ଭୁବନେଶ୍ବର : ବେଆଇନ ଭାବେ ପାର୍କିଂ ଫି’ ଆଦାୟ ନ କରିବା ନେଇ ଆଜି ବିଡିଏ ପକ୍ଷରୁ ରାଜଧାନୀର ୯ଟି ଘରୋଇ ହସ୍ପିଟାଲକୁ ନୋଟିସ୍ କରାଯାଇଛି। ଏହାସହ ହସ୍ପିଟାଲଗୁଡ଼ିକୁ ମାଗଣାରେ ପାର୍କିଂ ସୁବିଧା ଯୋଗାଇବାକୁ କୁହାଯାଇଛି। ନିୟମ ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଡିଏ ପକ୍ଷରୁ କୁହାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବିଡିଏ ନୋଟିସ ପାଇବା ପୂର୍ବରୁ ଘରୋଇ ହସ୍ପିଟାଲଗୁଡ଼ିକ ପାର୍କିଂ ଫି’ ଆଦାୟ ବନ୍ଦ କରିଦେଇଥିବା ଦେଖିବାକୁ ମିଳିଛି। ବିଡିଏ ପକ୍ଷରୁ ଆଜି ଆପୋଲୋ, କେୟାର, ବିବେକାନନ୍ଦ, ଶ୍ରୀ ହସ୍ପିଟାଲ, ବିଆର୍ କଳିଙ୍ଗ, ଆମ୍ରି, ସମ୍, କିମ୍ସ, କର ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନୋଟିସ୍ ହୋଇଥିବା ବିଡିଏ ସୂତ୍ରରୁ ଜାଣିବାକୁ ମିଳିଛି। ବାକି କିଛି ହସ୍ପିଟାଲକୁ ସୋମବାର ନୋଟିସ୍ କରାଯିବ।
ହେଲେ ବିଡିଏ କର୍ତ୍ତୃପକ୍ଷ କ୍ୟାପିଟାଲ ହସ୍ପିଟାଲରେ ଚାଲିଥିବା ପାର୍କିଂ ଫି’ ଉପରେ ରୋକ୍ ଲଗାଇ ପାରିନାହିଁ। ରାଜଧାନୀରେ ସବୁ ହସ୍ପିଟାଲରେ ପାର୍କିଂ ଫି’ ଆଦାୟ ଉପରେ ରୋକ୍ ଲାଗିଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ କାହିଁକି ଫି’ ଦେବୁ ବୋଲି ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ଆଜି ପାର୍କିଂ କର୍ମଚାରୀଙ୍କୁ ପ୍ରଶ୍ନ କରିଥିଲେ। କିନ୍ତୁ ପାର୍କିଂ ଫି’ ଗଣିବାକୁ ପଡ଼ିଥିଲା। ପାର୍କିଂ କର୍ମଚାରୀଙ୍କ ଉତ୍ତର ଥିଲା ଯେ ଆମେ ସରକାରୀ ଟେଣ୍ଡର ପାଇଛୁ। ଟେଣ୍ଡର୍ ଟଙ୍କା ଜମା କରିଛୁ। ଆମେ କାହିଁକି ପାର୍କିଂ ଫି’ ଆଦାୟ ବନ୍ଦ କରିବୁ।
ଏନେଇ ବିଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଯେଉଁମାନେ ଆମଠାରୁ ଅନୁମତି ନେଇ ଘର କିମ୍ବା ବ୍ୟାବସାୟିକ ପ୍ରତିଷ୍ଠାନ ନିର୍ମାଣ କରିଛନ୍ତି, ସେମାନଙ୍କୁ ପାର୍କିଂ ଫି’ ଆଦାୟ ନକରିବା ନେଇ ଆମେ ନିୟମ କରିଛୁ। କ୍ୟାପିଟାଲ ହସ୍ପିଟାଲ ନିର୍ମାଣ ପାଇଁ ଆମେ ଅନୁମତି ଦେଇନୁ। ତେଣୁ ଆମେ କିଛି କରିପାରିବୁନି। ବିଏମ୍ସି କିମ୍ବା ସ୍ବାସ୍ଥ୍ୟ ବିଭାଗ ଏହା ଉପରେ ଯାହା କାର୍ଯ୍ୟାନୁଷ୍ଠାନ ନେବେ।
କ୍ୟାପିଟାଲ ହସ୍ପିଟାଲରେ ଯେଉଁଠି ପାର୍କିଂ ଫି’ ଆଦାୟ ହେଉଛି ସେଠାରେ ଲେଖା ହୋଇଛି ଯେ କ୍ୟାପିଟାଲ ହସ୍ପିଟାଲ ୧୦୦ ଶଯ୍ୟା ବିଶିଷ୍ଟ ଏମ୍ସିଏଚ୍ କୋଠା ସାଇକେଲ୍ ଷ୍ଟାଣ୍ଡ-୨। ଏଠାରେ ସାଇକେଲ୍ ତ ରହୁନି ବରଂ ରହୁଛି ବାଇକ୍ ଓ କାର୍। ଏ ବାବଦକୁ ପାର୍କିଂ ଫି’ ଆଦାୟ ହେଉଛି। ଏହି ଏମ୍ସିଏଚ୍ ବିଲଡିଂ କିଛି ବର୍ଷ ତଳେ ନିର୍ମାଣ ହୋଇଥିବା ବେଳେ ଏହାର ନିର୍ମାଣ ପାଇଁ କ’ଣ ବିଡିଏ ପ୍ଲାନ୍ ମଞ୍ଜୁର କରି ନ ଥିଲା ବୋଲି ପ୍ରଶ୍ନ ଉଠିଲାଣି। ଯଦି ପ୍ଲାନ୍ ମଞ୍ଜୁର କରିଥିଲା, ତେବେ କାହିଁକି ପାର୍କିଂ ଫି’ ଆଦାୟ କରିବ? ଯଦି ପ୍ଲାନ୍ ମଞ୍ଜୁର କରିନି ତେବେ ବିନା ପ୍ଲାନ୍ରେ ନିର୍ମାଣ ହୋଇଥିବା ଏହି ସୁଉଚ୍ଚ କୋଠାକୁ କାହିଁକି ସିଲ୍ କରାଯାଉନି?
ବେସରକାରୀ କୋଠା ପାଇଁ ବିଡିଏର ଗୋଟିଏ ନିୟମ ଏବଂ ସରକାରୀ କୋଠା ପାଇଁ ବିଡିଏର ଭିନ୍ନ ନିୟମ କାହିଁକି?