ଭୁବନେଶ୍ୱରରେ ହେବ ଆଲୁମିନିୟମ୍‌ ସଂଗ୍ରହାଳୟ

ରାଜ୍ୟ ସଂଗ୍ରହାଳୟରେ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ

ଭୁବନେଶ୍ୱର: ଭୁବନେଶ୍ୱରରେ ଏକ ଆଲୁମିନିୟମ୍‌ ସଂଗ୍ରହାଳୟ ପ୍ରତିଷ୍ଠା ହେବ। ଆଲୁମିନିୟମ୍‌ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ଏହା ସ୍ଥାପନ କରାଯିବ ବୋଲି ନାଲ୍‌କୋର ଅଧ୍ୟକ୍ଷ ତଥା ଆଲୁମିନିୟମ୍‌ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆର ସଭାପତି ଡ. ତପନ କୁମାର ଚାନ୍ଦ କହିଛନ୍ତି। ଆଜି ରାଜ୍ୟ ସଂଗ୍ରହାଳୟରେ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଡ. ଚାନ୍ଦ କହିଲେ, ଓଡ଼ିଶାକୁ ଦେଶର ଆଲୁମିନିୟମ୍‌ ରାଜଧାନୀ ଭାବେ ପରିଗଣନା କରାଯାଉଛି। ତେଣୁ ଆଲୁମିନିୟମ୍‌ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ସ୍ମାର୍ଟ୍‌ ସିଟି ଭୁବନେଶ୍ୱରରେ ଆଲୁମିନିୟମ୍‌ର ଉପାଦେୟତା ଏବଂ ଇତିହାସ ସମ୍ବଳିତ ଏକ ସଂଗ୍ରହାଳୟ ପ୍ରତିଷ୍ଠା କରାଯିବା ପାଇଁ ଯୋଜନା କରାଯାଇଛି ବୋଲି ଡ. ଚାନ୍ଦ ସୂଚନା ଦେଇଥିଲେ।

ଏହି ସଂଗ୍ରହାଳୟରେ ନୂତନ ବୈଷୟିକ ଜ୍ଞାନକୌଶଳକୁ ଆପଣେଇବା ପାଇଁ ସେ ପରାମର୍ଶ ଦେବା ସହ ଏଠାରେ ଅଡିଓ ଗାଇଡ୍‌ ବ୍ୟବସ୍ଥା କରିବା ପାଇଁ ମତାମତ ଦେଇଥିଲେ। ଇତିହାସ ଓ ସଂଗ୍ରହାଳୟରେ ସଂଗୃହୀତ ସାମଗ୍ରୀଗୁଡ଼ିକୁ ବିଧିବଦ୍ଧ ଲିପିବଦ୍ଧ କରି ରଖିିବାକୁ ଡ. ଚାନ୍ଦ ମତ ରଖିଥିଲେ। ଏହାସହ ନାଲ୍‌କୋ ସହାୟତାରେ ସଂଗ୍ରହାଳୟକୁ ଦିବ୍ୟାଙ୍ଗଙ୍କ ନିମନ୍ତେ ଉପଯୋଗୀ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ସାଂସଦ ତଥା ବିଶିଷ୍ଟ ଅଭିନେତା ପ୍ରଶାନ୍ତ ନନ୍ଦ ଅତିଥି ଭାବେ ଯୋଗଦେଇ ‘ପୁନଃ ସଂଗଠିତ ମୁଦ୍ରା ଗ୍ୟାଲେରି’ ଏବଂ ‘ନୂତନ ଚଳଚ୍ଚିତ୍ର ଗ୍ୟାଲେରି’କୁ ଉଦ୍‌ଘାଟନ କରିଥିଲେ। ମୁଦ୍ରା ଗ୍ୟାଲେରିରେ ଭାରତୀୟ ରାଜବଂଶର ପ୍ରଚଳିତ ମୁଦ୍ରା ସ୍ଥାନ ପାଇଥିବା ବେଳେ ଚଳଚ୍ଚିତ୍ର ଗ୍ୟାଲେରିରେ ଓଡ଼ିଆ ସିନେମା ପୋଷ୍ଟରର ପ୍ରତିଲିପି, ଗୀତବୈଠକୀ ଓ ଗୀତ ରେକର୍ଡିଂ ସମୟର ସ୍ମରଣୀୟ ଫଟୋ ସ୍ଥାନିତ ହୋଇଛି। ଖ୍ୟାତନାମା ଅଭିନେତ୍ରୀ ଝରଣା ଦାସ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ, ଓଡ଼ିଆ ଚଳଚ୍ଚିତ୍ରରେ ସଂପ୍ରତି ବ୍ୟବହୃତ ଓଡ଼ିଆ ଭାଷାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଓଡ଼ିଆ ଭାଷାର ମର୍ଯ୍ୟାଦା ପାଇଁ ପ୍ରତ୍ୟେକ ସଚେତନ ଓଡ଼ିଆଙ୍କ ଭାଗିଦାରୀ ଲୋଡ଼ା ବୋଲି କହିଥିଲେ। ବିଭାଗୀୟ କମିସନର ମନୋରଂଜନ ପାଣିଗ୍ରାହୀ ସଂଗ୍ରହାଳୟ ଆମ ଐତିହ୍ୟ ଓ ଅସ୍ମିତାର ପ୍ରତୀକ ବୋଲି କହିଥିଲେ। ବିଭାଗୀୟ ନିର୍ଦେଶକ ବିଜୟ ନାୟକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ସଂଗ୍ରହାଳୟର ଅଧୀକ୍ଷକ ଡ. ଜୟନ୍ତୀ ରଥ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଏହି ଅବସରରେ ରାଜ୍ୟ ସଂଗ୍ରହାଳୟ ଏବଂ ଓଡ଼ିଶା ସଂଗ୍ରାହକ ମହାସଂଘର ମିଳିତ ଉଦ୍ୟମରେ ଆୟୋଜିତ ସଂଗ୍ରହ ପ୍ରଦର୍ଶନୀର ସଂଗ୍ରାହକ ଅରବିନ୍ଦ ରାୟ, ଶଶାଙ୍କ ଶେଖର ଦାସ, ତରଣୀସେନ ପଟ୍ଟନାୟକ, ବିଭୂତି ଭୂଷଣ ପଟ୍ଟନାୟକ ଏବଂ ରାଜକିଶୋର ମହାନ୍ତଙ୍କୁ ସମ୍ବର୍ଧିତ କରାଯାଇଥିଲା। ଅତିଥିମାନଙ୍କ ଦ୍ୱାରା ‘ଓଡ଼ିଶା ହିଷ୍ଟୋରିକାଲ୍‌ ରିସର୍ଚ ଜର୍ଣ୍ଣାଲ୍‌’ ଏବଂ ଗବେଷକ ପଣ୍ଡିତ ନୀଳମଣି ମିଶ୍ରଙ୍କ କୃତି ଆଧାରିତ ‘ପଣ୍ଡିତ ନୀଳମଣି ସଂଚୟନ’ ଲୋକାର୍ପିତ ହୋଇଥିଲା। ଏହାର ସମ୍ପାଦନା କରିଥିବା ଡ. ସଂଘମିତ୍ରା ମିଶ୍ର ଲୋକାର୍ପଣ ପର୍ବରେ ଉପସ୍ଥିତ ଥିଲେ। ଅଭିଲେଖାଗାରର ଅଧୀକ୍ଷକ ସୁଚିସ୍ମିତା ମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର