ଭୁବନେଶ୍ୱର : ତୈଳ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରା ଆଜି ରାଜଧାନୀରେ ଏକପ୍ରକାର ସଫଳ ହୋଇଛି। କଂଗ୍ରେସ ପକ୍ଷରୁ ୯ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିବା ବେଳେ ରାଜଧାନୀବାସୀ ସକାଳ ୬ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ବନ୍ଦର ପ୍ରଭାବ ଅନୁଭବ କରିଥିଲେ। ୭ ଘଣ୍ଟା ପର୍ଯ୍ୟନ୍ତ ରାଜଧାନୀ ପୂରା ଶୂନଶାନ୍ ହୋଇଯାଇଥିଲା। ତୈଳ ଦରବୃଦ୍ଧିକୁ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଓ ବିରୋଧ ଥିବା ଆଜିର ବନ୍ଦ ସମୟରେ ଦେଖିବାକୁ ମିଳିଥିଲା। କଂଗ୍ରେସର ବନ୍ଦ ଡାକରାକୁ ସାଧାରଣ ଲୋକ ସ୍ୱତସ୍ଫୂର୍ତ୍ତ ଭାବେ ସମର୍ଥନ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏଥରର ବନ୍ଦ ଏକରକମ ଶାନ୍ତିପୂର୍ଣ୍ଣ ଥିବାରୁ କୌଣସି ସ୍ଥାନରେ କିଛି ଭଙ୍ଗାରୁଜା କି ଗଣ୍ଡଗୋଳର ଅଭିଯୋଗ ଆସିନି। କଂଗ୍ରେସ ପକ୍ଷରୁ ବନ୍ଦ ପାଳନ ବେଳେ ସାଧାରଣ ଲୋକଙ୍କୁ ଆକ୍ରମଣ, ଭଙ୍ଗାରୁଜାର ଭୟ ଥିବାରୁ ରାଜଧାନୀବାସୀ ବନ୍ଦ ପାଳନ ସମୟରେ କୌଣସି ରିସ୍କ ନେବାକୁ ଚାହିନଥିଲେ। କଂଗ୍ରେସ କର୍ମୀମାନେ ବି ଏଥର କୌଣସି ପ୍ରକାରର ବିଶୃଙ୍ଖଳା ଆଚରଣ ନକରି ଶାନ୍ତିପୂର୍ଣ୍ଣ ଢଙ୍ଗରେ ବନ୍ଦ ପାଳନ କରିଥିଲେ। ଯେଉଁମାନେ ରାସ୍ତାରେ ଗାଡ଼ି ନେଇ ଯାଉଥିଲେ, ସେମାନଙ୍କୁ ଅଟକାଇ ବନ୍ଦକୁ ସମର୍ଥନ କରିବାକୁ ବୁଝାଉଥିଲେ। ଏହାପରେ ଗୋଟିଏ ଗୋଲାପ ଓ ଗୋଟିଏ ଚକଲେଟ୍ ଦେଇ ଛାଡ଼ୁଥିଲେ।
ଆଜିର ବନ୍ଦ ପାଇଁ ରାଜଧାନୀର ସମସ୍ତ ଦୋକାନ ବଜାର ବନ୍ଦ ଥିଲା। କଂଗ୍ରେସ କର୍ମୀମାନେ ବିଭିନ୍ନ ଛକରେ ଟାୟାର ଜାଳି ରାସ୍ତାରୋକ କରିବା ସହ ଜାତୀୟ ରାଜପଥ ଉପରେ ଗାଡ଼ି ଚଳାଚଳ ବନ୍ଦ କରିଦେଇଥିଲେ। ବାଇକ୍ ଓ ସାଇକେଲ୍ ରାଲି କରିି ରାଜଧାନୀର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀମାନେ ବୁଲୁଥିବା ଦେଖିବାକୁ ମିଳିଥିଲା। ଅଟୋ, ସିଟି ବସ୍ ଚଳାଚଳ କରୁନଥିବାରୁ ଯାତାୟାତ ବି ପୂରା ଠପ୍ ହୋଇଯାଇଥିଲା। ପୂର୍ବ ବନ୍ଦଗୁଡ଼ିକରେ କିଛି କିଛି ଅଟୋ ରାସ୍ତାରେ ଗଡ଼ୁଥିବା ଦେଖିବାକୁ ମିଳୁଥିଲେ ହେଁ ଆଜି ସେପରି ଦୃଶ୍ୟ ନଥିଲା। ସବୁ ରାସ୍ତା ଶୂନଶାନ୍ ହୋଇ ଯାଇଥିଲା। ଅପରାହ୍ଣ ୧ଟା ପରେ କିଛି ଅଟୋ ରାସ୍ତାରେ ଗଡ଼ିଥିଲା। ଅପରାହ୍ଣ ୩ଟା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା। ଆଜି ବସ୍ ଓ ଟ୍ରେନ୍ ଚଳାଚଳ ବ୍ୟାଘାତ ହୋଇଥିବା ବେଳେ ବିମାନ ଉଡ଼ାଣ ଉପରେ ଏହାର ପ୍ରଭାବ ପଡ଼ିନାହିଁ। ସମସ୍ତ ବିମାନ ଧାର୍ଯ୍ୟ ସମୟରେ ଉଡ଼ାଣ କରିଛନ୍ତି। ଯେଉଁ ଯାତ୍ରୀମାନେ ବିମାନବନ୍ଦରରେ ପହଞ୍ଚିବାରେ ସମସ୍ୟା ହୋଇଥିଲା ସେମାନଙ୍କୁ ପରବର୍ତ୍ତୀ ବିମାନରେ ପଠାଯାଇଥିଲା।
ଗୋଲାପ ଦେଇ ଫେରେଇଦେଲେ
ଏଥର ବନ୍ଦ ବେଳେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଠେଙ୍ଗା ନୁହେଁ, କର୍ମୀଙ୍କ ହାତରେ ଥିଲା ନାଲି ଗୋଲାପ ଓ ଚକ୍ଲେଟ୍। ଛକଗୁଡ଼ିକରେ ଗାଡ଼ି ରଖି ବାଟ ବନ୍ଦ କରାଯାଇଥିଲା। ଯିଏ ଆସୁଥିଲେ, ସେମାନଙ୍କୁ ହାତ ଯୋଡ଼ି ନାଲି ଗୋଲାପ ଦେଇ ଫେରେଇ ଦିଆଯାଉଥିଲା। ନଚେତ୍ କେଉଁଠି ଗଳାବାଟ ଦେଖି ଚାଲିଯିବାକୁ ନିବେଦନ କରାଯାଉଥିଲା। ଖାଲି ସେତିକି ନୁହେଁ, ଯୁବକମାନଙ୍କୁ ଗୋଲାପ ସହ ଚକ୍ଲେଟ୍ ଦେଇ ଭାରତ ବନ୍ଦକୁ ସମର୍ଥନ କରିବାକୁ ନିବେଦନ କରାଯାଇଥିଲା।
ପଶ୍ଚିମବଙ୍ଗ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟଙ୍କୁ ଅଟକାଇଲେ
ପଶ୍ଚିମବଙ୍ଗର ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ ଆଜି ପୁରୀରୁୁ ଫେରୁଥିବା ବେଳେ କଂଗ୍ରେସ କର୍ମୀମାନେ ତାଙ୍କୁ ରବି ଟକିଜ୍ ଛକରେ ଅଟକାଇଥିଲେ। ଗାଡ଼ି ଅଟକାଇବା ମାତ୍ରେ ଶ୍ରୀ ବନ୍ଦୋପାଧ୍ୟାୟ ଗାଡ଼ିରୁ ବାହାରକୁ ଆସି ଆନ୍ଦୋଳନକୁ ସମର୍ଥନ କରୁଛି ବୋଲି କହିଥିଲେ। କଂଗ୍ରେସ କର୍ମୀ ତାଙ୍କୁ ନାଲି ଗୋଲାପ ଦେଇ ଛାଡ଼ି ଦେଇଥିଲେ। ଶ୍ରୀ ବନ୍ଦୋପାଧ୍ୟାୟ ବାଟରେ ଆସିବା ବେଳେ ଅନେକ ସ୍ଥାନରେ ତାଙ୍କୁ ଅଟକିବାକୁ ପଡ଼ିଛି ବୋଲି କହିଥିଲେ।
କିଛି ସ୍ଥାନରେ ଦୁର୍ବ୍ୟବାହରକୁ ନେଇ ସୋସିଆଲ୍ ମିଡିଆରେ କ୍ଷୋଭ
ଶୂନଶାନ ରାସ୍ତା ସାଙ୍ଗକୁ ଆଜି ଟ୍ରାଫିକ୍ କଟକଣା ନଥିଲା। କେତେକ ସ୍ଥାନରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯାଉଥିବା ବେଳେ ଆଉ କିଛି ସ୍ଥାନରେ କିଛି ଯୁବ କର୍ମୀଙ୍କ ପ୍ରାଦୁର୍ଭାବରୁ ବର୍ତି ପାରିନଥିଲେ ଜନତା। ଦୁର୍ବ୍ୟବହାର ଯୋଗୁଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏନେଇ ପ୍ରତିବାଦ କଲେ ଗାଡ଼ି ଅଟକାଇ ନାଲି ଆଖି ଦେଖାଉଥିଲେ। କିଛି ଯୁବକ ଠେଙ୍ଗା ଉଠାଇ ଗାଡ଼ି ଆଗକୁ ଉହୁଙ୍କି ଆସୁଥିଲେ। ଦୁର୍ବ୍ୟବହାରର ଶିକାର ହେବା ପରେ କିଛି ବ୍ୟକ୍ତିବିଶେଷ ଏହାକୁ ନେଇ ସୋସିଆଲ୍ ମିଡିଆରେ କ୍ଷୋଭ ପ୍ରକାଶ କରିଛନ୍ତି।
୩୦୦ ଗିରଫ, ୨୦୦ ଜଣଙ୍କ ନାମରେ ମାମଲା
ଆଜିର ବନ୍ଦରେ ସାମିଲ୍ ହୋଇଥିବା ବିଭିନ୍ନ ରାଜନୈତିକ ଦଳର ପ୍ରାୟ ୩୦୦ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଏଥିରୁ ୪୦ଜଣ କଂଗ୍ରେସ, ୬୦ଜଣ ସିପିଆଇଏମ୍, ୧୦୦ଜଣ ସିପିଆଇ କର୍ମୀଙ୍କ ନାମରେ ମାମଲା ରୁଜୁ ହୋଇଛି ବୋଲି ଡିସିପି ଅନୁପ ସାହୁ କହିଛନ୍ତି।
ଲୋୟର ପିଏମ୍ଜିରେ ବନ୍ଦ ପ୍ରଭାବ ନାହିଁ
ବନ୍ଦ ପାଇଁ ସାରା ରାଜଧାନୀ ଠପ୍ ହୋଇଯାଇଥିବା ବେଳେ ଲୋୟର ପିଏମ୍ଜି କିନ୍ତୁ ଚଳଚଞ୍ଚଳ ଥିଲା। ଆନ୍ଦୋଳନକାରୀମାନେ ସେମାନଙ୍କ ଦାବି ନେଇ ରାସ୍ତାକୁ ଓହ୍ଲାଇଥିଲେ ଓ ନାରା ଦେଇ ଦାବି ବି ଜଣାଇଥିଲେ। ପୂର୍ବାହ୍ନରେ ପୂରା ଶୂନଶାନ୍ ଥିବା ରାଜଧାନୀର ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ କେବଳ ଗହଳି ଜମିଥିଲା। ଲାଗୁଥିଲା ଯେମିତି ବନ୍ଦର ପ୍ରଭାବ ଏଠାରେ ପଡ଼ିନି।
ଆମ୍ବୁଲାନ୍ସରେ ବୁହା ହେଲେ ଯାତ୍ରୀ
ବନ୍ଦ ସମୟରେ କୌଣସି ଜରୁରୀକାଳୀନ ସେବା ଯୋଗାଉଥିବା ଗାଡ଼ିକୁ ଅଟକା ଯିବନି ବୋଲି ଘୋଷଣା ହୋଇଥିଲା। ଏହାର ଫାଇଦା କେତେକ ଲୋକ ଉଠାଇଥିବା ଆଜି ଦେଖିବାକୁ ମିଳିଥିଲା। ବିମାନବନ୍ଦରରୁ କେତେକ ଲୋକ ଏକ ଘରୋଇ ହସ୍ପିଟାଲର ଆମ୍ବୁଲାନ୍ସରେ ବ୍ୟାଗ୍ ରଖୁଥିବା ଏବଂ ସେଥିରେ ବସୁଥିବା ଫଟୋ ସୋସିଆଲ ମିଡିଆରେ ବୁଲୁଛି। କେଉଁ ହସ୍ପିଟାଲ ଆମ୍ବୁଲାନ୍ସ ଏବଂ ଏଥିରେ କିଏ ଆସୁଥିଲେ ତାହା ଜଣାପଡ଼ିନି।
ପେଟ୍ରୋଲ ଭାଉ ବଢ଼ିଲା
ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ପ୍ରତିବାଦରେ ଆଜି ବନ୍ଦ ପାଳନ ହେଉଥିବା ବେଳେ ପେଟ୍ରୋଲର ଭାଉ ଜୋର୍ ଥିଲା। ବନ୍ଦ ପାଇଁ ପୂର୍ବାହ୍ନରେ ସମସ୍ତ ପେଟ୍ରୋଲ ପମ୍ପ ବନ୍ଦ ଥିବାରୁ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଥିଲା। ଯେଉଁ ପେଟ୍ରୋଲ ଦର ବୃଦ୍ଧି ପାଇଁ ଆନ୍ଦୋଳନ ହେଉଥିଲା ତାହାକୁ ବଜାର ଦାମ୍ଠାରୁ ବହୁ ଅଧିକ ଦରରେ ଲୋକମାନେ କିଣୁଥିବା ଦେଖିବାକୁ ମିଳିଥିଲା।