଼ ମେଡିକାଲ ଓ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା ପ୍ରତିଷ୍ଠାନରେ ଗରିବ ରୋଗୀମାନଙ୍କୁ ସେବା ଯୋଗାଇବା ଓ ଅପରିଚିତ ବ୍ୟକ୍ତିଙ୍କ ମୃତଦେହର ଅନ୍ତିମ ସଂସ୍କାର କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଅଭିମନ୍ୟୁଙ୍କୁ ମଧ୍ୟ ସମ୍ବର୍ଧନା ପାଇଁ ଯୋଗ୍ୟ ବିବେଚିତ କରାଯାଇଛି ବୋଲି କୁହାଯାଇଥିଲା।

ସମ୍ବନ୍ଧିତ ଖବର