ଭୁବନେଶ୍ୱର ରେଳ ଷ୍ଟେସନ୍‌ : ୧୫୦ ଦିନରେ ସରିଲା ଫୁଟ୍‌ ଓଭରବ୍ରିଜ୍‌ କାମ

ଚନ୍ଦ୍ରଶେଖରପୁର : ରଥଯାତ୍ରା ଅବ୍ୟବହିତ ପୂର୍ବରୁ ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ତୃତୀୟ ଫୁଟ୍‌ ଓଭରବ୍ରିଜ୍‌ (ଏଫ୍‌ଓବି) କାର୍ଯ୍ୟ ସମାପ୍ତ ହୋଇଛି। ୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଫୁଟ୍‌ ଓଭରବ୍ରିଜ୍‌ ରାଜ୍ୟର ସବୁଠୁ ଚଉଡ଼ା ବ୍ରିଜ୍‌ ବୋଲି କୁହାଯାଉଛି। ୬ମିଟର ଚଉଡ଼ା ବିଶିଷ୍ଟ ଏହି ଏଫ୍‌ଓବିକୁ ଚଳିତ ବର୍ଷ ଜାନୁଆରି ୧୭ରେ ରେଳବୋର୍ଡ ପକ୍ଷରୁ ଅନୁମତି ମିଳିଥିଲା। ମାତ୍ର ୧୫୦ ଦିନରେ ଏହାର କାର୍ଯ୍ୟ ସମାପ୍ତ କରି ପୂର୍ବତଟ ରେଳପଥ ରେକର୍ଡ କରିଥିବା ପ୍ରକାଶ। ଭୁବନେଶ୍ୱର ଷ୍ଟେସନରେ ବୃଦ୍ଧି ପାଉଥିବା ଯାତ୍ରୀ ଭିଡ଼କୁ ଲକ୍ଷ୍ୟ କରି ଏପରି ଏକ ଏଫ୍‌ଓବି ନିର୍ମାଣର ଆବଶ୍ୟକତା ଥିବା ଉପଲବ୍ଧି କରି ପୂର୍ବତଟ ରେଳ ପକ୍ଷରୁ ଏହାର ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଯାତ୍ରୀମାନଙ୍କୁ ଯାତାୟାତରେ କୌଣସି ଅସୁବିଧାରେ ନପକାଇବା ପାଇଁ ପ୍ରାୟତଃ ରାତିରେ ହିଁ ଏହି ନିର୍ମାଣ କାର୍ଯ୍ୟ କରାଯାଇଥିଲା। ଏହି ଫୁଟ୍‌ ଓଭରବ୍ରିଜ୍‌ ପ୍ଲାଟ୍‌ଫର୍ମ ୧ରୁ ପ୍ଲାଟ୍‌ଫର୍ମ ୬ ପର୍ଯ୍ୟନ୍ତ ସଂଯୋଗ କରିବ। ପ୍ଲାଟଫର୍ମ ୨ ଓ ୩ ଏବଂ ୪ ଓ ୫ରେ ଓହ୍ଲେଇବା ବ୍ୟବସ୍ଥା ମଧ୍ୟ ରହିଛି। ନାନା ପ୍ରତିବନ୍ଧକ ସତ୍ତ୍ୱେ ଏହାକୁ ୧୫୦ ଦିନରେ ସମାପ୍ତ କରିବା ପୂର୍ବତଟ ରେଳ ପାଇଁ ଏକ ସଫଳତାର ବିଷୟ ବୋଲି ପ୍ରକାଶ। ଆସନ୍ତା ରଥଯାତ୍ରା ଅବସରରେ ଏହା ଯାତ୍ରୀ ଭିଡ଼ ନିୟନ୍ତ୍ରଣ କରିବା ତଥା ରେଳଯାତ୍ରାକୁ ସୁଗମ କରିବାରେ ଏହା ବେଶ୍‌ ସହାୟକ ହେବ ବୋଲି ପୂର୍ବତଟ ରେଳ ପକ୍ଷରୁ ପ୍ରକାଶ। ଏହାକୁ ବିଧିବଦ୍ଧ ଭାବେ ପରବର୍ତ୍ତୀ ସମୟରେ ଉଦ୍‌ଘାଟନ କରାଯିବ ବୋଲି ସୂଚନା ମିଳିଛି। ଏ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍‌ କରି କେନ୍ଦ୍ର ରେଳମନ୍ତ୍ରୀ ଓ ପୂର୍ବତଟ ରେଳପଥ କର୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର