କମିସନରେଟ ପୁଲିସର ତଦନ୍ତ ଏମିତି !, ୩ ଚର୍ଚିତ ଘଟଣାକୁ ଦିଆଗଲାଣି ଆତ୍ମହତ୍ୟାର ରୂପ

ଭୁବନେଶ୍ବର : ପାରିପାର୍ଶ୍ବିକ ପରିସ୍ଥିତିରୁ ହତ୍ୟା ମାମଲା ବୋଲି ସ୍ପଷ୍ଟ ଜଣାପଡ଼ୁଛି। ହତ୍ୟା ମାମଲା ରୁଜୁ କରି ପୁଲିସ ମଧ୍ୟ ତଦନ୍ତ ଆରମ୍ଭ କରୁଛି। ଅନଭିଜ୍ଞ ତଦନ୍ତକାରୀ ଅଧିକାରୀ ମାମଲା ପରିଚାଳନା କରିବା ସହ ପୁଲିସ ମଧ୍ୟ ରିସ୍କ ନେବାକୁ ଚାହୁଁନି। ଫଳରେ ହତ୍ୟା ମାମଲାକୁ ଆତ୍ମହତ୍ୟା ରୂପ ଦେଇ ଚୁପ୍‌ ବସିପଡ଼ୁଛି। ଗତ ଏକ ବର୍ଷ ମଧ୍ୟରେ ରାଜଧାନୀରେ ଏଭଳି ୩ଟି ଘଟଣା ଘଟିଥିଲେ ମଧ୍ୟ ପୁଲିସ ଏହି ସବୁ ମାମଲାର ଫାଇଲ ବନ୍ଦ କରି ଦେଇଛି। ଫଳରେ ଏବେ ପୁଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ମାର୍ବଲ ସୋ’ରୁମ ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ

୨୦୧୯ ମାର୍ଚ ୨୮ ତାରିଖ। ବାଲିଅନ୍ତା ଥାନା ପାହାଳ ଫାଣ୍ଡି ଅଧୀନ ଭୁବନେଶ୍ବର-କଟକ ଜାତୀୟ ରାଜପଥ ପାହାଳ ବଜାର ୨୨ ତାଲା ନିକଟ ଜୟପୁର ମୌଜାରେ ଥିବା ଶାରଳା ମାର୍ବଲ୍ସ ଆଣ୍ଡ ଗ୍ରାନାଇଟ ସୋରୁମ ପରିସରରେ ସିକ୍ୟୁରିଟି ଗାର୍ଡ ଗଦାଧର ସ୍ବାଇଁ( ୫୦)ଙ୍କ କ୍ଷତବିକ୍ଷତ ମୃତଦେହକୁ ‌ପୁଲିସ ଜବତ କରିଥିଲା। ପରିବାର ଲୋକଙ୍କ ଅଭିଯୋଗ ପରେ ଏକ ହତ୍ୟା ମାମଲା ରୁଜୁ କରିଥିଲା। ପୁଲିସ ଗଦାଧରଙ୍କ ମୃତଦେହକୁ ସୋ’ରୁମ ପଛପଟେ ଥିବା ରୋଷେଇ ଘରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପାଇଥିଲା। ତାଙ୍କ ତଣ୍ଟିରେ ଏକ ଗର୍ତ ଥିଲା। ଅଫିସ ରୁମରୁ ରୋଷେଇ ଘର ପର୍ଯ୍ୟନ୍ତ ରକ୍ତ ଧାର ବୋହି ଯାଇଥିଲା। ଅଫିସ ରୁମ ଭିତରେ ରକ୍ତ ଭିଜା ପାଦ ଚିହ୍ନ ମଧ୍ୟ ପଡ଼ିଥିଲା। କିନ୍ତୁ ପରବର୍ତୀ ସମୟରେ ପୁଲିସ ପକ୍ଷରୁ କୁହାଯାଇଥିଲା ଏହା ଏକ ଆତ୍ମହତ୍ୟା। ପୁଲିସ ଗଦାଧରଙ୍କ ଆତ୍ମହତ୍ୟା ପାଇଁ ବୁବୁନା ନାମକ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ହତ୍ୟାକାଣ୍ଡ ଦଫା କାଟି ଦେଇ ଗଦାଧରଙ୍କ ମୃତ୍ୟୁ ପାଇଁ ବୁବୁନା ଦାୟୀ କହି କୋର୍ଟ ଚାଲାଣ କରିଛି।

