ସଂଭାବନା ପକ୍ଷରୁ ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତା

ଭୁବନେଶ୍ୱର : ଓଡ଼ିଆର ପ୍ରଥା, ପରମ୍ପରା, ପରିଚୟ, ଭାଷା ଓ ସଂସ୍କୃତିକୁ ବଞ୍ଚାଇ ରଖିବା ତଥା ଏହାର ପ୍ରଚାର ପ୍ରସାର ପାଇଁ ‘ସଂଭାବନା’ ପକ୍ଷରୁ ପ୍ରତିବର୍ଷ ଆୟୋଜିତ ହେଉଛି ଓଡ଼ିଆ ମହତ୍ସୋବ ତଥା ଏହାର ମୁଖ୍ୟ ଆକର୍ଷଣ ‘ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତା’। ଚଳିତ ବର୍ଷ ମଧ୍ୟ ଏହା ଗତ ୧ତାରିଖଠାରୁ ଆରମ୍ଭ ହୋଇଯାଇଛି। ଝୋଟି, ପିଠା, ଓଡ଼ିଆ ତିଅଣ, ମୁରୁଜ, ଢଗଢମାଳି, ଶଙ୍ଖ ଫୁଙ୍କା, ହୁଳହୁଳି, ପୁରାଣ ଆବୃତ୍ତି, ପାରମ୍ପରିକ ସଂଗୀତ, ଓଡ଼ିଆ ଭାଷାଜ୍ଞାନ ଓ ଓଡ଼ିଆ ବେଶଭୂଷାକୁ ନେଇ ଓଡ଼ିଆଣୀଙ୍କ ଭିତରେ ପ୍ରତିଯୋଗିତା କରାଯାଇଥାଏ।

ଆସନ୍ତା ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ଏକାମ୍ର ହାଟଠାରେ ଏହାର ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହେବ। ଆଜି ହୋଟେଲ କେଶରୀଠାରେ ଆୟୋଜିତ ଏକ ସାମ୍ମାଦିକ ସମ୍ମିଳନୀରେ ସଂଭାବନାର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ର ଏହି ସୂଚନା ଦେଇଛନ୍ତି। ଉଦ୍‌ଯାପନୀ ଦିବସରେ ବଡ଼ବିଲର ଓଡ଼ିଆ ଭାଷା ସଂସ୍କୃତି ସୁରକ୍ଷା ପାଇଁ ଉଦ୍ୟମ କରୁଥିବା ଅନୁଷ୍ଠାନ‘ନୀଳାଦ୍ରି’, ଓଡ଼ିଆ ଭାଷା ପାଇଁ ଗବେଷଣାରତ ଚିକିତ୍ସା ବିଜ୍ଞାନୀ ଡ.ଦେବାଶିଷ ଜେଠୀ ଓ ଓଡ଼ିଆକୁ ପ୍ରଶାସନିକ ଭାଷାରେ ପରିଣତ କରିବା ପାଇଁ ସଂଗ୍ରାମୀ ଶଙ୍କର୍ଷଣ ପରିଡ଼ାଙ୍କୁ ଓଡ଼ିଆ ନୂଆବର୍ଷ ସନ୍ଧ୍ୟାରେ ‘ଓଡ଼ିଆ ମହୋତ୍ସବ ସମ୍ମାନ-୨୦୧୮’ରେ ସମ୍ବର୍ଦ୍ଧିତ କରାଯିବ ବୋଲି ସମ୍ମିଳନୀରେ ଘୋଷଣା କରାଯାଇଛି। ଏଥିରେ ଉଦଯାପନୀ ଉତ୍ସବର ପୃଷ୍ଠଚିତ୍ର ଉନ୍ମୋଚିତ ହେଲା। ଏହି ସାମ୍ବାଦିକ ସମ୍ମିଳନୀରେ ସଂପାଦକ ଦେବ ପ୍ରସାଦ ପରିଜା, ସଂଗୀତକାର ପ୍ରଣବ କିଶୋର ପଟ୍ଟନାୟକ, ୨୦୧୭ର ଶ୍ରେଷ୍ଠ ଓଡ଼ିଆଣୀ ମଧୁସ୍ମିତା ଦାସ ଓ ସଂଭାବନାର ଟ୍ରଷ୍ଟି ସ୍ମୃତି ମହାନ୍ତି, ଓଡ଼ିଆଣୀ ସୌଭାଗ୍ୟ ଲକ୍ଷ୍ମୀ ମହାନ୍ତି, ବିଦୁଲତା ସ୍ୱାଇଁ ଓ ସଂଭାବନାର ସଭ୍ୟ ପ୍ରଫୁଲ ଦେ, ସତ୍ୟବ୍ରତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର