ହୋଟେଲ୍‌ରୁ ବଙ୍ଗୀୟ ଯୁବକ ଓ ମହିଳାଙ୍କ ମୃତଦେହ ଜବତ

ଫୋନ୍‌ କଲ ଯାଞ୍ଚ କରୁଛି ପୁଲିସ, କୋଲକାତା ପୁଲିସ ସହିତ ଯୋଗାଯୋଗ

ଭୁବନେଶ୍ୱର: ଗୁରୁବାର ସନ୍ଧ୍ୟାରେ ଅଶୋକନଗର ସ୍ଥିତ ହୋଟେଲ୍‌ ସେନାପତି ପ୍ୟାଲେସ୍‌ରୁ କ୍ୟାପିଟାଲ ଥାନା ପୁଲିସ ଜଣେ ବଙ୍ଗୀୟ ଯୁବକ ଓ ବିବାହିତ ମହିଳାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଜବତ କରିଛି। ସେମାନେ ହେଲେ କୋଲକାତା ହାଓ୍ଵଡ଼ା ଶ୍ୟାମପୁର ଅଞ୍ଚଳର ଶୁଭଙ୍କର ମାଝୀ(୨୬) ଓ ଟୁମ୍ପାରାଣୀ ପାଖିରା(୩୫)। ପୁଲିସ ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଉଭୟଙ୍କ ବିଷୟରେ ଅଧିକ ଜାଣିବା ପାଇଁ ପଶ୍ଚିମବଙ୍ଗ ପୁଲିସ ସହିତ ଯୋଗାଯୋଗ କରାଯାଉଛି। ହୋଟେଲ୍‌ ମ୍ୟାନେଜର୍‌ ଜିତେନ୍ଦ୍ର ପ୍ରଧାନଙ୍କ ସୂଚନା ଅନୁଯାୟୀ, ଉଭୟ ୨୨ତାରିଖ ସକାଳେ ହୋଟେଲ୍‌କୁ ଆସିଥିଲେ। ରୁମ୍‌ ନମ୍ବର ୧୧୪ରେ ରହିଥିଲେ। ଦୁଇ ଦିନ ଧରି ସେମାନେ ଅଧିକାଂଶ ସମୟ ବାହାରେ ବିତାଇଥିଲେ। ଏମିତିକି ହୋଟେଲ୍‌ରେ ନ ଖାଇ ବାହାରେ ଖାଉଥିଲେ। ମାତ୍ର ୨୪ ତାରିଖ ପୂର୍ବାହ୍ଣରେ ଝାଡ଼ୁଦାର ରୁମ୍‌ ସଫା ପାଇଁ କବାଟ ବାଡ଼େଇଥିଲେ। ହେଲେ କେହି ଜବାବ ଦେଇ ନଥିଲେ। ଏପରିକି ଅପରାହ୍ଣ ପର୍ଯ୍ୟନ୍ତ ରୁମ୍‌ ଖୋଲା ହୋଇ ନଥିଲା। ଫଳରେ ମ୍ୟାନେଜର ଶ୍ରୀ ପ୍ରଧାନଙ୍କ ସନ୍ଦେହ ହେବାରୁ ସେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ହୋଟେଲ୍‌ରେ ପହଞ୍ଚି ଫ୍ୟାନ୍‌ରେ ଝୁଲୁଥିବା ଅବସ୍ଥାରେ ଉଭୟଙ୍କ ଶବ ଜବତ କରିଥିଲା। ପୁଲିସ ସାଇଣ୍ଟଫିକ୍‌ ଟିମ୍‌ ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଏନେଇ କ୍ୟାପିଟାଲ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ସେମାନେ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା କରାଯାଇଛି? ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ପୁଲିସ ଉଭୟଙ୍କ ମୋବାଇଲ୍‌ ଫୋନ୍‌ର କଲ୍‌ ଲିଷ୍ଟ ଯାଞ୍ଚ କରୁଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଯାହାକିଛି କୁହାଯାଇ ପାରିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର