ଝୁରେ ମନ ବରଗଛକୁ ! ରାସ୍ତା ଚଉଡ଼ା ଆଳରେ ବଳି ପଡ଼ିଛି କେଉଁ ପୁରୁଷରୁ ଛିଡ଼ା ହୋଇଥିବା ବୁଢ଼ା ବରଗଛ

0 276

ଭୁବନେଶ୍ୱର (ସତ୍ୟନାରାୟଣ ରାଉତରାୟ): କଥାରେ ଅଛି ‘ବରଗଛ ତଳ ବାମ୍ଫିର ଜଳ, ଗ୍ରୀଷ୍ମ କାଳରେ ବଡ଼ ଶୀତଳ’। ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ଯୁଗରେ ଏହି ଗଛର ଆବଶ୍ୟକତା କେତେ, ତାହାକୁ ନେଇ ହୁଏତ ପରପିଢ଼ି ସନ୍ଦିହାନ ହୋଇପାରନ୍ତି। ମାତ୍ର ପୁରୁଖା ଲୋକ ଏବେ ବି ବରଗଛର ଛାଇକୁ ଝୁରି ହୁଅନ୍ତି। ଠିକ୍‌ ଏଇ ସମୟ ଡହଡହ ଖରାବେଳେ ଯେବେ ପୁରୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବସ୍‌ଟିଏ କଳ୍ପନାରେ ଅଟକୁୁଥିଲା। ବସ୍‌ ହେଲ୍‌ପର ଡାକ ଛାଡ଼ୁଥିଲା କଳ୍ପନା କଳ୍ପନା…। ବାସ୍‌ ଏତିକି ଡାକରେ ଯେମିତି ବସ୍‌ ଭିତରୁ ଓହ୍ଲାଇ କଳ୍ପନା ଛକ ବରଗଛ ମୂଳକୁ ଧାଇଁଯିବା ପାଇଁ ପ୍ରତିଯୋଗିତା ଲାଗୁଥିଲା। ଦୀର୍ଘ ୨ ଘଣ୍ଟାକାଳ ବାପଲୋ ମାଆଲୋ କହି ବସ୍‌ରେ ଛାଟିପିଟି ହେଉଥିବା ମଣିଷମାନେ ଏଇ ବରଗଛ ତଳେ ପହଞ୍ଚୁ ପହଞ୍ଚୁ ତାଙ୍କ ପାଟିରୁ ବାହାରି ପଡ଼ୁଥିଲା ‘ଓଃ କି ଆରାମ୍‌….।’ ଆଜି ସେ ବୁଢ଼ା ବରଗଛ ନାହିଁ କି ତା ଶୀତଳ ଛାଇ ନାହିଁ। ରାସ୍ତା ଚଉଡ଼ା ଆଳରେ ବଳି ପଡ଼ିଛି କେଉଁ ପୁରୁଷରୁ ଛିଡ଼ା ହୋଇଥିବା ବୁଢ଼ା ବରଗଛଟା। ତେଣୁ ଆଜି ବି ଅନେକ ଲୋକ ବସ୍‌ରୁ ଓହ୍ଲାଇବା କ୍ଷଣି ସେଇ ବରଗଛକୁ ଖୋଜନ୍ତି।

