ବସ୍‌ ଷ୍ଟପ୍‌-ମୋ’ ବସ୍‌ ମଧ୍ୟରେ ବ୍ୟାରିକେଡ୍‌ ବାଧକ

ଭୁବନେଶ୍ବର: ଗତବର୍ଷ ନଭେମ୍ବର ୬ରୁ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ଭୁବନେଶ୍ବର, କଟକକୁ ମୋ’ ବସ୍‌ ସେବା ଆରମ୍ଭ ହୋଇଛି। ଦୈନିକ ପ୍ରାୟ ୬୦ ହଜାର ଲୋକ ଏଥିରେ ଯାତାୟାତ କଲେଣି। କିନ୍ତୁ ଏହାର ଭିତ୍ତିଭୂମି ଯେଉଁଭଳି ସୁଦୃଢ଼ ହେବା କଥା ହୋଇପାରୁନି। ମୋ ବସ୍‌ ରହିବା ପାଇଁ ରାଜଧାନୀରେ ପ୍ରାୟ ୮୦ଟି ବସ୍‌ କ୍ୟୁ ସେଲ୍‌ଟର ବା ବସ୍‌ଷ୍ଟପ୍ ନିର୍ମାଣ ହୋଇଥିବା ବେଳେ ଏଥିରେ ଏବେ ସୁଦ୍ଧା ‘ମୋ ବସ୍’ ସମ୍ପର୍କିତ ସୂଚନା ଉପଲବ୍ଧ ହେଉନି। ଏପରିକି ‘ମୋ ବସ୍‌’ ବହୁ ସ୍ଥାନରେ ଏହି ବସ୍‌ ଷ୍ଟପ୍ ନିକଟରେ ରହୁନି ଆଉ ଯେଉଁଠି ରହୁଛି ସେଠାରେ ଯାତ୍ରୀ ବସ୍‌ରେ ଚଢ଼ି ପାରୁନାହାନ୍ତି।

ଯାତ୍ରୀ ଓ ମୋ ବସ୍‌ ମଧ୍ୟରେ ଫୁଟପାଥ୍‌ରେ ଲାଗିଥିବା ଲୁହାବାଡ଼ ବାଧକ ସାଜିଛି। ଏବେ ରାଜଭବନରୁ ପଟିଆ, ବିମାନବନ୍ଦର ଛକରୁ ଆଚାର୍ଯ୍ୟ ବିହାର ଏବଂ ଶିଶୁ ଭବନରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତା ସମେତ ଆଉ କିଛି ରାସ୍ତାରେ ବସ୍‌ କ୍ୟୁ ସେଲ୍‌ଟର ନିର୍ମାଣ ଶେଷ ହୋଇଛି। ସ୍ମାର୍ଟ ଜନପଥକୁ ଛାଡ଼ିଦେଲେ ଅଧିକାଂଶ ରାସ୍ତାରେ ବସ୍‌ ଷ୍ଟପ୍ ପୂର୍ବରୁ ଥିବା ଫୁଟପାଥ୍ ପଛରେ ନିର୍ମାଣ ହୋଇଛି। ହେଲେ ଫୁଟପାଥ୍‌ରେ ଲାଗିଥିବା ଲୁହା ବାଡ଼କୁ କର୍ତ୍ତୃପକ୍ଷ କାଢ଼ି ପାରୁନାହାନ୍ତି। ଫଳରେ ଏହି ବସ୍‌ କ୍ୟୁ ସେଲ୍ଟରରେ ଛିଡ଼ା ହେଉଥିବା ଯାତ୍ରୀ ବସ୍‌ ଫେଲ୍ ହୋଇଯାଉଛନ୍ତିି। ଲୁହା ବାଡ଼ ଲାଗିଥିବା ବସ୍‌ କ୍ୟୁ ସେଲ୍ଟର ନିକଟରେ ଛିଡ଼ା ହେଲେ କେଉଁବାଟେ ବାହାରିବ ଭାବୁଭାବୁ ବସ୍‌ ଛାଡ଼ି ଦେଉଛି। ଯିଏ ତରବର ହୋଇ ‌ବସ୍‌ ଧରିବାକୁ ଯାଉଛନ୍ତି ସେ ରାସ୍ତାରେ ପଡ଼ି ଖଣ୍ଡିଆଖାବରା ହେଉଛନ୍ତି। ଏନେଇ କ୍ରୁଟ୍‌ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ହେଁ କିଛି ବି ପଦକ୍ଷେପ ନିଆଯାଉନି। କେବଳ ଏତିକି ନୁହେଁ, ଏହି ବସ୍‌ କ୍ୟୁ ସେଲ୍‌ଟରଗୁଡ଼ିକରେ ଲାଗିଥିବା ଲାଇଟ୍ ଅଧିକାଂଶ ସମୟରେ ଜଳୁ ନଥିବାରୁ ସଂଧ୍ୟା ପରେ ଏହା ପୂରା ଅନ୍ଧାର ରହୁଛି। ରାତି ୧୦ଟା ୩୦ ପର୍ଯ୍ୟନ୍ତ ବସ୍‌ ଚାଲୁଥିଲେ ହେଁ ଏହି ବସ୍‌ କ୍ୟୁ ସେଲ୍ଟରରେ ଯାତ୍ରୀଙ୍କ ବଦଳରେ ଅସାମାଜିକ ବ୍ୟକ୍ତିଙ୍କ ଆଡ଼ା ଜମୁଛି। ମୋ ବସ୍‌ ରାଜଧାନୀବାସୀଙ୍କ ଦ୍ବାରା ଆଦୃତ ହୋଇ ଆସୁଥିବା ବେଳେ କ୍ରୁଟ୍‌ କର୍ତ୍ତୃପକ୍ଷ ଯାତ୍ରୀଙ୍କୁ ମୌଳିକ ସୁବିଧା ସୁଯୋଗ ନ ଯୋଗାଇବା ଅନେକଙ୍କୁ ଚକିତ କରିଛି। ମୋ ବସ୍ ପାଇଁ ନିର୍ମାଣ ହୋଇଥିବା ବସ୍‌ କ୍ୟୁ ସେଲ୍ଟରଗୁଡ଼ିକରେ ଯାତ୍ରୀ ଛିଡ଼ା ନହେବା ଏବଂ ମୋ ବସ୍‌ ରାସ୍ତା‌େର ଯେଉଁଠୁ ମାନେ ସେଠାରୁ ଯାତ୍ରୀ ଉଠାଇବା ନେଇ କ୍ରୁଟ୍‌ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବାରୁ ଉତ୍ତର ମିଳିଛି ଯେ ଆମେ ଏନେଇ ଅବଗତ ଅଛୁ। କିନ୍ତୁ ଯାତ୍ରୀ ବସ୍‌ କ୍ୟୁ ସେଲ୍‌ଟର ଛିଡ଼ା ନହୋଇ ବିଭିନ୍ନ ଛକ ସ୍ଥାନରେ ଛିଡ଼ା ହେଉଛନ୍ତି। ଯାତ୍ରୀଙ୍କୁ ଛାଡ଼ି ତ ଯାଇ ହେବନି। ତେଣୁ ଯାତ୍ରୀ ଉଠାଇବା ପାଇଁ ବସ୍‌ ଯାତ୍ରୀଙ୍କ ନିକଟରେ ଅଟକୁଛି। ଖୁବ୍ ଶୀଘ୍ର ଏନେଇ ଯାତ୍ରୀ ଏବଂ ମୋ ବସ୍‌ ପାଇଲଟ୍‌ଙ୍କୁ ସଚେତନ କରାଯିବ ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର