ଖୁବ୍‌ଶୀଘ୍ର ଖୋଲିବ ଭୁବନେଶ୍ୱର ନିଉ ଷ୍ଟେସନ୍‌ : ୬ବର୍ଷ ପରେ ବି ଅଧାପନ୍ତରିଆ

ଭୁବନେଶ୍ୱର : ଭୁବନେଶ୍ୱର ଷ୍ଟେସନ୍‌ରୁ ୧୪କିମି ଦୂରରେ ରାଜଧାନୀ ଉପକଣ୍ଠରେ ରଘୁନାଥପୁର ନିକଟରେ ନିର୍ମାଣ ହେଉଥିବା ‘ଭୁବନେଶ୍ୱର ନିଉ’ ଷ୍ଟେସନ୍‌ ଚଳିତ ସପ୍ତାହରେ ଖୋଲିବ। କେନ୍ଦ୍ର ରେଳ ମନ୍ତ୍ରୀ କିମ୍ବା ରେଳ ରାଷ୍ଟ୍ର ମନ୍ତ୍ରୀ ଆସନ୍ତା ଶନିବାର/ରବିବାର ଏହି ଷ୍ଟେସନ୍‌କୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ପୂର୍ବତଟ ରେଳପଥ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ଆଗାମୀ ରଥଯାତ୍ରାକୁ ନଜରରେ ରଖି ଏହି ଷ୍ଟେସନ୍‌ ଉଦ୍‌ଘାଟନ କରାଯାଉଛି। ଏବେ ଏଠାରେ କେବଳ ୩ଟି ପାସେଞ୍ଜର ଟ୍ରେନ୍‌ ରହିବ। ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏଠାରେ ପୁରୀ-ହାଓ୍ଵଡା-ପୁରୀ ପାସେଞ୍ଜର, ରାଉରକେଲା-ପୁରୀ-ରାଉରକେଲା ପାସେଞ୍ଜର, କଟକ-ବ୍ରହ୍ମପୁର-କଟକ ମେମୁ ଟ୍ରେନ୍‌ ରହିବ।

୨୦୧୨ ମସିହାରେ ନିର୍ମାଣ ଆରମ୍ଭ ହୋଇଥିବା ଏହି ଷ୍ଟେସନ୍‌ଟିକୁ ଅନ୍ତର୍ଜାତୀୟ ଷ୍ଟେସନ୍‌ କରିବାକୁ ରେଳ ମନ୍ତ୍ରଣାଳୟ ଘୋଷଣା କରିଥିଲା। ଏଥିପାଇଁ ଲମ୍ବା ଚଉଡ଼ା ଯୋଜନା ପ୍ରସ୍ତୁତ ହେବା ସହ ନୂଆ ଡିଜାଇନ୍‌ ବି ହୋଇଥିଲା। କିନ୍ତୁ କାମ ଆରମ୍ଭ ହେବା ପରେ ଏହା ସାଟେଲାଇଟ୍‌ ଷ୍ଟେସନ୍‌ରେ ପରିଣତ ହୋଇଗଲା। ଭୁବନେଶ୍ୱର ଷ୍ଟେସନ୍‌ର ଭିଡ଼ କମାଇବା ପାଇଁ ଏହାକୁ ସାଟେଲାଇଟ୍‌ ଷ୍ଟେସନ୍‌ କରାଗଲା ବୋଲି କୁହାଗଲା। ପ୍ରାୟ ୩୦କୋଟି ଟଙ୍କାରେ ନିର୍ମାଣ ହୋଇଥିବା ଏହି ଷ୍ଟେସନ୍‌ ୨୦୧୫ରେ ଶେଷ ହେବ ବୋଲି ନିଷ୍ପତ୍ତି ହୋଇଥିଲା। କିନ୍ତୁ ଧାର୍ଯ୍ୟ ସମୟରେ ଶେଷ ହୋଇ ନଥିଲା। ଏହାପରେ ତିନି ଥର ପ୍ରକଳ୍ପ ଶେଷ ପାଇଁ ଟାର୍ଗେଟ୍‌ ଧାର୍ଯ୍ୟ ହୋଇଥିଲେ ହେଁ ସରି ନଥିଲା। କାମ ବିଳମ୍ବ ହେବା ପରେ ନିର୍ମାଣ କରୁଥିବା ସଂସ୍ଥାକୁ ବଦଳା ଯାଇଥିଲା। ଶେଷରେ ଏହି ଷ୍ଟେସନ୍‌କୁ ଚଳିତ ସପ୍ତାହରେ ଉଦ୍‌ଘାଟନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଷ୍ଟେସନ୍‌ରେ ଯାତ୍ରୀଙ୍କ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଓ, ଗମନାଗମନର ସୁବିଧା ନଥିବାରୁ ଏଠାରେ ପରୀକ୍ଷାମୂଳକ ଭାବେ ପାସେଞ୍ଜର ଟ୍ରେନ୍‌ ଚଳାଚଳ ଆରମ୍ଭ ହେବ। ୬ମାସ ପରେ କେତେ ଯାତ୍ରୀ ଚଢ଼ୁଛନ୍ତି/କେତେ ଓହ୍ଲାଉଛନ୍ତି ତା’ର ସମୀକ୍ଷା କରାଯିବ। ଯଦି ଆଶାନୁରୂପକ ଯାତ୍ରୀ ନହୁଅନ୍ତି ତେବେ ଏହାକୁ ବନ୍ଦ କରିଦିଆଯିବାର ଆଶଙ୍କା ବି ଅଛି।

ଭୁବନେଶ୍ୱର ନିଉ ଷ୍ଟେସନ୍‌ରୁ ଭୁବନେଶ୍ୱରରୁ ଦକ୍ଷିଣ ଭାରତକୁ ଯାଉଥିବା ଟ୍ରେନ୍‌ଗୁଡ଼ିକର ଚଳାଚଳ ଆରମ୍ଭ କରିବାକୁ ଯୋଜନା ହୋଇଥିଲେ ହେଁ ଏବେ କେବଳ ପାସେଞ୍ଜର ଟ୍ରେନ୍‌ ଚଳାଇବାକୁ ଯୋଜନା ହୋଇଛି। ଏନେଇ ପୂର୍ବତଟ ରେଳପଥର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏହି ସୁବିଧା ଆରମ୍ଭ କରିବାକୁ ପ୍ରାୟ ୨ବର୍ଷ ଲାଗିବ। ଏବେ ପ୍ରଥମ ପର୍ଯ୍ୟାୟ କାମ ଶେଷ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଦକ୍ଷିଣ ଭାରତକୁ ଟ୍ରେନ୍‌ ଚଳାଚଳ ପାଇଁ ସୁବିଧା ରହିବ। ଟ୍ରେନ୍‌ ମରାମତି, ବଗି ସଫା କରିବା, ଟ୍ରେନ୍‌ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ବିଶ୍ରାମାଗାର, ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ବିଶ୍ରାମାଗାର ନିର୍ମାଣ ହେବା ପରେ ଏଠାରୁ ଦକ୍ଷିଣ ଭାରତକୁ ଟ୍ରେନ୍‌ ଚଳାଚଳ କରିବ।

