ଭୁବନେଶ୍ବର ମଧ୍ୟରେ ଲୋକ ପରିବର୍ତ୍ତନ ଚାହୁଁଛନ୍ତି, ସବୁରି ମୁହଁରେ ଜଗନ୍ନାଥ ପ୍ରଧାନ

ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା, ପକ୍କାଘର ମିଳିବ

ଭୁବନେଶ୍ବର: ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀରେ ଗତ ଦୁଇ ଥର ହେଲା ବିଜେଡି ବିଧାୟକ ଜିତିଥିଲେ ହେଁ ଏଠାରେ ବିଶେଷ କିଛି ଉନ୍ନତି ହୋଇନି। ଡ୍ରେନ୍, ସ୍ବେରେଜ୍‌ ପୂରା ଅବ୍ୟବସ୍ଥିତ ହୋଇପଡ଼ିଛି। ରାସ୍ତାଘାଟ ପୂରା ବିପର୍ଯ୍ୟସ୍ତ। ଲୋକଙ୍କୁ ପିଇବା ପାଣି ପର୍ଯ୍ୟାପ୍ତ ପରିମାଣରେ ମିଳୁନି। ବିଧାୟକ ବି କିଛି ଆଖିଦୃଶିଆ କାର୍ଯ୍ୟ କଲେନି। ଏବେ ଯିଏ ବିଜେଡିର ପ୍ରାର୍ଥୀ ହୋଇଛନ୍ତି ସେ ୧୦ବର୍ଷ ବିଏମ୍‌ସିର ମେୟର ରହିଲେ। ହେଲେ କିଛି ଉନ୍ନତିମୂଳକ କାର୍ଯ୍ୟ କରିପାରି‌େଲନି। ତେଣୁ ଭୁବନେଶ୍ବର ମଧ୍ୟରେ ପରିବର୍ତ୍ତନ ହେବା ଦରକାର। ନିର୍ବାଚନ ମଣ୍ଡଳୀର ମତଦାତା ଏହା ବୁଝିସାରିଲେଣି। ତେଣୁ ଏଥର ସେମାନେ ପଦ୍ମଫୁଲ ଚିହ୍ନରେ ଭୋଟ୍‌ ଦେଇ ନିଶ୍ଚିତ ପରିବର୍ତ୍ତନ ଆଣିବେ। ଭୁବନେଶ୍ବର ଏବେ ଭୂଜଳେଶ୍ବର ‌ପାଲଟିଛି। ବର୍ଷା ଦିନେ ଲୋକ ଜଳବନ୍ଦୀ ହେଉଛନ୍ତି। ଏମିତି କେଉଁ ଅଞ୍ଚଳ ନାହିଁ ଯେଉଁଠି ଅ‌ଣ୍ଟେ ଉଚ୍ଚରେ ପାଣି ଜମୁନି। ଲୋକ ବର୍ଷା ଦିନେ ବନ୍ୟାଞ୍ଚଳରେ ରହିବା ଭଳି ଅନୁଭବ କରୁଛନ୍ତି। ଡ୍ରେନ୍ ନିର୍ମାଣ ଓ ମରାମତି ପାଇଁ ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ ଏହାର ଫଳ ଲୋକ ପାଉନାହାନ୍ତି। କେବଳ ଡ୍ରେନ୍‌ ନୁହେଁ। ସ୍ବେରେଜ୍ ବ୍ୟବସ୍ଥା ତଦ୍ରୁପ। ଦୀର୍ଘ ବର୍ଷ ହେଲା ସ୍ବେରେଜ୍ ଲାଇନ୍ ବିଛାଇବା ନାମରେ ରାଜଧାନୀବାସୀଙ୍କୁ ନିର୍ଯାତନା ଦିଆଯାଉଛି। ରାସ୍ତାଘାଟ ଖୋଳି ଲୋକଙ୍କ ପାଇଁ ମରଣଯନ୍ତା ବସା ଯାଉଛି। ଲୋକଙ୍କୁ ଦି’ଓଳି ପିଇବା ପାଣି ଯୋଗାଇ ପାରୁନାହାନ୍ତି। ଲୋକଙ୍କ ଠାରୁ ମାସକୁ ମାସ ପାଣି କର ଆଦାୟ କରୁଛନ୍ତି ହେଲେ ଆବଶ୍ୟକୀୟ ପାଣି ଦେଇପାରୁନାହାନ୍ତି। ବସ୍ତି ଅଞ୍ଚଳ ସ୍ଥିତି ସାଂଘାତିକ। ଏଠାରେ ଲୋକଙ୍କୁ ଏପର୍ଯ୍ୟନ୍ତ ପକ୍କା ଘର ଦିଆଯାଇପାରିଲାନି। ଗୁଣାତ୍ମକ ସ୍ବାସ୍ଥ୍ୟସେବା ମିଳୁନି। ବିଶୁଦ୍ଧ ପିଇବା ପାଣି ପାଇବା ତ ସାତସପନ। ଯେତିକି ବି ସରକାରୀ ଯୋଜନା ଅଛି ତାହା ନିଜର ଦଳୀୟ ସମର୍ଥକଙ୍କୁ ଦିଆଯାଉଛି। ଭତ୍ତା ଠାରୁ ଆରମ୍ଭ କରି ଟଙ୍କିକିଆ ଚାଉଳ ପର୍ଯ୍ୟନ୍ତ ସବୁଥିରେ ପାତରଅନ୍ତର କରାଯାଉଛି। ତେଣୁ ବସ୍ତିବାସିନ୍ଦାଙ୍କ ସମେତ ସବୁ ବର୍ଗର ଲୋକ ଏଥର ପରିବର୍ତ୍ତନ ଚାହୁଁଛନ୍ତି। ବିଜେପି ହିଁ ଏହି ପରିବର୍ତ୍ତନ ହେବ।‌ ଯିଏ ଲୋକଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ପାରୁନାହାନ୍ତି ସେମାନଙ୍କର ପରିବର୍ତ୍ତନ ଆବଶ୍ୟକ ‌େବାଲି ଲୋକ ବୁଝିସାରିଲେଣି। ମୁଁ ଜଗନ୍ନାଥ ପ୍ରଧାନ ଲୋକଙ୍କ ସହ ଦୀର୍ଘ ୨୦ବର୍ଷ ହେଲା ରହି ଆସିଛି। ସେମାନଙ୍କ ସୁଖଦୁଃଖରେ ସହଭାଗୀ ହୋଇଛି। ତେଣୁ ଲୋକ ଏଥର ନିଶ୍ଚିତ ମୋତେ ପଦ୍ମଫୁଲରେ ଭୋଟ୍‌ ଦେଇ ଜିତାଇବେ।

