ଭୁବନେଶ୍ୱର ପାଇଁ ଜଙ୍ଗଲ ବିଭାଗର ମାଷ୍ଟରପ୍ଲାନ୍‌ : ଘଞ୍ଚ ଜଙ୍ଗଲ ହେବ ଭରତପୁର

ଭୁବନେଶ୍ୱର : ସବୁଜିମାମୟ ହେବ ରାଜଧାନୀ। ସହର ଉପକଣ୍ଠରେ ଘେରି ରହିବ ଜଙ୍ଗଲ। ଚନ୍ଦକାରୁ ଧଉଳି ପର୍ଯ୍ୟନ୍ତ। ସବୁଠି କେବଳ ଦେଖିବାକୁ ମିଳିବ ଗଛ ହିଁ ଗଛ। ଆଉ ଗଛ ସହ ପର୍ଯ୍ୟଟକଙ୍କୁ ଯୋଡ଼ିବା ଲାଗି ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରିଛି ଜଙ୍ଗଲ ଓ ପରିବେଶ ବିଭାଗ। ପ୍ରାଥମିକ ପର୍ଯ୍ୟାୟରେ ଚନ୍ଦକା ଜଙ୍ଗଲର କଳେବର ବୃଦ୍ଧି ଦିଗରେ କାର୍ଯ୍ୟକ୍ରମମାନ ହାତକୁ ନିଆଯିବ। ସେଠାରେ ବ୍ୟାପକ ବୃକ୍ଷ ରୋପଣ କରାଯିବ। ଜଙ୍ଗଲ ମଧ୍ୟରେ ଥିବା ଏକ ଅଂଶ ଭରତପୁର ଅଞ୍ଚଳରେ ଘଞ୍ଚ ଜଙ୍ଗଲ ସୃଷ୍ଟି କରିବାକୁ ନିଷ୍ପତ୍ତିି ନିଆଯାଇଛି।

ଭୁବନେଶ୍ୱର ଉପକଣ୍ଠରେ ଥିବା ଏହି ଜଙ୍ଗଲ ମଧ୍ୟରୁ ଗଛ କାଟି ନିଆଯାଉଛି। ପ୍ରତିଦିନ ଜଙ୍ଗଲରୁ ଲୋକେ ଗଛ କାଟି ନେଉଥିବା ବେଳେ କାଠ ମାଫିଆଙ୍କ କବଳରୁ ବି ବର୍ତିପାରୁନି ରାଜଧାନୀ ଉପକଣ୍ଠରେ ଥିବା ଏହି ବିଶାଳ ଜଙ୍ଗଲ। ସହରୀ ସଭ୍ୟତା ବୃଦ୍ଧିର ପ୍ରଭାବ ମଧ୍ୟ ଏହି ଜଙ୍ଗଲ ଉପରେ ପଡ଼ୁଛି। ଯେଉଁଥିପାଇଁ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେବା କ୍ଷଣି ସହରର ତାପମାତ୍ରା ୪୦ ଡିଗ୍ରିରେ ପହଞ୍ଚିଯାଉଛି। ବର୍ଷା ଓ ଶୀତ ଦିନରେ ବି ଟାଣ ଖରା ହେଉଛି। ପରିବେଶର ସନ୍ତୁଳନ ଠିକ୍‌ ରହୁଥିବାରୁ ଏଭଳି ପରିସ୍ଥିତି ଉପୁଜୁଥିବା ପରିବେଶବିତ୍‌ମାନେ ମତ ଦେବା ପରେ ଜଙ୍ଗଲ ଓ ପରିବେଶ ବିଭାଗ ମାଷ୍ଟରପ୍ଲାନ୍‌ ପ୍ର୍ରସ୍ତୁତ କରିଛି।