Discover Bhubaneswar

ଖାଲି କଳ୍ପନା ନୁହେଁ କଳ୍ପନା ଛକ କୋର୍ଟ ବାହାରେ ଥିବା ବରଗଛ ହେଉ ଅବା ହୋଟେଲ୍‌ କଳିଙ୍ଗ ଅଶୋକ ନିକଟରେ ଥିବା ବରଗଛ। ସିଆର୍‌ପିସ୍ଥିତ ଏସ୍‌ସିଏସ୍‌ଟିଆର୍‌ଟିଆଇ ସମ୍ମୁଖ ହେଉ ଅବା ଖଣ୍ଡଗିରି ଛକ। ପୁରୁଣା ଷ୍ଟେସନ୍‌ ରୋଡ୍‌ ହେଉ କି ରାଜମହଲ ଛକ; କେଉଁ କାଳରୁ ଛିଡ଼ା ହୋଇଥିବା ବରଗଛକୁ ଆଜି ବି ଅନେକଙ୍କ ସ୍ମୃତିପଟରୁ ଲିଭିପାରୁନି। ତାପମାତ୍ରାରେ ରେକର୍ଡ ରଚୁଥିବା ରାଜଧାନୀରେ ଆଜି ଗଛ ଛାଇ ଖୋଜି ପାଇବା ମୁସ୍କିଲ୍‌। ବରଗଛ ମଣିଷ ଭାବେ ଜଣାଶୁଣା ସୁଦର୍ଶନ ସାସମଲଙ୍କ କହିବା ମୁତାବକ, ଜଗନ୍ନାଥ ରୋଡ୍‌ରେ ପ୍ରତି ୨ କିଲୋମିଟର ଅନ୍ତରରେ ଗୋଟେ ଲେଖାଏଁ ବରଗଛ ଥିଲା। ଲୋକେ ଏଇ ବାଟ ଦେଇ ଶ୍ରୀକ୍ଷେତ୍ର ଯିବା ବେଳେ ଶଗଡ଼ ବାନ୍ଧି ବିଶ୍ରାମ ନେଉଥିଲେ। କିନ୍ତୁ ଆଜି ଏହି ରୋଡ୍‌ରେ ଗୋଟେ ବି ବରଗଛ ନାହିଁ। କୁଲ୍‌ କ୍ୟାନୋପି ଧରି ରଖିଥିବା ବରଗଛ ଦିନ ରାତି ଅଙ୍ଗାରକାମ୍ଳ ଶୋଷେ। କାଁ ଭାଁ ଛାଡ଼ିଦେଲେ ବରଗଛ କେବେ ପୂରା ନଣ୍ଡା ହୁଏନି କି ପତ୍ରଝଡ଼ା ଦିଏନି। ମାଙ୍କଡ଼, ଗେଣ୍ଡାଳିଆ, ବଗ, ମହୁମାଛି, ଜନ୍ଦା ଓ ପିମ୍ପୁଡ଼ି ଏହି ଗଛକୁ ହିଁ ଆଶ୍ରୟ ମଣନ୍ତି। ସେଇଥିପାଇଁ କଟକରେ ଥିବା ତତ୍ତ୍ୱବଟରେ ଏବେ ବି ଏପ୍ରିଲ୍‌ରୁ ଜୁନ୍‌ ଯାଏଁ ବଗମାନଙ୍କର ସମାବେଶର ଭ୍ରମ ସୃଷ୍ଟି ହୁଏ।

ବରଗଛ ଦୁଇ କଡ଼ରେ ଥିଲେ ସେଠି ତାପମାତ୍ରା ୧୦ ଡିଗ୍ରି କମିଯାଏ

ଓଡ଼ିଶା ପରିବେଶ ସମିତିର ଡ.ଏସ୍‌ ଏନ୍‌ ପାତ୍ରଙ୍କ ସୂଚନା ଅନୁଯାୟୀ, ଏକ ସୁସ୍ଥ ବରଗଛ ତା’ର ଜୀବନକାଳ ଭିତରେ ୨୫ ଲକ୍ଷ ଟଙ୍କାର ଅମ୍ଳଜାନ ଦିଏ। ପୁଣି ଯଦି ୨ କଡ଼ରେ ସୁସ୍ଥ ଗଛ ଥାଏ, ସେଠି ତାପମାତ୍ରା ୭ରୁ ୧୦ ଡିଗ୍ରି ସେଲ୍‌ସିୟସ କମ୍‌ ଅନୁଭୂତ ହୁଏ। ମାତ୍ର ଏହି କିଛି ବର୍ଷ ମଧ୍ୟରେ ୭ ହଜାରରୁ ଅଧିକ ବରଗଛ, ଓସ୍ତଗଛ ଓ ନିମ୍ବଗଛ ଭଳି ଅତି ମୂଲ୍ୟବାନ ଗଛ ରାଜଧାନୀରୁ ବିଲୁପ୍ତ ହୋଇଯାଇଛି। ପୁଣି ୨୦୧୦ରୁ ୨୦୧୬ ମଧ୍ୟରେ ମୋଟ୍‌ ୫୯୨୦ଟି ଗଛକୁ ରାସ୍ତା ସଂପ୍ରସାରଣ, ଭୂତଳ ରାସ୍ତା ନିର୍ମାଣ ଏବଂ ଅନ୍ୟାନ୍ୟ କାରଣ ଦର୍ଶାଇ କଟା ଯାଇଛି। ବରଗଛକୁ ଗୋଟିଏ ଜାଗାରୁ ମୂଳ ସହ ଉପାଡ଼ି ନେଇ ଅନ୍ୟ ସ୍ଥାନରେ ରୋପଣ କରାଯିବାର ଆଧୁନିକ ଜ୍ଞାନକୌଶଳ ବାହାରିଥିଲେ ହେଁ ତା’ର ଉପଯୋଗ କରାଯାଇ ନାହିଁ। ଗୋଟିଏ ବରଗଛ ତା’ର ଶାଖା ପ୍ରଶାଖା ମେଲି ବିସ୍ତତ ଛାଇ ଦେବା ପାଇଁ ଦୀର୍ଘ ବର୍ଷ ଲାଗି ଯାଉଥିବା ବେଳେ ଏଠି ବୃକ୍ଷରୋପଣ ନାଁରେ ଲଗାଯାଉଛି ଆକାଶିଆ, କଦମ୍ବ ଓ ଚାକୁଣ୍ଡା ଭଳି ବୃକ୍ଷମାନ। କଥାରେ ଅଛି ଏହା ଉପରେ ଚଢ଼େଇମାନେ ବି ଭରସା କରି ବସା ବାନ୍ଧନ୍ତିନି କିନ୍ତୁ ସରକାରୀ କଳ ଏହି ଗଛଗୁଡ଼ିକୁ ଗୁରୁତ୍ୱ ଦିଏ।

୫୦ ବର୍ଷୀୟ ବରଗଛ ଦିଏ ଅମୂଲ ଦାନ

ଓଡ଼ିଶା ପରିବେଶ ସମିତିର ସମ୍ପାଦକ ଡ. ଜୟକୃଷ୍ଣ ପାଣିଗ୍ରାହୀ, ୧୯୮୦ରେ କୋଲକାତା କୃଷି ବିଶ୍ୱ ବିଦ୍ୟାଳୟର ପ୍ରଫେସର ଟିଏମ୍‌ ଦାସଙ୍କ ଆକଳନକୁ ବ୍ୟାଖ୍ୟା କରି କହନ୍ତି, ୫୦ ବର୍ଷ ବଞ୍ଚୁଥିବା ଏକ ଗଛ ୨.୫ ଲକ୍ଷ ଟଙ୍କା ମୂଲ୍ୟର ଅମ୍ଳଜାନ ସୃଷ୍ଟି କରେ। ୫ ଲକ୍ଷ ଟଙ୍କା ମୂଲ୍ୟର ବାୟୁ ବିଶୁଦ୍ଧ କରେ। ୨.୫ ଲକ୍ଷ ଟଙ୍କା ମୂଲ୍ୟର ଆଶ୍ରୟ ପଶୁପକ୍ଷୀଙ୍କୁ ଯୋଗାଏ। ୩ ଲକ୍ଷ ଟଙ୍କା ମୂଲ୍ୟର ଆର୍ଦ୍ରତା ଓ ଜଳଚକ୍ର ନିୟନ୍ତ୍ରଣ କରେ ଏବଂ ପ୍ରାୟ ୨୦ ହଜାର ଟଙ୍କାର ପୁଷ୍ଟିସାର ଉତ୍ପନ୍ନ କରେ। କିନ୍ତୁ ରାଜଧାନୀରେ ୫୦ ବର୍ଷ ତଳର ଯେଉଁ ବରଗଛମାନ ଥିଲା, ତାହା ଆଉ ନାହିଁ। ଚନ୍ଦକା ଜଙ୍ଗଲକୁ ଛାଡ଼ି ଦେଲେ ରାସ୍ତାକଡ଼ରେ ୫୦ ବର୍ଷ ତଳର ପୁରୁଣା ଗଛ ଏବେ କେବଳ ଗୋଟେଗୋଟେ ସ୍ମୃତି ହୋଇ ରହିଯାଇଛି। ବରଗଛ ହିଁ ଏକମାତ୍ର ଗଛ ଯାହା ଢେର୍‌ ଦିନ ପର୍ଯ୍ୟନ୍ତ ବଞ୍ଚି ରହୁଥିବାରୁ ତାହାକୁ ‘ଟ୍ରି ଅଫ୍‌ ଇମୋଟାଲିଟି’ କୁହାଯାଏ। ଶ୍ରୀମନ୍ଦିର ମଧ୍ୟରେ ଥିବା ବଟବୃକ୍ଷର ମାହାତ୍ମ୍ୟ ପୁରାଣରେ ବର୍ଣ୍ଣିତ ଥିବା ବେଳେ କେବଳ ଧାର୍ମିକ ଦୃଷ୍ଟିକୋଣରୁ ବରଗଛ ଗୁରୁତ୍ୱପୂର୍ଣ୍ଣ ନୁହେଁ ଆୟୁର୍ବେଦ ଶାସ୍ତ୍ରରେ ମଧ୍ୟ ଏହା ଏକ ମହାଔଷଧୀୟ ବୃକ୍ଷ ଭାବେ ପରିଗଣିତ। ଅନେକଙ୍କ ପାଇଁ ଦିନେ ଏହା ଲ୍ୟାଣ୍ଡମାର୍କ ଥିଲା ତ ପୁଣି କିଛି ବ୍ୟକ୍ତିବିଶେଷଙ୍କ ପାଇଁ ଥିଲା ନିତିଦିନିଆ ଖଟି ସ୍ପଟ୍‌। ମା’ କୋଳ ଓ ନଈ କୂଳ ଭଳି ଏଇ ବରଗଛ ତଳ ବି ଥିଲା ସୁରକ୍ଷାର ପେଣ୍ଠସ୍ଥଳ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.