ଆଜି ଉଦ୍‌ଘାଟିତ ହେବ ଭୁବନେଶ୍ୱର ନ୍ୟୁ ଷ୍ଟେସନ୍‌

ଭୁବନେଶ୍ୱର : ଭୁବନେଶ୍ୱର ନ୍ୟୁ ଷ୍ଟେସନ୍‌ ଆସନ୍ତା କାଲି ଉଦ୍‌ଘାଟିତ ହେବ। କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉଦ୍‌ଘାଟନ କରିବେ। ଆସନ୍ତା କାଲିଠାରୁ ଏହି ଷ୍ଟେସନ୍‌ରେ ପରୀକ୍ଷାମୂଳକ ଭାବେ ୩ଟି ଯାତ୍ରୀବାହୀ ଟ୍ରେନ୍‌ ରହିବ। ଏହି ଟ୍ରେନ୍‌ଗୁଡ଼ିକ ହେଲା ହାଓଡ଼ା-ପୁରୀ-ସନ୍ତ୍ରାଗାଛି, ରାଉରକେଲା-ପୁରୀ -ରାଉରକେଲା ଏବଂ କଟକ-ବ୍ରହ୍ମପୁର-କଟକ ମେମୁ। ୬ ମାସ ପର୍ଯ୍ୟନ୍ତ ଏହି ରହଣି ଜାରି ରହିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର ନ୍ୟୁ ଷ୍ଟେସନ୍‌ ସହ ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ନୂଆ ତୃତୀୟ ଫୁଟ୍‌ ଓଭର୍‌ ବ୍ରିଜ୍‌ ଓ ରଥଯାତ୍ରା ପାଇଁ ସ୍ୱତନ୍ତ୍ର ମୋବାଇଲ୍‌ ଆପ୍‌ ବି ଉଦ୍‌ଘାଟିତ ହେବ। ଏହି ଉଦ୍‌ଘାଟନୀ ଉତ୍ସବରେ ଶ୍ରୀ ପ୍ରଧାନଙ୍କ ସହ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, ପରିବହନ ମନ୍ତ୍ରୀ ନୃସିଂହ ଚନ୍ଦ୍ର ସାହୁ, ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ବିଜୟ ମହାନ୍ତି ଓ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ମଧ୍ୟ ଉପସ୍ଥିତ ରହିବେ। ପୁଣି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଖୋର୍ଧା ରୋଡ୍‌ ରେଳ ଷ୍ଟେସନ୍‌ରେ ମେମୁ ସେଡ୍‌ ଓ ବାଗଲ ଧର୍ମଶାଳା ଓ ପୁରୀଠାରେ ପିଆର୍‌ଏସ୍‌ କାଉଣ୍ଟର୍‌ ପ୍ରକଳ୍ପ ଉଦ୍‌ଘାଟିତ ହେବ। ଏହି ଅବସରରେ ଖୋର୍ଧାଠାରେ ଜଟ୍‌ଣୀ ବିଧାୟକ ଭାଗୀରଥି ବଡ଼ଜେନା ଏବଂ ପୁରୀଠାରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଓ ସାଂସଦ ପିନାକୀ ମିଶ୍ର ପ୍ରମୁଖ ଉପସ୍ଥିତ ରହିବେ।

ସମ୍ବନ୍ଧିତ ଖବର