ଭୁବନେଶ୍ୱରରେ ଯୁକ୍ତ୨ ନାମଲେଖା: ୫୯ କଲେଜର ୧୭ ହଜାର ସିଟ୍‌

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ୨ କଲେଜ)ରେ ନାମଲେଖା ପାଇଁ ଆଜିଠାରୁ ଆବେଦନ ଆରମ୍ଭ ହୋଇଛି। ବିଗତ ବର୍ଷଗୁଡ଼ିକ ପରି ଏଥର ମଧ୍ୟ ଅନ୍‌ଲାଇନ୍‌ ମଧ୍ୟରେ ଛାତ୍ରଛାତ୍ରୀ ଫର୍ମ ପୂରଣ କରୁଛନ୍ତି। ଭୁବନେଶ୍ୱରର ବିଭିନ୍ନ ବିଦ୍ୟାଳୟରେ ହୋଇଥିବା ସାମ୍‌ସ ସେଣ୍ଟରରେ ଆଜି ସେଭଳି ଗହଳି ଦେଖିବାକୁ ମିଳି ନ ଥିଲା। କାଁ ଭାଁ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ଫର୍ମ ପୂରଣ କରିଥିଲେ ମଧ୍ୟ ସାମ୍‌ସ ସେଣ୍ଟରକୁ କେହି ବି ଆସି ନ ଥିଲେ। ୨୦୧୮-୧୯ ଶିକ୍ଷାବର୍ଷରେ ରାଜଧାନୀର ୫୯ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୭ ହଜାର ୮ ଶହ ୮ ସିଟ୍‌ ପାଇଁ ନାମଲେଖା ହେବ। ଏଥିରେ କଳା ବିଭାଗରେ ୪ ହଜାର ୫୭୬ ସିଟ୍‌ ଥିବା ବେଳେ ବିଜ୍ଞାନ ବିଭାଗରେ ୧୧ ହଜାର ୮ ସିଟ୍‌ ଓ ବାଣିଜ୍ୟ ବିଭାଗରେ ୨ ହଜାର ୨୨୪ ସିଟ୍‌ ରହିଛି। ପ୍ରଥମ ଥର ଲାଗି ଯୁକ୍ତ୨ କଲେଜ ବଦଳରେ ଶିକ୍ଷାନୁଷ୍ଠାନଗୁଡ଼ିକ ନାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବୋଲି ଉଲ୍ଲେଖ କରାଯାଇଛି। ତେଣୁ ଛାତ୍ରଛାତ୍ରୀ ଦ୍ୱନ୍ଦ୍ୱରେ ନ ପଡ଼ି କଲେଜଗୁଡ଼ିକୁ ବିଦ୍ୟାଳୟ ଅନୁଯାୟୀ ଦେଖିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ପ୍ରତିବର୍ଷ କଟ୍‌ ଅଫ୍‌ ମାର୍କ ବଢ଼ୁଥିବାରୁ ଛାତ୍ରଛାତ୍ରୀ ଫର୍ମ ପୂରଣ କରିବା ପୂର୍ବରୁ ବିଗତବର୍ଷଗୁଡ଼ିକର କଟ୍‌ ଅଫ୍‌ ମାର୍କ ଭଲ ଭାବେ ଦେଖି ଆବେଦନ କରିବାକୁ ଶିକ୍ଷାବିତ୍‌ମାନେ ପରାମର୍ଶ ଦେଇଛନ୍ତି। ଏଥର ବେସିକ୍‌ ସାଇନ୍ସ ବିଦ୍ୟାଳୟର ବିଜ୍ଞାନ ବିଭାଗରେ ୩୮୪ ସିଟ୍‌ ପାଇଁ ନାମଲେଖା ହେବ। ସେହିପରି ବିଜେବି ବିଦ୍ୟାଳୟର କଳା ବିଭାଗର ୫୧୨, ବିଜ୍ଞାନର ୫୪୪, ବାଣିଜ୍ୟର ୧୯୨ ସିଟ୍‌, ବିଜୁ ପଟ୍ଟନାୟକ ବିଦ୍ୟାଳୟର କଳା ଓ ବିଜ୍ଞାନ ବିଭାଗର ୨୫୬ ଲେଖାଏଁ ସିଟ୍‌ ଓ ବାଣିଜ୍ୟ ବିଭାଗର ୧୨୮ ସିଟ୍‌, ସିଟି ଓ୍ଵିମେନ୍ସ ସ୍କୁଲର କଳା ବିଭାଗର ୨୫୬ ଓ ବିଜ୍ଞାନ ବିଭାଗର ୬୪ ସିଟ୍‌, ଦେବରାୟ ଓ ଏକାମ୍ର ଉଚ୍ଚ ମାଧ୍ୟମିକ ସ୍କୁଲର କଳା ବିଭାଗର ୨୫୬ ଲେଖାଏଁ ସିଟ୍‌, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ୧୨୮ ଲେଖାଏଁ ସିଟ୍‌ ପାଇଁ ନାମଲେଖା କରାଯିବ। କମଳା ନେହେରୁ ମହିଳା ବିଦ୍ୟାଳୟର କଳା ବିଭାଗରେ ୨୫୬, ବିଜ୍ଞାନରେ ୧୨୮ ଓ ବାଣିଜ୍ୟରେ ୬୪ଟି ସିଟ୍‌ ପାଇଁ ନାମଲେଖା ହେବ। ମହର୍ଷି ସ୍କୁଲ ଅଫ୍‌ ନାଚୁରାଲ ଲ’ର କଳା ବିଭାଗରେ ୧୨୮, ବିଜ୍ଞାନରେ ୨୫୬ ଓ ବାଣିଜ୍ୟରେ ୧୨୮, ମହର୍ଷି ମହିଳା ସ୍କୁଲର କଳା ବିଭାଗରେ ୨୫୬ ଓ ବିଜ୍ଞାନରେ ୧୨୮ ସିଟ୍‌, ରାଜଧାନୀ କଲେଜର କଳାରେ ୨୫୬, ବିଜ୍ଞାନରେ ୩୮୪ ଓ ବାଣିଜ୍ୟର ୧୨୮ ସିଟ୍‌, ରମାଦେବୀ ମହିଳା ସ୍କୁଲର କଳାରେ ୫୧୨, ବିଜ୍ଞାନରେ ୩୮୪ ଓ ବାଣିଜ୍ୟ ବିଭାଗର ୨୫୬ ସିଟ୍‌, ସତ୍ୟସାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କଳାରେ ୧୯୨ ଓ ବିଜ୍ଞାନ ବିଭାଗର ୧୨୮ ସିଟ୍‌ ଲାଗି ନାମଲେଖା ହେବ।

ସମ୍ବନ୍ଧିତ ଖବର