ଭରତପୁରରେ ଥାନା ହେବ ତ? ଫାଇଲ୍‌ କେଉଁଠି ଅଟକିଛି, କେହି ମୁହଁ ଖୋଲୁନାହାନ୍ତି

ଖଣ୍ଡଗିରି : ସ୍ଥାନୀୟ ଭରତପୁରରେ ନୂତନ ଥାନା ପ୍ରତିଷ୍ଠା ହେବା ଯୋଜନାକୁ ନେଇ ଲୋକେ ସନ୍ଦିହାନ ହୋଇ ପଡ଼ିଲେଣି। ଦିନ ଗଡ଼ି ଚାଲିବା ସହ ଏ ଦିଗରେ ପୁଲିସ ବିଭାଗ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନଥିବାରୁ ଲୋକେ ସନ୍ଦେହ ପ୍ରକାଶ କରୁଛନ୍ତି। ଗୋଟିଏ ସମୟର ପ୍ରସ୍ତାବ ସତ୍ତ୍ବେ କମ୍ ପରିଧି ବିଶିଷ୍ଟ ସ୍ବଳ୍ପ ଜନବହୁଳ ଅଞ୍ଚଳରେ ଏୟ‌ାପୋର୍ଟ ଥାନା ପ୍ରତିଷ୍ଠା କରାଗଲା, ଅଥଚ ରାଜଧାନୀର କ୍ରାଇମ୍‌ ଜୋନ୍‌ ପୁଣି ବୃହତ୍ତମ ଜନବହୁଳ ଅଞ୍ଚଳ ଖଣ୍ଡଗିରିରରେ ନୂତନ ଥାନା ନିର୍ମାଣ ହୋଇପାରୁନଥିବାରୁ ଲୋକଙ୍କ ଭିତରେ ଅସନ୍ତୋଷ ସୃଷ୍ଟି ହେଲାଣି।

ଖଣ୍ଡଗିରି ଥାନାର ପରିଧି ୭୦ବର୍ଗ କିଲୋମିଟର ଓ ଏହି ଅଞ୍ଚଳର ଜନସଂଖ୍ୟା ପ୍ରାୟ ୩ଲକ୍ଷ। ପୂର୍ବରେ ଗଙ୍ଗନଗର ଛକରୁ ପଶ୍ଚିମରେ ପାତ୍ରପଡ଼ା ଛକ, ଦକ୍ଷିଣରେ ଗଣ୍ଡମୁଣ୍ଡା ଅଞ୍ଚଳରୁ ଉତ୍ତରରେ ଭରତପୁର ଜିଏ ପ୍ଲଟିଂ ଅଞ୍ଚଳ ମଧ୍ୟରେ ଏହି ଥାନା ସୀମିତ। ୭୫ରୁ ଅଧିକ ବସ୍ତି, ବରମୁଣ୍ଡା ବସ୍‌ଷ୍ଟାଣ୍ଡ, କୁବେରପୁରୀ ବ୍ୟବସାୟିକ କେନ୍ଦ୍ର, ସମ୍ ହସ୍ପିଟାଲ, ଆମ୍ରି ହସ୍ପିଟାଲ, ଭୁବନେଶ୍ବର ଏମ୍‌ସ, ଆଇଟିଇଆର୍‌ ଇଂଜିନିୟରିଂ କଲେଜ, ସମ୍ ମେଡିକାଲ କଲେଜ ଭଳି ବହୁ ଶିକ୍ଷାନୁଷ୍ଠାନ ଏହି ଥାନା ଅଧୀନରେ ରହିଛି। ସେହିଭଳି ରାଜଧାନୀର ବୃହତ୍ତମ ହାଉସିଂ ପ୍ରକଳ୍ପ ଡୁମୁଡୁମା, ଭରତପୁର ଭଳି ଜନବହୁଳ ଅଞ୍ଚଳ ମଧ୍ୟ ଏହି ଥାନା ଅଧୀନରେ ରହିଛି।

ବଡ଼ ସମସ୍ୟା ହେଉଛି, ୧୬ନମ୍ବର ଜାତୀୟ ରାଜପଥ। ବରମୁଣ୍ଡାରୁ ପାତ୍ରପଡ଼ା ମଧ୍ୟରେ ପ୍ରାୟ ୬ କିଲୋମିଟର ଦୂରତାକୁ ପୂରା ବ୍ଲାକ୍‌ସ୍ପଟ୍‌ କୁହାଯାଏ। ଦୁର୍ଘଟଣା ସାଙ୍ଗକୁ ରାଜପଥରେ ଲୁଟେରାଙ୍କ ପ୍ରାଦୁର୍ଭାବ ମଧ୍ୟ କିଛି କମ୍ ନୁହେଁ। ଫଳରେ ବୃହତ୍ ଅଞ୍ଚଳ ପାଇଁ ଏହି ଥାନାର ମାମଲା ସଂଖ୍ୟା ମଧ୍ୟ ରାଜଧାନୀର ସବୁ ଥାନାଠାରୁ ଢ଼େର୍ ଅଧିକ। ବାର୍ଷିକ ପାଖାପାଖି ଏକ ହଜାର ମାମଲା ଏଠାରେ ପଞ୍ଜୀକୃତ ହେଉଛି।

ଚଳିତ ବର୍ଷ ୩ ଶହ ଅପମୃତ୍ୟୁ ମାମଲା ସହ ଅନ୍ୟ ଆପରାଧିକ ମାମଲା ସଂଖ୍ୟା ୭୦୦କୁ ଛୁଇଁଛି। ୯ ଜଣ ଏସ୍‌ଆଇ. ୩ଜଣ ଏଏସ୍‌ଆଇଙ୍କୁ ନେଇ ଜଣେ ଆଇଆଇସି ଏହି ଅଞ୍ଚଳକୁ ନିୟନ୍ତ୍ରଣ କରୁଛନ୍ତି। ଅବଶ୍ୟ ମଝିରେ ମଝିରେ ଜଣେ ଅତିରିକ୍ତ ଆଇଆଇସିଙ୍କୁ ଏଠାରେ ନିଯୁକ୍ତି ମିଳୁଛି। ୩ଟି ପିସିଆର୍ ଭ୍ୟାନ୍‌ ମିଳିଛି ଏହି ଥାନାକୁ। ତେଣୁ ଏତେ ବଡ଼ ଅଞ୍ଚଳରେ ପାଟ୍ରୋଲିଂ ଅବସ୍ଥା କିଭଳି ଥିବ, ସହଜରେ ଅନୁମେୟ। ଏହି ସମସ୍ୟାକୁ ଦୂର କରିବା ପାଇଁ ଭରତପୁରରେ ଏକ ନୂଆ ଥାନା ପ୍ରତିଷ୍ଠା କରିବାର ଅବଶ୍ୟକତା ରହିଛି। ଲୋକଙ୍କ ଦୀର୍ଘ ଦିନର ଦାବି ଯୋଗୁଁ ଗତ ଦୁଇ ବର୍ଷ ହେଲା ଏହି ନୂତନ ଥାନା ପ୍ରତିଷ୍ଠା ଖବର ମିଳୁଛି। ଖୋଦ୍ ସିପି ଓ ଡିସିପି ମଧ୍ୟ ବାରମ୍ବାର ଏହି କଥାକୁ ଦୋହରାଇଛନ୍ତି। ମାତ୍ର ଫାଇଲ୍ ଯେଉଁଠି ଥିଲା, ସେଇଠି ଅଛି ବୋଲି ଚର୍ଚ୍ଚା ହେଉଛି। ଗୃହ ବିଭାଗର ଅନୁମୋଦନ ପାଇଁ ଯାଇଥିବା ଫାଇଲ୍ କେଉଁଠି ଅଟକି ରହିଛି, କେହି ମୁହଁ ଖୋଲିବାକୁ ନାରାଜ।

ସମ୍ବନ୍ଧିତ ଖବର