ବିମାନବନ୍ଦର ମାଷ୍ଟରପ୍ଲାନ୍‌କୁ ବିଡିଏ ଅନୁମୋଦନ

ନିର୍ମାଣ ହେବ ୪ହଜାର ସିଟ୍‌ ବିଶିଷ୍ଟ କନଭେନସନ୍‌ ସେଣ୍ଟର, ତାରକା ହୋଟେଲ, ସପିଂ ମଲ୍‌, ଟି-୩ ଟର୍ମିନାଲ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ସମ୍ପ୍ରସାରଣ ସହ ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ, ସୌନ୍ଦର୍ଯ୍ୟକରଣ ଏବଂ ଭବିଷ୍ୟତର ଯୋଜନାକୁ ନେଇ ପ୍ରସ୍ତୁତ ହୋଇଥିବା ମାଷ୍ଟର ପ୍ଲାନ୍‌କୁ ବିଡିଏ ଅନୁମୋଦନ କରିଛି। ଏହାକୁ ବିଡିଏର ସିଡିପିରେ ସାମିଲ୍‌ କରାଯାଇଛି। ଏହାଦ୍ୱାରା ବିମାନବନ୍ଦରରେ କୌଣସି ଉନ୍ନତିମୂଳକ କାର୍ଯ୍ୟ ହେଲେ ବିଡିଏ ଆଉ କେଁ ପୂରାଇବନି। ସର୍ତ ରହିଛି ଯେ କୌଣସି ପ୍ରକଳ୍ପ କରିବା ପୂର୍ବରୁ ବିଏମ୍‌ସି ଓ ବିଡିଏର ଅନୁମତି ଆଣିବ। ଗତବର୍ଷ ବିମାନବନ୍ଦର କର୍ତୃପକ୍ଷ ବିମାନବନ୍ଦର ସମ୍ପ୍ରସାରଣ ପାଇଁ ଥିବା ଜମିରେ ହୋଟେଲ୍‌ ଓ ସପିଂ ମଲ୍‌ ନିର୍ମାଣ ପାଇଁ ଡିଜାଇନ୍‌ ପ୍ରସ୍ତୁତ କରିବା ପରେ ଟେଣ୍ଡର୍‌ ଆହ୍ଵାନ କରିଥିଲେ। ହେଲେ ଏଥିପାଇଁ ବିଡିଏର ଅନୁମତି ନିଆଯାଇ ନଥିଲା। ବିଡିଏର ସିଡିପି-୨୦୧୦ରେ ଏହି ଅଞ୍ଚଳ ପାଇଁ ଭିନ୍ନ ଯୋଜନା ଥିବାରୁ ଏହି ପ୍ରକଳ୍ପର ନିର୍ମାଣ ଉପରେ ରୋକ୍‌ ଲଗାଇବାକୁ ବିଡିଏ ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖିଥିଲା। ଏହାପରେ ସାଧାରଣ ପ୍ରଶାସନ ବିଭାଗ ଏହି ନିର୍ମାଣ ଉପରେ ରୋକ୍‌ ଲଗାଇଥିଲା। ବିମାନବନ୍ଦରର ଭିତ୍ତିଭୂମି ବିକାଶରେ ବିଡିଏ କେଁ ପୂରାଇବା ପରେ ବିମାନବନ୍ଦର କର୍ତୃପକ୍ଷଙ୍କ ମୁଣ୍ଡ ଚକ୍କର କାଟିଥିଲା। ଏହାପରେ ବିଡିଏ ପକ୍ଷରୁ କୁହାଯାଇଥିଲା ବିମାନବନ୍ଦରରେ କ’ଣ, କେଉଁଠି ଓ କିପରି ନିର୍ମାଣ ହେବ, କେତେ ଜମିରେ ହେବ, କ’ଣ କ’ଣ ଆନୁଷଙ୍ଗିକ ସୁବିଧା ଉପଲବ୍ଧ ହେବ ସେନେଇ ସବିଶେଷ ତଥ୍ୟ ନକ୍ସା ମାଧ୍ୟମରେ ଦିଅ। ଏହାସହ ରାଜ୍ୟ ସରକାର ଯେଉଁ ଯୋଜନା ପ୍ରସ୍ତୁତ କରିଛନ୍ତି ତାକୁ ବି ସାମିଲ୍‌ କର। ବିଡିଏରୁ ସବୁଜ ସଂକେତ ପାଇବା ପରେ ବିମାନବନ୍ଦର କର୍ତୃପକ୍ଷ ୫୪ଏକର ଜମିର ମାଷ୍ଟରପ୍ଲାନ୍‌ କରି ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ଅଧ୍ୟକ୍ଷଙ୍କୁ ପଠାଇଥିଲେ। ସେଠାରୁ ଏହା ଅନୁମୋଦନ ହେବା ପରେ ବିଡିଏକୁ ଅବଗତ କରାଯାଇଥିଲା। ଏହାପରେ ଗତ ମାସରେ ବିଡିଏ ଏହାକୁ ଅନୁମୋଦନ କରିଛି। ଏହାକୁ ବିଡିଏ ସିଡିପିରେ ସାମିଲ୍‌ କରାଯାଇଛି। ବିଡିଏ ବିମାନବନ୍ଦର ମାଷ୍ଟରପ୍ଲାନକୁ ଅନୁମୋଦନ କରିବା ପରେ ଏବେ ବିମାନବନ୍ଦର ସମ୍ପ୍ରସାରଣ ନେଇ ବିବାଦର ଅନ୍ତ ଘଟିଛି।

