ବାତ୍ୟା ପରେ ଖୋଲୁନି ବିଡିଏ ସିଟି ସେଣ୍ଟର, ପୂରା ବନ୍ଦ କରିବାକୁ ଯୋଜନା

ଭୁବନେଶ୍ବର: ବାତ୍ୟା ଫନିରେ ରାଜଧାନୀର ସବୁ ପାର୍କର ସବୁଜିମା ଉଜୁଡ଼ି ଯାଇଥିବାବେଳେ ରାଜ୍ୟର ଏକମାତ୍ର ଥିମ୍ ପାର୍କ ବିଡିଏ ସିଟି ସେଣ୍ଟର ଏକରକମ ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିଲା। ସିଟି ସେଣ୍ଟର ଭିତରେ ଥିବା ବହୁ ଗଛ ଉପୁଡ଼ି ପଡ଼ିବା ସହ ବହୁ ସାମଗ୍ରୀ ଭାଙ୍ଗି ଯାଇଥିଲା। ବାତ୍ୟାର ଦେଢ଼ ମାସ ଭିତରେ ବିଡିଏ ସିଟି ସେଣ୍ଟର ପୁଣି ପୂର୍ବାବସ୍ଥାକୁ ଫେରି ଆସିଛି। ହେଲେ ଏହାକୁ କର୍ତ୍ତୃପକ୍ଷ ସାଧାରଣ ଲୋକଙ୍କ ପାଇଁ ଖୋଲୁନାହାନ୍ତି। ଯାହାକୁ ନେଇ ଏବେ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋ‌ଷ ଦେଖାଦେଲାଣି। ବିଡିଏ ସିଟି ସେଣ୍ଟରର କର୍ମଚାରୀମାନେ କହିଛନ୍ତି ଯେ, ବାତ୍ୟାରେ ପ୍ରାୟ ୧କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବାବେଳେ ୧୫୦ଜଣ ନିୟମିତ ଓ ଠିକା କର୍ମଚାରୀ ଓ ଶ୍ରମିକମାନଙ୍କ ଅହରହ ଉଦ୍ୟମ ଦ୍ବାରା ସବୁ ସ୍ବାଭାବିକ ହୋଇପାରିଛି। ହେଲେ ଏହାର ପରିଚାଳନା ଦାୟିତ୍ବରେ ଥିବା ଘରୋଇ ସଂସ୍ଥା ସାଧାରଣ ଲୋକଙ୍କ ପାଇଁ ଏହାକୁ ଖୋଲୁନି। ଫଳରେ ଦୈନିକ ଶହଶହ ଲୋକ, ଛୋଟ ପିଲା ଏଠାକୁ ଆସି ଫେରୁଛନ୍ତି। ଆମେ ଯଦି ପାର୍କ ଖୋଲିବାକୁ କହୁଛୁ ତେବେ ଆମକୁ ଛଟେଇ କରିଦେବାକୁ ଧମକ ଦିଆଯାଉଛି। ଏହାବାଦ୍ ଆମକୁ ବି ଏପର୍ଯ୍ୟନ୍ତ ଦରମା ଦିଆଯାଉନି। ଫଳରେ ରାଜଧାନୀରେ ପରିବାର ନେଇ ଚଳିବା କଷ୍ଟକର ହୋଇଗଲାଣି।

ସିଟି ସେଣ୍ଟର କର୍ତ୍ତୃପକ୍ଷଙ୍କ ମନମାନି ନେଇ ଆମେ ନଗର ଉନ୍ନୟନ ମନ୍ତ୍ରୀ, ବିଡିଏ ଉପାଧ୍ୟକ୍ଷ, ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିବା ସହ ତୁରନ୍ତ ପାର୍କ ଖୋଲିବାକୁ ପଦକ୍ଷେପ ନେବାକୁ କହିଛୁ। ହେଲେ କେହି ଆମ କଥା ଶୁଣୁନାହାନ୍ତି। ଅପରପକ୍ଷେ ଜାଣିବାକୁ ମିଳିଛି ଯେ, ଏହି ପାର୍କକୁ ପିପିପି ମୋଡରେ ଚଳାଉଥିବା ସିଟି ସେଣ୍ଟର କର୍ତ୍ତୃପକ୍ଷ ଏହାକୁ ବିଡିଏକୁ ସଂପୂର୍ଣ୍ଣ ଭାବେ ହସ୍ତାନ୍ତର କରିବାକୁ ୨୦୧୫ରୁ ଉଦ୍ୟମ ଚଳାଇଛନ୍ତି। ହେଲେ ଚୁକ୍ତି ଅନୁଯାୟୀ ସମୟ ପୂରି ନଥିବାରୁ ବିଡିଏ ଏହାକୁ ତରବରିଆ ଭାବେ ନେବାକୁ ଚାହୁଁନି। ଅପରପକ୍ଷେ ବିଡିଏର ଏଥିରେ ୪୯% ଅଂଶଧନ ଥିବାବେଳେ ବିଡିଏ ମଧ୍ୟ ଏହି ଥିମ୍‌ ପାର୍କକୁ ସଂପୂର୍ଣ୍ଣ ଭାବେ ନେଇ ଏହାର ରୂପ ବଦଳାଇବାକୁ ଯୋଜନା କରିଥିଲା। ଏଥିରେ ପ୍ରାୟ ୧୦୦କୋଟିର ପୁଞ୍ଜି ଖଟା‌ଇ ଭିନ୍ନ ରୂପ ଦେବାକୁ ଯୋଜନା କରିଥିଲା। କିନ୍ତୁ ବିଡିଏର ଯୋଜନା ଏବଂ ଘରୋଇ ସଂସ୍ଥାର କର୍ତ୍ତୃପକ୍ଷଙ୍କ ଛାଡ଼ିବାର ପ୍ରଚେଷ୍ଟା ମଧ୍ୟରେ ଏବେ ନା ରାଜଧାନୀବାସୀ ଏଠାରେ ସବୁ ସୁବିଧା ସୁଯୋଗ ପାଉଛନ୍ତି ନା କର୍ମଚାରୀମାନେ ଏଠାରେ ନିଜକୁ ସୁରକ୍ଷିତ ମଣୁଛନ୍ତି।

ସମ୍ବନ୍ଧିତ ଖବର