ଏଥର ମୁଁ ନିର୍ବାଚନ ଜିତିଲେ ପ୍ରତ୍ୟେକ ବସ୍ତିବାସିନ୍ଦାଙ୍କୁ ୩ବର୍ଷ ମଧ୍ୟରେ ପକ୍କା ଘର ଯୋଗାଇବି। କେବଳ ଘର ନୁହେଁ ଜମି ପଟ୍ଟା ବି ମିଳିବ। ପ୍ରତ୍ୟେକ ଘରକୁ ୨୪ଘଣ୍ଟା ପାଣି ସଂଯୋଗ ଦିଆଯିବ। ୬ମାସ ମଧ୍ୟରେ ସ୍ବେରେଜ୍ କାର୍ଯ୍ୟ ଶେଷ ହେବ। ପ୍ରତ୍ୟେକ ଗଳିକନ୍ଦିରେ ଚକାଚକ୍‌ ରାସ୍ତା ହେବ। ବସ୍ତିରୁ ଆରମ୍ଭ କରି କଲୋନି ପର୍ଯ୍ୟନ୍ତ ସବୁଠି ପରିମଳ ବ୍ୟବସ୍ଥା ବଦଳିବ। ଯେଉଁ ଯେଉଁ ଅଞ୍ଚଳରେ ଯାହା ବି ସମସ୍ୟା ଅଛି ତା’ର ତୁରନ୍ତ ସମାଧାନ ହେବ। କେନ୍ଦ୍ରୀୟ ଯୋଜନା ଯେପରି ଲୋକଙ୍କ ପାଖରେ ପହଞ୍ଚିବ ସେନେଇ କାର୍ଯ୍ୟ କରିବି। ଏବେ ପ୍ରଚାର ସମୟରେ ଲୋକ ପରିବର୍ତ୍ତନ ଚାହୁଁଛନ୍ତି ବୋଲି କହୁଛନ୍ତି। ଆମର ସର୍ଭେ ଅନୁଯାୟୀ ଆମେ ୩୦ହଜାରରୁ ଅଧିକ ଭୋଟ୍‌ରେ ବିଜୟୀ ହେବୁ। ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀର ମତଦାତା ଏହି ପରବର୍ତ୍ତନର ସ୍ରୋତରେ ସାମିଲ୍‌ ହେବା ପାଇଁ ପଦ୍ମ ଫୁଲ‌ ଚିହ୍ନରେ ଭୋଟ୍‌ ଦିଅନ୍ତୁ ବୋଲି ମୁଁ ଅନୁରୋଧ କରିବି।
advt

ସମ୍ବନ୍ଧିତ ଖବର