ୟୁନିଟ-୪ କାଠମିସ୍ତ୍ରି ମୃତ୍ୟୁ ମାମଲା

୨୦୧୮ ଫେବ୍ରୁଆରି ୧୭। ଖାରବେଳନଗର ଥାନା ଅଧୀନ ୟୁନିଟ-୪ ମାର୍କେଟ ପଛପଟେ ଥିବା ପ୍ଲଟ ନମ୍ବର ଏ-୧୯। ସକାଳୁ ସେହି ପ୍ଲଟରେ ଥିବା ଏକ ଘରୁ ଗୋପୀନାଥ ମହାରଣା ନାମକ ଜଣେ ବ୍ୟକ୍ତିଙ୍କ ତଣ୍ଟି କଟା ଅବସ୍ଥା ମୃତଦେହ ଠାବ ହୋଇଥିଲା। ଗୋପୀନାଥ ସେଠାରେ ୩୦ ବର୍ଷ ତଳୁ ରହି କାଠମିସ୍ତ୍ରି ଭାବେ କାମ କରୁଥିଲେ। ତାଙ୍କ ସହିତ ସେହି ପ୍ଲଟରେ ତାଙ୍କ ଭାଇ ଭାଗବତ ମହାରଣା ମଧ୍ୟ ରହୁଥିଲେ। ପାରିପାର୍ଶ୍ବିକ ପରିସ୍ଥିତିରୁ ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ କହିଥିଲା। ଘଟଣାସ୍ଥଳରୁ ପୁଲିସ ସିସିଟିଭି ଫୁଟେଜ ଜବତ କରିବା ସହିତ ମଦ ବୋତଲ ଆଦି ଜବତ କରିଥିଲା। ଏନେଇ ଖାରବେଳନଗର ଥାନା ପୁଲିସ ହତ୍ୟା ମାମଲା ମଧ୍ୟ ରୁଜୁ କରିଥିଲା। କିନ୍ତୁ ସପ୍ତାହକ ପରେ ଘଟଣାର ରୂପ ବଦଳି ଯାଇଥିଲା। ପୁଲିସ ପକ୍ଷରୁ କୁହାଯାଇଥିଲା, ଏହା ଏକ ଦୁର୍ଘଟଣା। କାରଣ ଗୋପୀନାଥଙ୍କର କେହି ଶତ୍ରୁ ନ ଥିଲେ। କିମ୍ବା ତାଙ୍କର କାହା ସହିତ କୌଣସି ଗଣ୍ଡଗୋଳ ମଧ୍ୟ ଘଟି ନ ଥିଲା। ତେଣୁ ଗୋପୀନାଥ ରାତିରେ କାମ କରୁଥିବାବେଳେ ଝୁଣ୍ଟି ପଡ଼ିଥିଲେ ଫଳରେ ବଟାଳି ତାଙ୍କ ତଣ୍ଟିରେ ଗଳି ଯାଇଥିଲା। ଶେଷରେ ପୁଲିସ ଏକ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ରୁଜୁ କରି ଫାଇଲକୁ ବନ୍ଦ କରି ଦେଇଛି।

