ବିଡିଏ ସିଟି ସେଣ୍ଟର୍‌ ହେବ ଆମ୍ୟୁଜ୍‌ମେଣ୍ଟ ପାର୍କ

ଭୁବନେଶ୍ୱର : ଘରୋଇ ସଂସ୍ଥା ଓ ବିଡିଏ ସହଭାଗୀତାରେ ଥିବା ବିଡିଏ ସିଟି ସେଣ୍ଟର୍‌ ଏବେ ସଂପୂର୍ଣ୍ଣ ଭାବେ ବିଡିଏ ଅଧୀନକୁ ଆସିବ। ଏହାପରେ ଏହାର ନବକଳେବର ହେବ। ପ୍ରାୟ ୧୦୦କୋଟି ଟଙ୍କା ପୁଞ୍ଜିନିବେଶ କରି ବିଡିଏ ସିଟି ସେଣ୍ଟର୍‌କୁ ଅତ୍ୟାଧୁନିକ ଆମ୍ୟୁଜମେଣ୍ଟ ପାର୍କରେ ପରିଣତ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି।

ରାଜଧାନୀର ପ୍ରମୁଖ ଅଞ୍ଚଳରେ ଥିବା ଏହି ପାର୍କର ଉନ୍ନତିକରଣ ଉପରେ ଏହି ବୈଠକରେ ଆଲୋଚନା ହୋଇଥିଲା। ବର୍ତ୍ତମାନ ଏହି ପାର୍କକୁ ନେଇଥିବା ଘରୋଇ ସଂସ୍ଥା ସହ ବିଡିଏର ହୋଇଥିବା ଚୁକ୍ତି ଅନୁଯାୟୀ ଏହାର ବିକାଶ କରିବା ସମ୍ଭବ ନଥିବାରୁ ବିଡିଏ ନିଜ ଅଧୀନକୁ ସମ୍ପୂର୍ଣ୍ଣ ଭାବେ ଏହି ପାର୍କକୁ ଆଣିବ। ଏହାପରେ ଏହାକୁ ଅନ୍ତର୍ଜାତୀୟସ୍ତରର ପାର୍କରେ ପରିଣତ କରାଯିବ ବୋଲି ସ୍ଥିର ହୋଇଛି।

ବିଡିଏ ସିଟି ସେଣ୍ଟର୍‌କୁ ପିପିପି ମୋଡ୍‌ରେ ଆମ୍ୟୁଜମେଣ୍ଟ ପାର୍କରେ ପରିଣତ କରାଯିବ। ବମ୍ବେ, ପୁଣେ, ଅହମ୍ମଦାଦବାଦରେ ଥିବା ଆମ୍ୟୁଜମେଣ୍ଟ ପାର୍କ ଭଳି ଏହାକୁ ନିର୍ମାଣ କରାଯିବ। ଏଠାରେ ଥିବା ହ୍ରଦର ପାଣିକୁ ବିଶୋଧନ କରିବା ସହ ବୋଟିଂ, ଫାଉଣ୍ଟେନ୍‌, ଜଳ କ୍ରୀଡ଼ା କରାଯିବ। ଏହାବ୍ୟତୀତ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସବୁ ବର୍ଗର ବ୍ୟକ୍ତିଙ୍କ ମନୋରଂଜନ ପାଇଁ ଏଠାରେ ବିଭିନ୍ନ ସାମଗ୍ରୀ ରହିବ। ଏଥିପାଇଁ ୧୦୦କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ଘରୋଇ ସଂସ୍ଥା ୫୦%, ବିଡିଏ ୫୦% ଅଂଶଧନ ଲଗାଇବ। ଲାଭ ମଧ୍ୟ ସେହି ଅନୁସାରେ ଭାଗ ହେବ।

ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ଯେଉଁ ସଂସ୍ଥା ବିଡିଏ ସିଟି ସେଣ୍ଟର୍‌ ଚଳାଉଛି ତାହା ସହ ହୋଇଥିବା ଚୁକ୍ତିରେ ଏହାର ବିକାଶ ନେଇ ବିଶେଷ କିଛି ଯୋଜନା ନାହିଁ। ଏପରିକି କେତେ ଅଞ୍ଚଳ ବିକଶିତ ହେବ, ହ୍ରଦରେ ଥିବା ପାଣିର ମାନ କିପରି ରହିବ, କ’ଣ କ’ଣ ସୁବିଧା ସୁଯୋଗ ଯୋଗାଇବାକୁ ବାଧ୍ୟ ତାହା ନାହିଁ। ଯେଉଁଥିପାଇଁ ଆମେ ପିପିପି ମୋଡ୍‌ରେ ଏହାର ବିକାଶ କରିବୁ। ଏନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ପଠାଯାଇଛି। ସରକାର ଏହାକୁ ଅନୁମୋଦନ କଲେ ଆମେ ବିଡିଂ କରି ଆରଏଫ୍‌ପି ପ୍ରସ୍ତୁତ କରିବୁ। ଏହାପରେ ଜାତୀୟ/ଅନ୍ତର୍ଜାତୀୟ ସ୍ତରର ସଂସ୍ଥା ସହ ସହଭାଗିତାରେ ଆମେ ଏହାକୁ ଆମ୍ୟୁଜମେଣ୍ଟ ପାର୍କରେ ପରିଣତ କରିବୁ।

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବିଡିଏ ଉପାଧ୍ୟକ୍ଷ କ୍ରିଷନ କୁମାର ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର