ବରମୁଣ୍ଡାର ଦୁଃଖ; ୮ ନମ୍ବର ଡ୍ରେନ୍‌

ଖଣ୍ଡଗିରି: ଭୁବନେଶ୍ୱର ମହାନଗର ନିଗମର ଡ୍ରେନ୍‌ ନମ୍ବର ୮ ବରମୁଣ୍ଡା ଅଞ୍ଚଳ ପାଇଁ ଦୁଃଖର କାରଣ ପାଲଟିଛି। ଏହି ଡ୍ରେନ୍‌କୁ କିଛି ପ୍ରଭାବଶାଳୀ ବ୍ୟକ୍ତି ଜବରଦଖଲ କରିଥିବାରୁ ଡ୍ରେନ୍‌ ପାଣି ସ୍ଥାନୀୟ ଲୋକଙ୍କ ଘରେ ପଶିବା ସହ ରାସ୍ତା ଉପରେ ଲହଡ଼ି ମାରୁଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ବହୁ ଲୋକଙ୍କ ଜୀବନଯାପନ ପ୍ରକ୍ରିୟା ବିପର୍ଯ୍ୟସ୍ତ ହୋଇପଡ଼ୁଛି। ବର୍ତ୍ତମାନ ଭୁବନେଶ୍ୱର ମହାନଗର ନିଗମ ରାଜଧାନୀର ବହୁ ଡ୍ରେନ୍‌କୁ ଜବରଦଖଲମୁକ୍ତ କରୁଛି, ଅଥଚ ବରମୁଣ୍ଡା ଦେଇ ଯାଇଥିବା ମୁଖ୍ୟ ୮ ନମ୍ବର ଡ୍ରେନ୍‌ ଉପରେ ନଜର ପକାଉ ନଥିବା ଅଭିଯୋଗ ହେଉଛି। ସୂଚନାନୁସାରେ ସିଆର୍‌ପି ଅଞ୍ଚଳରୁ ପାଇକନଗର ଦେଇ ଯାଇଥିବା ଏହି ଡ୍ରେନ୍‌ର ପ୍ରକୃତ ଓସାର ୫ ମିଟର। ମାତ୍ର ବରମୁଣ୍ଡାଠାରେ କିଛି ପ୍ରଭାବଶାଳୀ ବ୍ୟକ୍ତି ଏହି ଡ୍ରେନ୍‌କୁ ମାଡ଼ି ବସି ଏହା ଉପରେ ଗୃହ ନିର୍ମାଣ କରିଛନ୍ତି। ଜବରଦଖଲ ଯୋଗୁଁ ବରମୁଣ୍ଡା ଗାଁ ପଛପଟେ ଏହି ଡ୍ରେନ୍‌ର ଓସାର ସ୍ଥାନେ ସ୍ଥାନେ ଅଢ଼େଇ ମିଟର ଓ କିଛି ସ୍ଥାନରେ ଦୁଇ ମିଟର ହୋଇଯାଇଛି। ଫଳରେ ଅଧିକ ବର୍ଷ ହେବା ମାତ୍ରେ ଡ୍ରେନ୍‌ରେ ବର୍ଷା ଜଳ ନିଷ୍କାସନ ହୋଇପାରୁନି। ସ୍ଥାନୀୟ ଅଞ୍ଚଳର ପ୍ରାୟ ୧୦/୧୨ ଜଣଙ୍କ ଘରେ ଡ୍ରେନ୍‌ ପାଣି ପଶୁଛି। ସେହିଭଳି ଉଦ୍‌ବୃତ୍ତ ଡ୍ରେନ୍‌ ପାଣି ରାସ୍ତା ଉପରକୁ ମାଡ଼ି ଆସିବା ଫଳରେ ବରମୁଣ୍ଡା ଜାଗମରା ନୂଆ ସଡ଼କ ବୁଡ଼ି ଯାଉଛି। ବେଳେବେଳେ ଏହି ରାସ୍ତା ଡେଇଁ ପାଣି ସୌଭାଗ୍ୟନଗର ଓ ମଲ୍ଲିକ କମ୍ପ୍ଲେକ୍ସ ଆଦି ଅଞ୍ଚଳରେ କୃତ୍ରିମ ବନ୍ୟା ସୃଷ୍ଟି କରୁଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ପ୍ରତିବର୍ଷ ଏହି ସମସ୍ୟା ନେଇ ସେମାନେ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରି ଆସୁଛନ୍ତି। ମାତ୍ର ଏଥିପ୍ରତି କେହି କର୍ଣ୍ଣପାତ କରୁନାହାନ୍ତି। ସେମାନେ ସ୍ପଷ୍ଟଭାବେ ଅଭିଯୋଗ କରିଛନ୍ତି ଯେ, କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଚାପରେ ବିଏମ୍‌ସି କର୍ତ୍ତୃପକ୍ଷ ସ୍ଥାନୀୟ ଲୋକଙ୍କ ଅଭିଯୋଗକୁ ଚାପି ଦେଉଛନ୍ତି। ତେବେ ଚଳିତ ବର୍ଷ ବିଏମ୍‌ସି ବହୁ ଡ୍ରେନ୍‌କୁ ଜବରଦଖଲ ମୁକ୍ତ କରୁଥିବାରୁ ସ୍ଥାନୀୟ ଲୋକେ ଆଶାବାଦୀ ହୋଇ ପୁଣି ଥରେ ବିଏମ୍‌ସି କମିସନର୍‌ଙ୍କୁ ଏହି ସମସ୍ୟା ବାବଦରେ ଅଭିଯୋଗ କରିଛନ୍ତି। ବିଏମ୍‌ସି କର୍ତ୍ତୃପକ୍ଷଙ୍କ ସୂଚନାନୁସାରେ ରାଜଧାନୀର ସମସ୍ତ ଡ୍ରେନ୍‌ ଜବରଦଖଲ ମୁକ୍ତ ହେବ ଓ ଏହା କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ଜାରି ରହିଛି।

ସମ୍ବନ୍ଧିତ ଖବର