ମା’ ଆସୁଛନ୍ତି, ବରମୁଣ୍ଡା ଷ୍ଟିଲ୍‌ ଗିନା, ଥାଳିଆରେ ମୁଖଶାଳା

ଭୁବନେଶ୍ୱର: ମୁଖଶାଳାରେ ଝଟକିବ କାଳ୍ପନିକ ତୋରଣ। ଷ୍ଟିଲ୍‌ ଗିନା, ତାଟିଆ, ଥାଳିଆ ଓ ଚାମଚରେ ନିର୍ମିତ ହେବ ସୁଦୃଶ୍ୟ ତୋରଣ। ଚଳିତ ବର୍ଷ ପୂଜାକୁ ଏପରି ନିଆରା ଢଙ୍ଗରେ ଭେଟିଦେବ ବରମୁଣ୍ଡା ଦୁର୍ଗାପୂଜା କମିଟି। ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ୧୨୦ ଫୁଟ ଓସାର ଏବଂ ୮୦ ଫୁଟ ଉଚ୍ଚର ଏହି ତୋରଣରେ ରୋଚକ ଅନୁଭବ ମିଳିବ। ଚଳିତ ବର୍ଷ କମିଟି ପକ୍ଷରୁ ପୂଜା ୧୯ ବର୍ଷରେ ପଦାର୍ପଣ କରିଥିବା ବେଳେ ପୂଜା ପାଇଁ ମୋଟ୍‌ ୨୮ ଲକ୍ଷ ଟଙ୍କା ବ୍ୟୟ କରାଯିବ। ଏଥିସହ ବରମୁଣ୍ଡା ଓଭରବ୍ରିଜ୍‌ରୁ କାଳୀମନ୍ଦିର ପର୍ଯ୍ୟନ୍ତ ୧୦ଟି ବଡ଼ ଏଲ୍‌ଇଡି ଆଲୁଅ ତୋରଣ ଏବଂ ୧୦୦ରୁ ଅଧିକ ଆଲୁଅ ଷ୍ଟ୍ରକ୍‌ଚର‌ରେ ଝଲସିବ। ମୁଖଶାଳାରୁ ଆଲୋକ ତୋରଣ ପର୍ଯ୍ୟନ୍ତ ୧୫ଲକ୍ଷ ଟଙ୍କା ଖର୍ଚ କରାଯିବ। ଏଥର ପୂଜା ମଣ୍ଡପରେ ୧୬ ଫୁଟର ମା’ଙ୍କ ମୃଣ୍ମୟ ମୂର୍ତି ପୂଜା ପାଇବେ। ରୂପା ଗହଣା ସମେତ ମା ରୂପା ମୁକୁଟ ପିନ୍ଧିବେ। ଭସାଣିରେ ପାରମ୍ପରିକ ଘଣ୍ଟଘଣ୍ଟା, ସଂକୀର୍ତନ, ଜାଗା ଆଖଡ଼ା, ଶିଙ୍ଘବାଜା, ବାଘନୃତ୍ୟ, ପାଞ୍ଚମଣ୍ଡଳ ବାଜା, ଘୋଡ଼ାନାଚ, ବୁଢ଼ାବୁଢ଼ି ନାଚ ଦେଖିବାକୁ ମିଳିବ। ପ୍ରାୟ ୩୦୦ ପାରମ୍ପରିକ କଳାକାର ସାମିଲ୍‌ ହେବେ। ଭସାଣି ଯାତ୍ରା ବରମୁଣ୍ଡାରୁ ବାହାରି ଖଣ୍ଡଗିରି-ଜାଗମରା-ମଲ୍ଲିକ କମ୍ପ୍ଲେକ୍ସ-ସିଟି ଓମେନ୍ସ କଲେଜ୍‌ ଦେଇ ଡେଲ୍‌ଟା ଛକରେ ପହଞ୍ଚିବା ପରେ କୁଆଖାଇକୁ ବିସର୍ଜନ ଅଭିମୁଖେ ଯିବ। ୭ମୀରୁ ୧୦ମୀ ପର୍ଯ୍ୟନ୍ତ ଭଜନ ଓ ମେଲୋଡ଼ି ସମେତ ତାରକାଙ୍କ ଦ୍ବାରା ନୃତ୍ୟ ପରିବେଷିତ ହେବ।

୭୫ ଫୁଟର ରାବଣ ପୋଡ଼ି

ବରମୁଣ୍ଡା ପଡ଼ିଆର ବ୍ୟାପକତା ଦୃଷ୍ଟିରୁ ଏଠାରେ ରାବଣ ପୋଡ଼ି ପାଇଁ ଅନୁମତି ମିଳିଛି। ପୂର୍ବ ବର୍ଷ ଭଳି ଏଥର ମଧ୍ୟ ୭୫ ଫୁଟର ରାବଣ ପୋଡ଼ି ଦେଖିବାକୁ ମିଳିବ। ଏଥିସହ ଆତସବାଜି ପ୍ରତିଯୋଗିତାର ଆୟୋଜନ କରାଯାଇଛି। ଏଥିପାଇଁ ପ୍ରାୟ ସାଢ଼େ ୩ଲକ୍ଷ ଟଙ୍କାର ବାଣ ଅଣାଯିବ। ବୁଦ୍ଧିପଡ଼ା, ବିଞ୍ଝାରପୁର, ପାତ୍ରପଡ଼ା, ପଦ୍ମପୁର ଆଦି ସ୍ଥାନରୁ ବାଣୁଆମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବାଣ ମାରିବେ।

ରାମଚନ୍ଦ୍ର ରଣସିଂହ (ସଭାପତି)

ତୋରଣରେ ଫାୟାର ରିଟାର୍ଡାଣ୍ଟ୍‌ ‌‌‌‌େସ୍ପ୍ର 

ବରମୁଣ୍ଡା ଦୁର୍ଗାପୂଜା କମିଟି ପକ୍ଷରୁ ଏଥର ତୋରଣରେ ଫାୟାର ରିଟାର୍ଡାଣ୍ଟ୍‌ ‌େସ୍ପ୍ର କରାଯିବ। ଫଳରେ ନିଆଁ ଲାଗିଲେ କିମ୍ବା ସଟ୍‌ସର୍କିଟ୍‌ ହେଲେ ମଧ୍ୟ ବଡ଼ଧରଣର ଅଗ୍ନିକାଣ୍ଡ ‌ହେବ ନାହିଁ। ଏଥିସହ ପୂଜା ବେଳେ ୧ ପ୍ଲାଟୁନ୍‌ ଏବଂ ଭସାଣି ଯାତ୍ରା ବେଳେ ୨ ପ୍ଲାଟୁନ୍‌ ପୁଲିସ୍‌ ନିୟୋଜିତ ହେବେ। ୧୦ଟି ସିଟିଟିଭି ଲଗାଯିବ। ଏଥିସହ ୩୦ ଜଣ ସ୍ବେଚ୍ଛାସେବୀ ସୁରକ୍ଷା ପାଇଁ ନିୟୋଜିତ ହେବେ।

ନରେନ୍ଦ୍ର ନାଥ ସାହୁ (ସମ୍ପାଦକ)

ସମ୍ବନ୍ଧିତ ଖବର