ପୂର୍ବତଟ ରେଳପଥର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବାରଙ୍ଗ ଓ ମଞ୍ଚେଶ୍ୱର ରେଳ ଷ୍ଟେସନ୍‌ ମଧ୍ୟରେ ରଘୁନାଥପୁର ନିକଟରେ ଗଢି ଉଠିଥିବା ଭୁବନେଶ୍ୱର ନିଉ ଷ୍ଟେସନ୍‌ ରାଜଆଠଗଡ଼-ବାରଙ୍ଗ ରେଳ ଲାଇନର ଦୋହରୀକରଣର ଏକ ଅଂଶ। ଏହି ଷ୍ଟେସନ୍‌ର ନିର୍ମାଣ ପାଇଁ ପ୍ରାୟ ୩୦କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ ଷ୍ଟେସନ୍‌ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ୨୫କୋଟି, ବିଭିନ୍ନ ବିଲ୍‌ଡିଂ ପାଇଁ ୧.୨କୋଟି, ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇଁ ୩.୫କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଠାରେ ଅତ୍ୟାଧୁନିକ ସିଗନାଲ୍‌ ବ୍ୟବସ୍ଥା, ୭ଟି ପ୍ଲାଟଫର୍ମ, ପ୍ଲାଟଫର୍ମ ରୁଫ୍‌, ଷ୍ଟେସନ୍‌ ବିଲ୍‌ଡିଂ, ରେଳ ଟ୍ରାକ ଉପରେ ବିଦ୍ୟୁତ ତାର ସଂଯୋଗ, ଟ୍ରେନ୍‌ ଗୋଟେ ଟ୍ରାକରୁ ଅନ୍ୟ ଟ୍ରାକ୍‌କୁ ଯିବା ପାଇଁ (ରେଳଲାଇନ୍‌ ଇଣ୍ଟର ଲକିଂ) ବ୍ୟବସ୍ଥା ହୋଇଛି।

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ଷ୍ଟେସନ୍‌ରେ ଏବେ ୬ଟି ପ୍ଲାଟଫର୍ମ ଥିବାବେଳେ ଏହି ସାଟେଲାଇଟ୍‌ ଷ୍ଟେସନ୍‌ରେ ୭ଟି ପ୍ଲାଟଫର୍ମ ରହିବ। ଏହାସହ ୯ଟି ଟ୍ରାକ୍‌ ରହିବ। ଏବେ ପ୍ରାୟ ତିନିଟି ରେଳ ଲାଇନ୍‌ରେ ଟ୍ରେନ୍‌ ଚଳାଚଳ କରିବ। ଭବିଷ୍ୟତରେ ଭୁବନେଶ୍ୱର ରେଳ ଷ୍ଟେସନ୍‌ର ଅଧିକ ସମ୍ପ୍ରସାରଣ ସମ୍ଭାବନା ନଥିବାରୁ ଏହି ସାଟେଲାଇଟ୍‌ ଷ୍ଟେସନ୍‌ ସମ୍ପ୍ରସାରଣ ପାଇଁ ବ୍ୟବହାର ହେବ। ଏଥିପାଇଁ ଏହି ନୂଆ ଷ୍ଟେସନ୍‌ର ୩ କିମି ଦୂରତା ପର୍ଯ୍ୟନ୍ତ ୨୦୦ମିଟର ଓସାର ମଧ୍ୟରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ କରିବା ଉପରେ ରୋକ୍‌ ଲାଗିଛି।

ସେହିପରି ଏହି ଷ୍ଟେସନ୍‌ର ଉଦ୍‌ଘାଟନ ସହ ଖୋର୍ଦ୍ଧା ରୋଡ୍‌ରେ ମେମୁ ସେଡ୍‌, ପୁରୀର ବଗଲା ଧର୍ମଶାଳାରେ ନୂଆ ଟିକେଟ କାଉଣ୍ଟର୍‌, ବ୍ରହ୍ମପୁର ରେଳ ଷ୍ଟେସନ୍‌ରେ ନିର୍ମାଣ ହୋଇଥିବା ଫୁଟ୍‌ ଓଭରବ୍ରିଜ୍‌, ଭଦ୍ରକରେ ନୂଆ ଷ୍ଟେସନ୍‌ ବିଲ୍‌ଡିଂ, ୬ମିଟର ଚଉଡ଼ା ବିଶିଷ୍ଟ ନୂଆ ଫୁଟ୍‌ ଓଭରବ୍ରିଜ୍‌ ଉଦ୍‌ଘାଟନ ହେବ।

ସମ୍ବନ୍ଧିତ ଖବର