ଚନ୍ଦକା ମଧ୍ୟରେ ଭରତପୁର ସଂରକ୍ଷିତ ଜଙ୍ଗଲ ରହିଛି। ସେଠାରୁ ଏବେ ବଡ଼ ବଡ଼ ଗଛ କଟା ଚାଲିଛି। ଯେଉଁଥିପାଇଁ ଜଙ୍ଗଲ ଅବକ୍ଷୟ ହେଉଛି। ଭୁବନେଶ୍ୱର ସହର ନିକଟରେ ଭରତପୁର ରହିଥିବାରୁ ତାହାର ପ୍ରଭାବ ମଧ୍ୟ ସହର ଉପରେ ପଡ଼ୁଥିବା ଜଣାପଡ଼ିଛି। ଯେଉଁଥିପାଇଁ ଭରତପୁର ଅଞ୍ଚଳରେ ଖାଲିଥିବା ସ୍ଥାନରେ ବୃକ୍ଷରୋପଣ କରିବା ଦିଗରେ ପଦକ୍ଷେପ ନେଇଛି ବିଭାଗ। ଖାଲି ଥିବା ଏକର ଏକର ଜମିରେ ନିମ୍ବ, କରଞ୍ଜ, ବାଉଁଶ, ବର ଗଛ ଲଗାଯାଉଛି। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨୦ ବର୍ଗ କି.ମି ଅର୍ଥାତ୍‌ ୫ ହଜାର ଏକର ଜମିରେ ବୃକ୍ଷ ରୋପଣ କରାଯାଇ ଘଞ୍ଚ ଜଙ୍ଗଲ ସୃଷ୍ଟି କରାଯାଉଛି। ଭବିଷ୍ୟତରେ ତାହା ରାଜଧାନୀବାସୀଙ୍କ ଲାଗି ଉପକାରରେ ଲାଗିପାରିବ। ଏହି ଅଞ୍ଚଳରେ ଗ୍ରାଉଣ୍ଡ ଓ୍ଵାଟର ରିଚାର୍ଜ ମଧ୍ୟ ହେଉଛି। ବିଭିନ୍ନ ବନ୍ୟଜନ୍ତୁଙ୍କ ସମେତ ଶତାଧିକ ଦେଶୀ, ବିଦେଶୀ ପକ୍ଷୀ ଭରତପୁର ଅଞ୍ଚଳରେ ବସା ବାନ୍ଧି ରହିଛନ୍ତି। ତେଣୁ ଭରତପୁର ଜଙ୍ଗଲକୁ ଘଞ୍ଚ କରିବା ରାଜ୍ୟ ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ ରହିଛି। ଜନସାଧାରଣଙ୍କୁ ପ୍ରାକୃତିକ ପରିବେଶ ସମ୍ପର୍କରେ କିଭଳି ଅଧିକରୁ ଅଧିକ ଶିକ୍ଷା ଦିଆଯାଇପାରିବ ତାହାକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯାଉଛି ବୋଲି ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି ଯେ ଭରତପୁର ଜଙ୍ଗଲ ସୃଷ୍ଟି କରାଯାଇ ଖୁବ୍‌ କମ୍‌ ଦିନ ମଧ୍ୟରେ ତାହାକୁ ଇକୋ-ପର୍ଯ୍ୟଟନ ସହ ଯୋଡ଼ାଯିବ। ସେଠାରେ ଟୁର ଗାଇଡ୍‌ମାନେ ନିୟୋଜିତ ହେବେ। ଖୋଲା ଜିପ୍‌ରେ ପର୍ଯ୍ୟଟକଙ୍କୁ ଜଙ୍ଗଲରେ ବୁଲିବାକୁ ନିଆଯିବ। ସେଠାରେ ପ୍ରାକୃତିକ ପରିବେଶର ମଜା ଉଠାଇବା ସହ ବନ୍ୟଜନ୍ତୁ ଦେଖିପାରିବେ ପର୍ଯ୍ୟଟକ। ଭବିଷ୍ୟତରେ ଏହି ଅଞ୍ଚଳକୁ ସାଧାରଣ ଲୋକଙ୍କ ଲାଗି ସମ୍ପୂର୍ଣ୍ଣ ଖୋଲା ରଖିବାକୁ ଲକ୍ଷ୍ୟ ରଖାଯାଇଛି। କେବଳ ଭୁବନେଶ୍ୱର ନୁହେଁ। ଏବେ ସୁଦ୍ଧା ରାଉରକେଲା, ସମ୍ବଲପୁର, ନବରଙ୍ଗପୁର, ଝାରସୁଗୁଡ଼ା ସହରରେ ଘଞ୍ଚ ଜଙ୍ଗଲ ସୃଷ୍ଟି କରାଯାଇଛି। ପ୍ରତ୍ୟେକ ସହରରେ ଖାଲିଥିବା ସରକାରୀ ଜମିକୁ ଚିହ୍ନଟ କରାଯାଇ ସେଠାରେ ବୃକ୍ଷରୋପଣ କରାଯିବ। ସମ୍ପୃକ୍ତ ଅଞ୍ଚଳକୁ ସିଟି ଫରେଷ୍ଟ କରିବା ଦିଗରେ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଛନ୍ତି ଯେ ଭବନେଶ୍ୱର ଉପକଣ୍ଠ ଭରତପୁରରେ ଘଞ୍ଚ ଜଙ୍ଗଲ ସୃଷ୍ଟି କରିବା ଦିଗରେ ପଦକ୍ଷେପ ନିଆଯାଇଛି। ଇତି ମଧ୍ୟରେ ଦୁଇ ଲକ୍ଷ ଚାରା ରୋପଣ କରାଯାଉଛି। ଆହୁରି ଚାରା ରୋପଣ ହେବ। ଭରତପୁରର ୨୦ ବର୍ଗ କିଲୋମିଟରରେ ଜଙ୍ଗଲ ସୃଷ୍ଟି କରାଯିବ ସହ ଅଧିକରୁ ଅଧିକ ଅଞ୍ଚଳରେ ବୃକ୍ଷରୋପଣ ହୋଇପାରିବ ସେଥିପ୍ର୍ରତି ପ୍ରାଧାନ୍ୟ ଦିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର