ରାଜଧାନୀରେ ଟ୍ରାଫିକ୍‌ ନିୟନ୍ତ୍ରଣ : ଘରୋଇ ଆମ୍ବୁଲାନ୍‌ସରେ ଜିପିଏସ୍‌ ବାଧ୍ୟତାମୂଳକ!

ଭୁବନେଶ୍ୱର : ରାଜଧାନୀରେ ଗଡ଼ୁଥିବା ଘରୋଇ ଆମ୍ବୁଲାନ୍‌ସଗୁଡ଼ିକରେ ଜିପିଏସ୍‌ ଲଗାଇବା ବାଧ୍ୟତାମୂଳକ କରାଯିବ। ଯେଉଁ ହସ୍ପିଟାଲଗୁଡ଼ିକର ଆମ୍ବୁଲାନ୍‌ସ ରହିଛି ସେମାନେ ଜିପିଏସ୍‌ ଲଗାଇବେ। ଯାହାଫଳରେ ରାଜଧାନୀରେ ଟ୍ରାଫିକ୍‌ ସମସ୍ୟା ଦୂର ହେବା ସହିତ ଆମ୍ବୁଲାନ୍‌ସ ଚଳାଚଳ ସହଜ ହୋଇପାରିବ।

ରାଜଧାନୀରେ କ୍ୟାପିଟାଲ ହସ୍ପିଟାଲକୁ ଛାଡ଼ି ଦେଲେ ପ୍ରାୟ ୨୦ଟି ଘରୋଇ ଓ କର୍ପୋରେଟ ହସ୍ପିଟାଲ୍‌ ରହିଛି। ଗୋଟିଏ ଗୋଟିଏ ଘରୋଇ ହସ୍ପିଟାଲରେ ଏକାଧିକ ଆମ୍ବୁଲାନ୍‌ସ ରହିଛି। ସରକାରୀ ଡାକ୍ତରଖାନାରୁ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିବା ପାଇଁ ୧୦୮ ଓ ୧୦୨ ଆମ୍ବୁଲାନ୍‌ସ ରହିଛି। ଏସବୁ ଆମ୍ବୁଲାନ୍‌ସରେ ପୂର୍ବରୁ ଜିପିଏସ୍‌ ଲାଗିଛି। ତେଣୁ ଆମ୍ବୁଲାନ୍‌ସ ଚଳାଉଥିବା ସଂସ୍ଥା ପକ୍ଷରୁ ସେମାନଙ୍କୁ ଟ୍ରାକ୍‌ କରିବା ସମ୍ଭବ ହୋଇପାରୁଛି। ମାତ୍ର ଘରୋଇ ଆମ୍ବୁଲାନ୍‌ସ ଗୁଡ଼ିକ ସେମାନଙ୍କ ଆମ୍ବୁଲାନ୍‌ସରେ ଜିପିଏସ୍‌ ଲଗାଉ ନାହାନ୍ତି। ତେଣୁ ସେମାନଙ୍କୁ ଟ୍ରାକ୍‌ କରିବା ସମ୍ଭବ ହେଉନାହିଁ। ଘରୋଇ ଆମ୍ବୁଲାନ୍‌ସଗୁଡ଼ିକର ସହଜରେ ଚଳାଚଳ କରିବା ପାଇଁ ଜିପିଏସ୍‌ ବାଧ୍ୟତାମୂଳକ କରାଯିବ। ଏହି ଆମ୍ବୁଲାନ୍‌ସଗୁଡ଼ିକୁ ନୂତନ ଭାବେ କାର୍ଯ୍ୟକ୍ଷମ ହୋଇଥିବା ଭୁବନେଶ୍ୱର ଅପରେସନ୍‌ ସେଣ୍ଟର ବା ବିଓସିରୁ ନିୟନ୍ତ୍ରଣ କରାଯିବ। ଯଦିଓ ଏଥିପାଇଁ ବିଧିବଦ୍ଧ ଭାବେ ନିଷ୍ପତ୍ତି ହୋଇନାହିଁ ତେବେ ଆଗାମୀ ଦିନରେ ଏହାକୁ ବାଧ୍ୟତାମୂଳକ କରାଯିବ ବୋଲି ସୂଚନା ମିଳିଛି।  ଅପରପକ୍ଷରେ ରାଜଧାନୀରେ ଚଳାଚଳ କରୁଥିବା ଘରୋଇ ଆମ୍ବୁଲାନ୍‌ସ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିଲେ ହେଁ ରାଜଧାନୀକୁ ବାହାରୁ ଆସୁଥିବା ଆମ୍ବୁଲାନ୍‌ସ ପାଇଁ କୌଣସି ନିଷ୍ପତ୍ତି ହୋଇନାହିଁ।

ସମ୍ବନ୍ଧିତ ଖବର