ୱାଲ ପେଣ୍ଟିଂରେ ଭିତରକନିକା

ଭୁବନେଶ୍ବର: ହକି ବିଶ୍ବ କପ୍‌ ଆୟୋଜନ ଅବସରରେ ସଜେଇ ହେଉଛି ରାଜଧାନୀ। ରାସ୍ତାକଡ଼ର ପାଚେରି ‌ନେଉଛି ନୂଆ ରୂପ। ରାଜ୍ୟର ଐତିହ୍ୟ, ସଂସ୍କୃତି, କଳା ଓ ପରମ୍ପରାକୁ ନେଇ ପାଚେରି ଚିତ୍ରିତ ହେଉଥିବା ବେଳେ ଏଥିରେ ଆଉ ଏକ ଥିମ୍‌ ଯୋଡ଼ା ହୋଇଛି। ପ୍ରଥମଥର ପାଇଁ ପାଚେରିରେ ଭିତରକନିକା ସ୍ଥାନ ପାଇଛି। କୁମ୍ଭୀର ପ୍ରଜନନ କେନ୍ଦ୍ର ସହ ବିଶ୍ବର ଅନ୍ୟତମ ଜୈବ ବିବିଧତାକୁ ନେଇ ଚର୍ଚ୍ଚିତ ଏହି କ୍ଷେତ୍ରକୁ ପାଚେରିରେ ସ୍ଥାନ ଦିଆଯାଇଛି। ଭିତର କନିକାର ବନ୍ୟପ୍ରାଣୀ ଓ ପରିବେଶ ସହ କୁମ୍ଭୀର, ପକ୍ଷୀ, ନାଲି କଙ୍କଡ଼ା ଓ ବିରଳ ପ୍ରାଣୀ ଅଲିଭ୍‌ ରିଡ୍‌ଲେ ଚିତ୍ରକୁ ନେଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମିନେରାଲସ୍‌ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନୋଲୋଜି କାନ୍ଥ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ବିଏମ୍‌ସି ପକ୍ଷରୁ ଷ୍ଟ୍ରିଟ୍‌ ଆର୍ଟ ଆଣ୍ଡ ମୁରାଲ ପ୍ରୋଜେକ୍ଟ(ଷ୍ଟାମ୍ପ) ଜରିଆରେ କରାଯାଉଥିବା ଏହି ‌ପେଣ୍ଟିଂରେ ଖଲିକୋଟ ଆର୍ଟ କଲେଜ୍‌ର ରଶ୍ମିରଞ୍ଜନ ଜେନାଙ୍କ ସହ ୨୦ ଚିତ୍ରକାର ଏହି ଚିତ୍ର ଆଙ୍କିବାରେ ମଗ୍ନ ଅଛନ୍ତି। ସମଗ୍ର ବିଶ୍ବ ଏଠାରେ ଏକାଠି ହେବାକୁ ଯାଉଥିବା ବେଳେ ଭିତରକନିକାକୁ ଆମେ ଏଠାରେ ଉପସ୍ଥାପନ କରିବା ପାଇଁ ନିଶ୍ଚିତ କରିଛୁ ବୋଲି ଶ୍ରୀ ଜେନା କହିଛନ୍ତି। ଅନ୍ୟତମ ଚିତ୍ରକର କୋମଲ ପଟେଲ କହିଛନ୍ତି, ଆମେ ଏଭଳି ଢ଼ଙ୍ଗରେ ଏହି ପ୍ରାକୃତିକ ପରିବେଶକୁ ଏଠାରେ ଉପସ୍ଥାପନ କରିବାକୁ ଉଦ୍ୟମ କରୁଛୁ ଯେଭଳି ବିଶ୍ବସ୍ତରର ପର୍ଯ୍ୟଟକଙ୍କୁ ଏହା ଆକୃଷ୍ଟ କରିବ।

ସମ୍ବନ୍ଧିତ ଖବର