ଭୁବନେଶ୍ବର ବାଲିଯାତ୍ରା ଆଉ ଦୁଇଦିନ, ଘରକରଣା ଜିନିଷରେ ମନ

ଭୁବନେଶ୍ବର: ବାଲିଯାତ୍ରାର ଅବଧି ଯେତେ ସରିସରି ଆସୁଛି ଭିଡ଼ ସେତେ ବଢ଼ି ବଢ଼ି ଚାଲିଛି। ଆଉ ମାତ୍ର ଦୁଇଦିନ ପରେ ବିଦାୟ ନେବ ପାରମ୍ପରିକ ବାଣିଜ୍ୟ ମେଳାର ଏହି ଶ୍ରେଷ୍ଠ ଉତ୍ସବ। ଗତକାଲି ରବିବାର ଥିବାରୁ ଲୋକଙ୍କ ସୁଅ ଛୁଟିଥିଲା। ଆଜି ମଧ୍ୟ ଅନୁରୂପ ଭିଡ଼ ଦେଖିବାକୁ ମିଳିଛି। ଜରିପାଟଣାସ୍ଥିତ ଐତିହାସିକ ପଟିଆବନ୍ଧ ପାର୍ଶ୍ବ କୁଆଖାଇ ନଦୀ ପଠାର ବାଲିରେ ଆୟୋଜିତ ଏହି ବାଲିଯାତ୍ରାର ଅନୁଭବ ନେବା ପାଇଁ କାହିଁ କେତେ ଦୂରରୁ ଲୋକଙ୍କ ଆଗମନ ହେଉଛି। ସଂଜ ନଇଁବା ବେଳକୁ ଲୋକାରଣ୍ୟ ହୋଇଯାଉଛି ମେଳା ପରିସର। ରାତି ୧୦ଟା ନବାଜୁଣୁ ସରିଯାଉଛି ଖାଦ୍ୟ।

ଅଦ୍ୟାବଧି ଭୁବନେଶ୍ବର ବାଲିଯାତ୍ରାକୁ ୭ଦିନ ବିତିଯାଇଛି। ୨୦ ତାରିଖ ପର୍ଯ୍ୟନ୍ତ ଏହା ଚାଲିବାକୁ ଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ଏହି ଯାତ୍ରାରେ ରଙ୍ଗ ଭରୁଛି। ଆଜି ଇଣ୍ଡିଆନ୍‌ ଡ୍ୟାନ୍‌ସ ଏକ‌ାଡେମି ପକ୍ଷରୁ ଓଡ଼ିଶୀ ନୃତ୍ୟ ସମେତ ଜୟଦେବ ଶିକ୍ଷା କେନ୍ଦ୍ର ପକ୍ଷରୁ ମଧ୍ୟ ନୃତ୍ୟ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଦୀପକ ତ୍ରିପାଠୀ। ଗୋଟେ ପାର୍ଶ୍ବରେ ନୃତ୍ୟ ଗୀତର ଏହି ମନୋରଂଜନ ସାଙ୍ଗକୁ ଅନ୍ୟ ପାର୍ଶ୍ବରେ ରାମଦୋଳି ଓ ଚକ୍ରିରେ ବୁଲି ମଜା ନେବାକୁ ଦର୍ଶକଙ୍କ ଗହଳି ଦେଖିବାକୁ ମିଳିଥିଲା। ଏପରିକି ବିକ୍ରି ଲବ୍ଧ ଜିନିଷର କିଣାବିକା ମଧ୍ୟ ଧୁମ୍‌ ହୋଇଥିଲା। ବିଶେଷକରି ପ୍ରତ୍ୟେକଙ୍କ ହାତରେ ଫେରିବା ବେଳେ ଥିଲା ଘରକରଣା ଜିନିଷ। ଏହି ଜିନିଷ ଗୁଡ଼ିକରେ ଆଖପାଖରେ ଉପଲବ୍ଧ ‌ହେଉନାହିଁ ସେକଥା ନୁହେଁ, କିନ୍ତୁ ବୁଲିବା ବାହାନାରେ ପଡ଼ିଥିବା ଏହି ମେଳାରୁ ଜିନିଷଟିଏ ଘର ପାଇଁ କିଣି ନେଇ ତାକୁ ବାଲିଯାତ୍ରାର ସନ୍ତକ ଭାବେ ଘରେ ବ୍ୟବହାର କରିବାର ମନୋବୃତ୍ତି ହିଁ ଏହି ଅସ୍ଥାୟୀ ବାଣିଜ୍ୟ ମେଳାକୁ ସରଗରମ କରୁଛି। କିଣାକିଣି ସାରି ଫେରିବା ବେଳକୁ ପାରମ୍ପରିକ ଖାଦ୍ୟ ସାଙ୍ଗକୁ ଦେଶୀ ଓ ଚାଇନିଜ୍‌ ଖାଦ୍ୟରେ ପେଟ ଭରପୂର କରି ଫେରିବାକୁ ଲୋକେ ଭୁଲୁନାହନ୍ତି। ଆସନ୍ତାକାଲି ନୃତ୍ୟଗୀତର କାର୍ଯ୍ୟକ୍ରମ ସହ ଶେଷ ଦିନ ଅର୍ଥାତ ବୁଧବାର ବିଭିନ୍ନ କ୍ଷେତ୍ରରେ ପ୍ରତିଭାବାନ ବ୍ୟକ୍ତିଙ୍କୁ ବାଲିଯାତ୍ରା ମଞ୍ଚରେ ସମ୍ବର୍ଧିତ କରାଯିବ।

ସମ୍ବନ୍ଧିତ ଖବର