ଉନ୍ମୟ ପାଢ଼ୀ ମୃତ୍ୟୁ ମାମଲା

୨୦୧୮ ମସିହା ମାର୍ଚ ୨୦ ତାରିଖ। ମଞ୍ଚେଶ୍ବର ଥାନା ଅଧୀନ କୁଆଖାଇ ନଦୀପଠାରୁ ମିଳିଲା ଉନ୍ମୟ ପାଢ଼ୀ ନାମକ ଜଣେ ଯୁବକଙ୍କ ଅର୍ଧଦଗ୍ଧ ମୃତଦେହ। ଭାଇରାଲ ଭିଡିଓ ଘଟଣାକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ଭାଇ ଅଭିଯୋଗ କରିଥିଲେ। ପାରିପାର୍ଶ୍ବିକ ପରିସ୍ଥିତିରୁ ଏହା ଏକ ହତ୍ୟା ବୋଲି ଜଣାପଡ଼ୁଥିଲା। କାରଣ ଉନ୍ମୟ ନିଜ ଜିଭକୁ କାମୁଡି ପକାଇଥିବା ବେଳେ ପେଟରେ ଛୁରି ଭୁସା ଯାଇଥିଲା। ପରେ ତାଙ୍କ ଶରୀରରେ ଅଗ୍ନି ସଂଯୋଗ କରାଯାଇଥିଲା। ପାଖରେ ଲାପଟପ୍‌, ମୋବାଇଲ୍‌ ଫୋନ୍‌ ଅଧାପୋଡା ଅବସ୍ଥାରେ ପଡ଼ିଥିଲା। ନିକଟରେ ଉନ୍ମୟଙ୍କ ବାଇକ୍‌ ମଧୢ ଥିଲା। ଘଟଣାସ୍ଥଳ ଓ ପାରିପାର୍ଶ୍ବିକ ପରିସ୍ଥିତିରୁ ଉନ୍ମୟଙ୍କୁ ହତ୍ୟା କରାଯାଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା। ପୁଲିସ ପକ୍ଷରୁ ନିଜ ଆଡୁ ହତ୍ୟା ମାମଲା ରୁଜୁ ମଧୢ କରାଯାଇଥିଲା। ସେହି ଦିଗରେ ତଦନ୍ତ ମଧୢ ଆରମ୍ଭ ହୋଇଥିଲା। ଏହା ଏକ ସୁପରିକଳ୍ପିତ ଆତ୍ମହତ୍ୟା ବୋଲି ଘଟଣାର ଦୁଇ ମାସ ପରେ ପୁଲିସ ଗଣମାଧୢମକୁ ସୂଚନା ଦେଇଥିଲା। ମାତ୍ର ପୁଲିସର ଏଭଳି ବୟାନକୁ ସାଧାରଣରେ ସନ୍ଦେହ ହେବା ସ୍ବାଭାବିକ। କାରଣ ‘ଯଦି ଜଣେ ଆତ୍ମହତ୍ୟା କରିବାକୁ ଚାହିଁବ, ବିଜେବି ନଗରରୁ ନହରକଣ୍ଟା କାହିଁକି ଯିବ। ତାହା ପୁଣି ରାତିରେ। ସେ ତ ଚାହିଁଲେ ନିଜ ଘରେ ଆତ୍ମହତ୍ୟା କରି ପାରିବ। ଜଣେ ବ୍ୟକ୍ତି ନିଜ ମୁଣ୍ଡକୁ ପଥରରେ ଛେଚିବ, ପେଟରେ ଛୁରି ଭୁସିବ, ଏହା ପରେ ଦେହରେ ନିଆଁ ଲଗାଇବ; ଏହା ବିଶ୍ବାସଯୋଗ୍ୟ ହେଉନି’ ବୋଲି ଅବସରପ୍ରାପ୍ତ ପୁଲିସ ଡିଜି ସ˚ଜୀବ ମାରିକ କହିଥିଲେ। ଏବେ ଉନ୍ମୟ ପାଢ଼ୀ ଫାଇଲ ବନ୍ଦ ହୋଇଯାଇଛି।

ପୁଲିସ ତଦନ୍ତ ସ˚ପୂର୍ଣ ଫେଲ୍‌: ଆଇନଜୀବୀ 

ବହୁ ଚର୍ଚିତ ଉନ୍ମୟ ପାଢ଼ୀ ହତ୍ୟାକାଣ୍ଡଠାରୁ ଆରମ୍ଭ କରି କାଠମିସ୍ତ୍ରି ଓ ସିକ୍ୟୁରିଟି ଗାର୍ଡ ହତ୍ୟା ଘଟଣାରେ ପୁଲିସର ତଦନ୍ତ ସ˚ପୂର୍ଣ୍ଣ ମାରିଛି। ଅନଭିଜ୍ଞ ପୁଲିସ ଅଧିକାରୀଙ୍କୁ ଏସବୁ ସମ୍ବେଦନଶୀଳ ହତ୍ୟାକାଣ୍ତ ଦାୟିତ୍ବ ଦିଆଯିବା ଫଳରେ ଏଭଳି ଘଟଣା ଘଟିଛି। ଏକ ଯୋଜନାବଦ୍ଧ ହତ୍ୟାକାଣ୍ତକୁ ପୁଲିସ ଆତ୍ମହତ୍ୟାର ରୂପ ଦିଆଯାଉଛି ବୋଲି ଉନ୍ମୟଙ୍କ ପରିବାର ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ବନ ମହାନ୍ତି ସୂଚନା ଦେଇଛନ୍ତି।

ଶ୍ରୀ ମହାନ୍ତିଙ୍କ କହିବା ମୁତାବକ, ଅନ୍ୟାନ୍ୟ ହତ୍ୟାକାଣ୍ତରେ ପୁଲିସ ଚୂଡ଼ାନ୍ତ ରିପୋର୍ଟ କୋର୍ଟରେ ଦାଖଲ କରିବାକୁ ୯୦ ଦିନରୁ ୧୨୦ ଦିନ ସମୟ ନେଉଥିବା ବେଳେ ଏହି ଘଟଣାରେ ମାତ୍ର ୫୦ ଦିନ‌ରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବାକୁ ପ୍ରସ୍ତତି ଆରମ୍ଭ କରିବା ସନ୍ଦେହଜନକ। ପୁଲିସର ଖାମଖିଆଲି ତଦନ୍ତ ଯୋଗୁ ଏଭଳି ରିପୋର୍ଟ ହେଉଛି। ପୁଲିସ କେବଳ ଦୁଇ/ଚାରି ଜଣଙ୍କୁ ସାକ୍ଷୀ ଭାବେ ପଚାରି ଦେଉଛି, ସେମାନେ ଯାହା କହୁଛନ୍ତି, ପୁଲିସ ତାକୁ ଗ୍ରହଣ କରିନେଉଛି। ଏହାପରେ ପୁଲିସ କେତେକ ବୈଷୟିକ ବିଜ୍ଞାନ ଉପରେ ନିର୍ଭର କରୁଛି। ଏହି ବୈ‌ଷୟିକ ବିଜ୍ଞାନ ଫେଲ ମାରିବା ପରେ ପୁଲିସ ନାଚାର ହୋଇ ପଡ଼ି ଫାଇଲ ବନ୍ଦ କରିବା ପକ୍ରିୟା ଆରମ୍ଭ କରୁଛି। ଯେଉଁ ସ୍ଥାନରେ ଏଭଳି ଘଟଣା ସାମନାକୁ ଆସୁଛି, ପୁଲିସ କ୍ୟାପିଟାଲ ହସ୍ପିଟାଲ ଛଡ଼ା ଏମ୍ସରେ ମଧ୍ୟ ଶବ ବ୍ୟବଚ୍ଛେଦ କରାଇବା କଥା। ସେହିପରି ପୁଲିସ କେବଳ ରାଜ୍ୟ‌ ଫୋରେନସିକ ଲାବୋରୋଟୋରି ରିପୋର୍ଟ ଉପରେ ନିର୍ଭର ନକରି ଜଟିଳ ମାମଲାଗୁଡ଼ିକ ପାଇଁ ଚଣ୍ଡୀଗଡ଼ରେ ଥିବା କେନ୍ଦ୍ରୀୟ ଫୋରେନସିକ୍ ରିପୋର୍ଟ ଗ୍ରହଣ କରିବା ଆବଶ୍ୟକ। କିନ୍ତୁ ପୁଲିସ କିଛି ନକରି ସିଧାସଳଖ ଆତ୍ମହତ୍ୟା ରୂପ ଦେଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଶ୍ରୀ ମହାନ୍ତି ଆହୁରି କହିଛନ୍ତି, ଉନ୍ମୟ ପାଢ଼ୀ ହତ୍ୟା ଘଟଣାରେ ବଡ଼ କଥା ହେଉଛି, ଉନ୍ମୟଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆରେ ତାଙ୍କ ଭିଡିଓ ଲଗାତାର ଭାବେ ଭାଇରାଲ ହୋଇଥିଲା। ଯାହାକୁ ଏଯାଏ ପୁଲିସ ଠାବ କରି ପାରିଲା ନାହିଁ।

ସମ୍ବନ୍ଧିତ ଖବର