ବିମାନବନ୍ଦର ପାଇଁ ପ୍ରସ୍ତୁତ ହୋଇଥିବା ନୂଆ ଯୋଜନାରେ କାର୍‌ ପାର୍କିଂ ଅଞ୍ଚଳ ସମ୍ମୁଖ ରାସ୍ତାର ଅପରପାର୍ଶ୍ୱରେ ଥିବା ଅଞ୍ଚଳରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ହେବ। ଏଠାରେ ୫୪ଏକର ଜମି ଥିବାବେଳେ ସମସ୍ତ ଅଞ୍ଚଳ ପାଇଁ ଡିଜାଇନ୍‌ ପ୍ରସ୍ତୁତ ହୋଇଛି। ଯେଉଁ ୮ଏକର ଅଞ୍ଚଳ ନେଇ ବିଡିଏ କେଁ ପୂରାଇଥିଲା ତା’ର ଡିଜାଇନ୍‌ ପରିବର୍ତନ ହୋଇଛି। ଏଠାରେ ପୂର୍ବରୁ ସମସ୍ତ ଅଞ୍ଚଳରେ ହୋଟେଲ ନିର୍ମାଣ ହେବାକୁ ଥିଲେ ହେଁ ନୂଆ ଡିଜାଇନ୍‌ରେ ହୋଟେଲ ସହ ୪ହଜାର ସିଟ୍‌ ବିଶିଷ୍ଟ କନଭେନସନ୍‌ ସେଣ୍ଟର ନିର୍ମାଣ ହେବ। ଯାହା ଭୁବନେଶ୍ୱରରେ ସବୁଠୁ ବଡ଼ ସରକାରୀ ସମ୍ମିଳନୀ କକ୍ଷ ହେବ। ସେହିପରି ମୋଟ୍‌ ୫୪ଏକର ମଧ୍ୟରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ୩ରୁ ଅଧିକ ହୋଟେଲ ନିର୍ମାଣ ହେବ। ଏଥିପାଇଁ ଡିଜାଇନ୍‌ ପ୍ରସ୍ତୁତ ହୋଇଛି। ଏଥିରେ ଏବେ ହୋଟେଲ ପାଇଁ ୩ଏକର, ୫ଏକର ଏବଂ ୫ଏକର ଲେଖାଏଁ ଜମି ସଂରକ୍ଷିତ ରହିଛି। ଏହାବାଦ୍‌ ସପିଂ ମଲ୍‌ ଏବଂ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ ହେବ। ଏହି ସବୁ ହୋଟେଲ ତିନି ତାରକାରୁ ପଞ୍ଚ ତାରକା ବିଶିଷ୍ଟ ହେବ। ଏନେଇ ଅନ୍ତର୍ଜାତୀୟସ୍ତରର ବହୁ ହୋଟେଲ ସଂସ୍ଥା ମଧ୍ୟ ଆଗ୍ରହ ଦେଖାଇଛନ୍ତି।

ସେହିପରି ଟି-୧ ଟର୍ମିନାଲ ନିକଟରେ ଟି-୩ ଟର୍ମିନାଲ ନିର୍ମାଣ ହେବ। ଏହା ୫୮୦୦୦ ବର୍ଗମିଟର ଅଞ୍ଚଳରେ ନିର୍ମାଣ ହେବ। ଏହି ଟର୍ମିନାଲର ବାର୍ଷିକ ଯାତ୍ରୀ ଯାତାୟାତ କ୍ଷମତା ୬ମିଲିଅନ୍‌ ରହିବ। ଏହି ଟର୍ମିନାଲର ବିଶେଷତ୍ୱ ହେବ ଘଣ୍ଟାକରେ ଏକସଙ୍ଗେ ୨୯୦୦ ଯାତ୍ରୀ ଯାତାୟାତ କରିପାରିବେ। ଏହାସହ ୯ଟି ଏ-୩୨୦ ଏୟାରବସ୍‌ ବିମାନ ପାର୍କିଂ କରିବା ଭଳି ବ୍ୟବସ୍ଥା ରହିବ। ଏଥିପାଇଁ ସ୍ୱତନ୍ତ୍ର ଭାବେ ଅଗ୍ନିଶମ କେନ୍ଦ୍ର ବି ନିର୍ମାଣ ହେବ। ସଂପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଏବଂ ଅତ୍ୟାଧୁନିକ ସୁବିଧା ସୁଯୋଗ ଟର୍ମିନାଲ ଭାବେ ଏହାକୁ ନିର୍ମାଣ କରାଯିବ। ଏଥିପାଇଁ ୭୫୦କୋଟି ଟଙ୍କା ଖର୍ଚ୍ଚ ହେବ। ଏହାସହ ନିଉ ଟେକନିକାଲ୍‌ ବ୍ଲକ୍‌ ଏବଂ କଣ୍ଟ୍ରୋଲ ଟାଓ୍ଵାର , ଅଗ୍ନିଶମ କେନ୍ଦ୍ର ଏବଂ ଇଞ୍ଜିନିୟରିଂ ଓ ମରାମତି ଓ୍ଵାର୍କସପ୍‌ ନିର୍ମାଣ ହେବ।

ସମ୍ବନ୍ଧିତ ଖବର