‌‌‌ବେଙ୍ଗାଲୁରୁ ଶ୍ରୀଜଗନ୍ନାଥ ମନ୍ଦିରରେ ଧର୍ମସଭା: କର୍ଣ୍ଣାଟକର ସନ୍ଥଙ୍କ ପ୍ରେରଣା ଭୂମି ଶ୍ରୀଜଗନ୍ନାଥ ପୀଠ

ଭୁବନେଶ୍ୱର: ସନାତନ ଧର୍ମର ପ୍ରମୁଖ କ୍ଷେତ୍ର ଭାବେ ପରିଚିତ କର୍ଣ୍ଣାଟକ ମହାନ ସନ୍ଥମାନଙ୍କୁ ଜନ୍ମ ଦେଇ ସମଗ୍ର ବିଶ୍ବ ପାଇଁ ଏକ ମହାନ କୀର୍ତ୍ତି ସ୍ଥାପନ କରିଛି। କର୍ଣ୍ଣାଟକରେ ଜଗତଗୁରୁ ଆଦିଶଙ୍କରାଚାର୍ଯ୍ୟ, ବିଶିଷ୍ଟ ଦ୍ବୈତମତର ପ୍ରବର୍ତ୍ତକ ରାମାନୁଜାଚାର୍ଯ୍ୟ ଏବଂ ଦ୍ବୈତମତର ପ୍ରବର୍ତ୍ତକ ମାଧ୍ବାଚାର୍ଯ୍ୟ ସନାତନ ଧର୍ମକୁ ପ୍ରଚାରପ୍ରସାର କରାଇଥିଲେ। ଏହି ସବୁ ମତବାଦକୁ ସମନ୍ବୟ କରୁଥିବା ଶ୍ରୀଜଗନ୍ନାଥ ସଂସ୍କୃତି ସର୍ବମତର ସମନ୍ବୟ କରି ମାନବ ଧର୍ମର ବାର୍ତ୍ତା ପ୍ରଚାର କରିଛି। ମଙ୍ଗଳବାର ସଂଧ୍ୟାରେ ବେଙ୍ଗାଲୁରୁ ନଗରୀର ସହକାର ନଗରସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଆଧ୍ୟାତ୍ମିକ ସମାରୋହରେ ଉଦାସପନ୍ଥାର ପ୍ରମୁଖ ଆଚାର୍ଯ୍ୟ ବ୍ରହ୍ମଚାରୀ ରବୀନ୍ଦ୍ରନାଥ ଦାସ ଏବଂ ବିଶିଷ୍ଟ ସାମ୍ବାଦିକ ତଥା ପ୍ରବକ୍ତା ଅରୁଣ କୁମାର ପଣ୍ଡା ଏପରି ମତବ୍ୟକ୍ତ କରିଛନ୍ତି।କାର୍ଯ୍ୟକ୍ରମରେ ସହସ୍ରାଧିକ ପ୍ରବାସୀ ଓଡ଼ିଆ ଯୋଗଦେଇ ରବି ବାବା ଏବଂ ତାଙ୍କ ସହ ଆସିଥିବା ଶତାଧିକ ଭକ୍ତଙ୍କୁ ସ୍ବାଗତ କରିଥିଲେ। ସଭାରେ ବେଙ୍ଗାଲୁରୁର ବିଶିଷ୍ଟ ସମାଜସେବିକା ତଥା କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡ଼ାଙ୍କ ଧର୍ମପତ୍ନୀ ଦତ୍ତି ଗୌଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂଜ୍ୟ ବାବା ଏବଂ ଶ୍ରୀ ପଣ୍ଡାଙ୍କୁ ବେଙ୍ଗାଲୁରୁବାସୀଙ୍କ ତରଫରୁ ଅଭିବାଦନ ଜଣାଇଥିଲେ। ଜଗନ୍ନାଥ ମନ୍ଦିରର ଅନ୍ୟତମ ପ୍ରତିଷ୍ଠାତା ନୀଳମଣି ବେଉରା, ମନ୍ଦିର ଟ୍ରଷ୍ଟ ସଭାପତି ଗଙ୍ଗାଧର ମହନ୍ତ, ଜିତେନ୍ଦ୍ର ରାଉତ, ପବିତ୍ର ନାୟକ, ରାମଚନ୍ଦ୍ର ସେଠୀ, ବବ୍ରୁବାହନ ବିଶ୍ବାଳ, ସୁବାସ ପରିଡ଼ା, କାର୍ତ୍ତିକ ନାୟକ, ଅଜୟ ସୂତାର ପ୍ରମୁଖ ମନ୍ଦିରର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ବିଶିଷ୍ଟ ପଣ୍ଡିତ ଖଗେଶ୍ୱର ରଥ, ସମାଜସେବୀ ମହେଶ୍ବର ପୃଷ୍ଟି, ଉଦାସ ଆଶ୍ରମର ସଚିବ ସତ୍ୟ ରଂଜନ ଦାସ, ବିଶିଷ୍ଟ କବି ଜୟନ୍ତୀ ଦାଶ, ଅବସରପ୍ରାପ୍ତ ପ୍ରଶାସକ ସୁଧାଂଶୁ ଶେଖର ନାୟକ ପ୍ରମୁଖ ଓଡ଼ିଶାରୁ ସାତ ଦିନିଆ ଦକ୍ଷିଣ ଭାରତ ଆଧ୍ୟାତ୍ମିକ ଅଭିଯାନରେ ଏଠାକୁ ଆସିଛନ୍ତି।

ସମ୍ବନ୍ଧିତ ଖବର