ବିଶ୍ୱକପ୍‌ ହକି ପୂର୍ବରୁ ରାଜଧାନୀରେ ଗଡ଼ିବ ୩୦୦ ସିଟିବସ୍‌

କ୍ୟାପିଟାଲ୍‌ ରେଜିଅନ୍‌ ଅର୍ବାନ୍‌ ଟ୍ରାନ୍ସପୋର୍ଟର ଆଧୁନିକୀକରଣ

ଭୁବନେଶ୍ୱର: ଆଗାମୀ ନଭେମ୍ବର ମାସରେ ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ବିଶ୍ୱକପ୍‌ ହକି। ଏହାକୁ ଆଖି ଆଗରେ ରଖି ଭୁବନେଶ୍ୱର, କଟକ, ପୁରୀ ସହରକୁ ଗଠିତ କ୍ୟାପିଟାଲ୍‌ ରେଜିଅନ୍‌ ଅର୍ବାନ୍‌ ଟ୍ରାନ୍ସପୋର୍ଟର ଆଧୁନିକୀକରଣ କାର୍ଯ୍ୟ ତ୍ୱରାନ୍ଵିତ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏହି ପ୍ରକ୍ରିୟାରେ ଭୁବନେଶ୍ୱରରେ ଆହୁରି ୩୦୦ ସିଟି ବସ୍‌ ଚଳାଚଳ କରିବ। ଏଥିପାଇଁ ୨ଟି ନୂଆ ଅପରେଟର୍‌ଙ୍କୁ ନିୟୋଜିତ କରାଯାଇଛି। ଭୁବନେଶ୍ୱରର ପଟିଆ ଓ ପାତ୍ରପଡ଼ାରେ ସିଟି ବସ୍‌ ପାଇଁ ୨ଟି ନୂଆ ଡିପୋ ସ୍ଥାପନ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।

ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଉପରୋକ୍ତ ନିଷ୍ପତ୍ତିମାନ ନିଆଯାଇଛି। ବୈଠକରେ ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ(ବିଡିଏ) ଉପାଧ୍ୟକ୍ଷ ଡ. କ୍ରିଷନ୍‌ କୁମାର ପ୍ରସ୍ତାବିତ ଆଧୁନିକୀକରଣ ନେଇ ଉପସ୍ଥାପନା କରିଥିଲେ। ବୈଠକର ନିଷ୍ପତ୍ତି ଅନୁଯାୟୀ କ୍ୟାପିଟାଲ୍‌ ରେଜିଅନ୍‌ ଅର୍ବାନ୍‌ ଟ୍ରାନ୍ସପୋର୍ଟ ତରଫରୁ ସିଟି ବସ୍‌ ଚଳାଚଳ ପରିଚାଳନା ପାଇଁ ୨ଟି ଅପରେଟର୍‌ ସଂସ୍ଥାଙ୍କୁ ନିୟୋଜିତ କରାଯାଇଛି। ସେହି ସଂସ୍ଥାଗୁଡ଼ିକ ହେଉଛନ୍ତିି ନର୍ବଦା ଟ୍ରାଭେଲ୍ସ ଓ ଟ୍ରାଭେଲ୍‌ ଟାଇମ୍‌। ବିଶ୍ୱକପ୍‌ ହକି ପୂର୍ବରୁ ଏହି ଅପରେଟର୍‌ ସଂସ୍ଥା ଦ୍ୱୟଙ୍କୁ ୩୦୦ ସଂଖ୍ୟକ ସିଟି ବସ୍‌ ଚଳାଚଳ କରିବାକୁ ଦାୟିତ୍ୱ ଦିଆଯାଇଛି। ସେହିପରି ସିଟି ବସ୍‌ ପରିଚାଳନା ପାଇଁ ୨ଟି ପ୍ୟାକେଜ୍‌ ପ୍ରସ୍ତୁତ ହୋଇଛି। ପ୍ରଥମ ପ୍ୟାକେଜ୍‌ରେ ୫୦ଟି ଷ୍ଟାଣ୍ଡାର୍ଡ ଏୟାର କଣ୍ଡିସନ୍‌ଡ(ଏସି) ବସ୍‌ ଓ ୫୦ଟି ସାଧାରଣ ଷ୍ଟାଣ୍ଡାର୍ଡ ବସ୍‌ ଅଣାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୨୯ ସିଟ୍‌ ବିଶିଷ୍ଟ ୧୦୦ଟି ମିଡି ବସ୍‌ ଅଣାଯିବ। କେବଳ ସେତିକି ନୁହେଁ, କଟକରୁ ୩୦ଟି ବସ୍‌ ଅଣାଯାଇ ଏଠାରୁ ବସ୍‌ ଯାତାୟାତ କରିବ। ପରବର୍ତୀ ଅବସ୍ଥାରେ ବାଲେଶ୍ୱରରୁ ବି ୧୦ଟି ବସ୍‌ ଆସିବ। ବର୍ତମାନ ଏଠାରେ ପ୍ରାୟ ୧୧୦ଟି ସିଟି ବସ୍‌ ଚଳାଚଳ କରୁଛି। ଏହିରୂପେ ବିଶ୍ୱକପ୍‌ ହକି ଆୟୋଜନ ପୂର୍ବରୁ ପ୍ରାୟ ୩୦୦ ବସ୍‌ ପ୍ରସ୍ତୁତ ହୋଇପାରିବ ବୋଲି ସୂଚନା ମିଳିଛି। ସେସବୁ ବସ୍‌ ଭୁବନେଶ୍ୱର, ପୁରୀ, କଟକର ମାଷ୍ଟରପ୍ଲାନ ଅଞ୍ଚଳଗୁଡ଼ିକୁ ଚଳାଚଳ କରିବ। ସେ ନେଇ ରୁଟ୍‌ ପ୍ରସ୍ତୁତି ଖୁବଶୀଘ୍ର ହେବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା।

ସମ୍ବନ୍ଧିତ ଖବର