ସିବିଆଇ ତଦନ୍ତର ଆବଶ୍ୟକତା ନାହିଁ

ହାଇକୋର୍ଟରେ ଜବାବ ଦାଖଲ କଲେ ରାଜ୍ୟ ସରକାର

କଟକ : ଭୁବନେଶ୍ୱରର ବମିଖାଲ-ସହିଦନଗର ରେଳ ଓଭରବ୍ରିଜ ଭୁଶୁଡ଼ିବା ଘଟଣାକୁ ନେଇ ରୁଜୁ ଜନସ୍ୱାର୍ଥ ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ କରାଯାଇଛି। ଭୁବନେଶ୍ୱର ଆର୍‌ ଆଣ୍ଡ୍‌ ବି ଡିଭିଜନ-୪ର ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ନାୟକ ଦାଖଲ କରିଥିବା ସତ୍ୟପାଠରେ ଦର୍ଶାଯାଇଛି ଯେ ଦୁଇ ଜଣ ମୁଖ୍ୟ ଯନ୍ତ୍ରୀଙ୍କୁ ନେଇ ଗଠିତ କମିଟି ୨୦୧୭, ସେପ୍ଟେମ୍ବର ୨୬ରେ ତଦନ୍ତ ରିପୋର୍ଟ ଦାଖଲ କରିଛନ୍ତି। ଏହି ଘଟଣାରେ ଜଣେ ସହକାରୀ ଯନ୍ତ୍ରୀ, ଉପନିର୍ବାହୀ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ପୁଲିସ ମଧ୍ୟ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଏପରି ପରିସ୍ଥିତିରେ ଘଟଣାର ସିବିଆଇ ତଦନ୍ତର ଆବଶ୍ୟକତା ନାହିଁ ବୋଲି ଜବାବରେ ଦର୍ଶାଯାଇଛି।

ବ୍ରିଜ ନିର୍ମାଣ କାର୍ଯ୍ୟରେ ନିମ୍ନ ମାନର ସିମେଣ୍ଟ, ଷ୍ଟିଲ ଓ ଅନ୍ୟାନ୍ୟ ସାମଗ୍ରୀ ବ୍ୟବହାର ଅଭିଯୋଗକୁ ମଧ୍ୟ ସତ୍ୟପାଠରେ ଅସ୍ୱୀକାର କରାଯାଇଛି। ସତ୍ୟପାଠରେ ଉଲ୍ଲେଖ କରାଯାଇଛି ଯେ ସରକାରୀ ଓ ସ୍ୱୀକୃତିପ୍ରାପ୍ତ ଲାବୋରେଟୋରିରେ ନିୟମିତ ଭାବେ ସାମଗ୍ରୀଗୁଡ଼ିକ ପରୀକ୍ଷା କରାଯାଉଥିଲା। ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ ୨୦୧୨, ମାର୍ଚ୍ଚ ୧୯ରେ ଆରମ୍ଭ ହୋଇଥିବା ବେଳେ ୨୦୧୪, ମାର୍ଚ୍ଚ ୧୮ ସୁଦ୍ଧା ଶେଷ କରିବା ପାଇଁ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଇଏସଆଇ ଡିସପେନସରି, ଜନସ୍ୱାସ୍ଥ୍ୟ ବିଭାଗ ଷ୍ଟୋର୍‌, ଜଳ ଯୋଗାଣ ପାଇପ, ଶ୍ରୀଅରବିନ୍ଦ ସ୍କୁଲ, ଇପିକଲ୍‌ କ୍ୱାର୍ଟର୍ସ, ବିଦ୍ୟୁତ ଲାଇନ ସ୍ଥାନାନ୍ତର ଭଳି ସମସ୍ୟା ଯୋଗୁଁ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସରି ନଥିଲା। ୨୦୧୮, ମାର୍ଚ୍ଚ ୩୧ ସୁଦ୍ଧା ବ୍ରିଜ ନିର୍ମାଣ କାର୍ଯ୍ୟ ସାରିବା ପାଇଁ ଧାର୍ଯ୍ୟ କରାଯାଇଛି।

ଓଭରବ୍ରିଜର ୭୫ଟି ସ୍ଲାବ୍‌ ମଧ୍ୟରୁ ୬୦ଟିର କାର୍ଯ୍ୟ ସଫଳତାର ସହିତ ସଂପାଦନ କରାଯାଇଥିବା ବେଳେ ଗତ ସେପ୍ଟେମ୍ବର ୧୦ରେ ଗୋଟିଏ ସ୍ଲାବ୍‌ ଭୁଶୁଡ଼ି ପଡ଼ିଥିଲା। ଏଥିରେ ଠିକାଦାର ଓ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତେବେ ଏଥିରେ କୌଣସି ଅନିୟମିତତାକୁ ସତ୍ୟପାଠରେ ଅସ୍ୱୀକାର କରାଯାଇଛି। ରାଜନେତା, ସରକାରୀ ଅଧିକାରୀ ଓ ବିଭାଗୀୟ ଇଂଜିନିୟର ଏହି ଘଟଣାରେ ସଂପୃକ୍ତ ବୋଲି ହୋଇଥିବା ଅଭିଯୋଗ ଅମୂଳକ ବୋଲି ଦର୍ଶାଯାଇଛି। ଖବର କାଗଜରେ ପ୍ରକାଶିତ ରିପୋର୍ଟ ମଧ୍ୟ ସତ୍ୟଠାରୁ ବହୁ ଦୂରରେ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ନ୍ୟାସନାଲିଷ୍ଟ ଲୟର୍ସ ଫୋରମର ଆବାହକ ସବ୍ୟସାଚୀ ମହାପାତ୍ରଙ୍କ ପକ୍ଷରୁ ଦାୟର ମାମଲାକୁ ଆଇନଜୀବୀ ଘାସିରାମ ବର୍ମା ଓ ତାପସ କୁମାର ଦ୍ୱିବେଦୀ ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର