ଭୁବନେଶ୍ୱର : ବର୍ତମାନର ପ୍ରଯୁକ୍ତିବିଦ୍ୟା ସାରା ବିଶ୍ୱକୁ ଏକ ଛୋଟ ଘରରେ ପରିଣତ କରିଦେଇଛି। ମୋବାଇଲ୍ ଜରିଆରେ ଆଜି ମଣିଷ ତା’ର ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିପାରୁଛି। ଏହି ପ୍ରଯୁକ୍ତି ବିଦ୍ୟାର ଅନେକ ଭଲ ସହ ଖରାପ ଦିଗ ମଧ୍ୟ ରହିଛି। ପ୍ରଯୁକ୍ତି ବିଦ୍ୟାର ସର୍ବାଧିକ ଉପଭୋକ୍ତା ହେଉଛନ୍ତି ଯୁବ ପିଢ଼ି। ପ୍ରଯୁକ୍ତିବିଦ୍ୟାର ଜଗତୀକରଣ ଫଳରେ ଭାରତୀୟ ଯୁବ ପିଢ଼ି ଆଜି ଆମ ପାରମ୍ପରିକ ସଙ୍ଗୀତ, ଖାଦ୍ୟ, ସଂସ୍କୃତି, ପୋଷାକ ଆଦିଠାରୁ ଦୂରେଇ ଯାଉଛନ୍ତି। ଅବଶ୍ୟ କିଛି ପୁରାତନ ପରମ୍ପରାରେ ପରିବର୍ତନର ଆବଶ୍ୟକତା ରହିଛି। କିନ୍ତୁ ଆମର ଅନେକ ଐତିହ୍ୟପୂର୍ଣ୍ଣ ସଂସ୍କୃତି ରହିଛି, ଏଥିରେ ହସ୍ତକ୍ଷେପ କରାଯିବା ଅନୁଚିତ। ଜଗତୀକରଣ ଭାରତୀୟ ସଂସ୍କୃତି ପ୍ରତି ଆହ୍ଵାନ ସୃଷ୍ଟି କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସେଲ୍ଫ୍ ରିଲିଆନ୍ସ(ଆଇଏସ୍ଆର୍) ପକ୍ଷରୁ ପ୍ରେସ୍ କ୍ଲବ୍ ଅଫ୍ ଓଡ଼ିଶାଠାରେ ଅନୁଷ୍ଠିତ ‘ସାଂସ୍କୃତିକ ବିବିଧତା ଓ ସାମାଜିକ ପରିବେଶ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ରରେ ଏପରି ମତ ପ୍ରକାଶ ପାଇଛି। ଏହି ଅବସରରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅର୍ଥନୀତି, ଉଦ୍ୟୋଗ, ବିଜ୍ଞାନ, ଚିକିତ୍ସା, ପ୍ରଶାସନ ଓ ଶିକ୍ଷା କ୍ଷେତ୍ରରେ ବିଶେଷ ଅବଦାନ ଥିବା ୧୮୦ ଜଣ ବ୍ୟକ୍ତିଙ୍କୁ ସମ୍ବର୍ଧିତ କରାଯାଇଥିଲା। ଆଠଟି ଅଧିବେଶନରେ ଭାରତର ସଂସ୍କୃତିକୁ ନେଇ ଆଲୋଚନା କରାଯାଇଥିଲା। ବିଭିନ୍ନ ଅଧିବେଶନରେ ମୁଖ୍ୟଅତିଥି ଭାବେ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ, ଧନରାଜ ସିଂହ, ରାଧାକାନ୍ତ ନାୟକ, ଏନ୍.ଆର୍ ବିଶ୍ୱାସ, ପ୍ରଫେସର ଅବିନାଶ କୁମାର ପ୍ରମୁଖ ଯୋଗ ଦେଇଥିଲେ। ଆଲୋଚକ ଭାବେ ପ୍ରଫେସର ପଦ୍ମାଳୟା ନାୟକ, ପି.ଏନ୍ ସାକ୍ସେନା ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ଆବାହକ ସିଭି ରମଣ ସୁବୁଦ୍ଧି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।