୧୬ରେ ଭୁବନେଶ୍ବର ସାଇକ୍ଲୋଥୋନ୍

ଭୁବନେଶ୍ବର: ଦିନକୁ ଦିନ ହୃଦ୍‌ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ଯେତିକି ମହତ୍ତ୍ବ ରଖେ ଜନସଚେତନତା ଏହାଠୁ ଅଧିକ ଆବଶ୍ୟକ ହୋଇପଡ଼ିଛି। ଲକ୍ଷାଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ହେଉଥିବା ବେଳେ ବହୁ ଲୋକଙ୍କ ପ୍ରାଣହାନୀ ହେଉଛି। ବର୍ତମାନ ହୃଦ୍‌ରୋଗକୁ ନେଇ ଲୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ତେଣୁ ଲୋକମାନଙ୍କୁ ହୃଦ୍‌ରୋଗ ସମ୍ପର୍କରେ ସଚେତନ କରିବା ପାଇଁ ଓଡ଼ିଶାରେ ଚତୁର୍ଥ ଥର ପାଇଁ ‘ସମ୍ବାଦ’ ପକ୍ଷରୁ ଏକ ମହତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଆସନ୍ତା ୧୬ ତାରିଖରେ ସଚେତନତାଧର୍ମୀ ସାଇକେଲ୍‌ ଯାତ୍ରା ‘ଭୁବନେଶ୍ବର ସାଇକ୍ଲୋଥୋନ୍‌’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ଶୋଭାଯାତ୍ରାରେ ଓଲିଉଡ୍‌ର ବହୁ ସେଲେବ୍ରିଟିଙ୍କ ସମେତ କ୍ରୀଡ଼ାବିତ୍‌ ଏବଂ ବିଭିନ୍ନ ସ୍କୁଲ୍‌ କଲେଜ୍‌ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ବାଇସାଇକେଲ୍‌ ରାଇଡର୍‌ ସଂଗଠନ ସାମିଲ୍ ହେବାର କାର୍ଯ୍ୟକ୍ରମ ରହିଛି। ହୃଦ୍‌ରୋଗରୁ ରକ୍ଷା ପାଇବା ପାଇଁ ହେଲେ ଧୂମପାନରୁ ନିବୃତ୍ତ ରହିବା, ନିୟମିତ ବ୍ୟାୟାମ କରିବା ଏବଂ ସୁସ୍ଥ ଜୀବନଯାପନ କରିବା ବାବଦରେ ସଚେତନତା ସୃଷ୍ଟି କରାଯିବା ଏହି ସାଇକ୍ଲୋଥୋନ୍‌ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଫ୍ରିଡମ୍‌ ରିଫାଇନ୍‌ଡ ସନ୍‌ଫ୍ଲାୱାର୍‌ ତେଲ ସହାୟତାରେ ଏବଂ ଇମ୍ଫା ଓ ଶୁଭ୍‌ ଜୁଏଲର୍ସର ମିଳିତ ସହଯୋଗରେ ଏହା ଆୟୋଜିତ ହେବ। ୧୬ ତାରିଖ ସକାଳ ୫ଟା ୩୦ରୁ ଶିଖରଚଣ୍ଡୀ ନିକଟରୁ ଏହି ସାଇକେଲ୍‌ ଯାତ୍ରା ଆରମ୍ଭ ହେବ। ସେଠାରୁ ଏହି ଶୋଭାଯାତ୍ରା ଜୟଦେବ ବିହାର ରାସ୍ତା ଦେଇ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିବ। ଏଥିରେ ଅଂଶଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ, ବ୍ୟକ୍ତି‌ବିଶେଷ ମୋବାଇଲ୍‌ ନମ୍ବର ୯୮୬୧୦୪୭୮୩୬ରେ ଯୋଗାଯୋଗ କରିବାକୁ ନିବେଦନ।

ଆଧୁନିକ ପିଢ଼ି ପାଇଁ ଉପଯୋଗୀ
ସାଇକ୍ଲୋଥନ୍ ଭଳି କାର୍ଯ୍ୟକ୍ରମକୁ ‘ସମ୍ବାଦ’ ନିୟମିତ ଭାବେ ଆୟୋଜନ କରୁଥିବାରୁ ମୁଁ ପ୍ରଥମେ ଧନ୍ୟବାଦ ଜଣାଇବି। ମୁଁ ନିଶ୍ଚିତଭାବେ ଏଥିରେ ଅଂଶଗ୍ରହଣ କରିବି। ଯୁବ ପିଢ଼ି ପାଇଁ ଫିଟନେସ୍‌, ରୋଗମୁକ୍ତ ରହିବା ଲାଗି ଏହା ସବୁଠୁ ସହଜ ମାଧ୍ୟମ। ଆଧୁନିକ ଯୁଗରେ ଏହାର ଗୁରୁତ୍ବ କ୍ରମେ ବଢ଼ି ବଢ଼ି ଚାଲିଛି। ଅଧିକରୁ ଅଧିକ ସଂଖ୍ୟାରେ ଏଥିରେ ଭାଗନେବାକୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି।
-ଅନୁରାଧା ବିଶ୍ବାଳ, ଜାତୀୟ କୀତିର୍ମାନ ଧାରୀ ଅଲିମ୍ପିଆନ୍‌ ବାଧାଦୌଡ଼ାଳି

ପ୍ରଦୂଷଣମୁକ୍ତ ପରିବେଶ ମିଳିବ
ସାଇକେଲ୍ ଚଳାଇବା ଦ୍ବାରା ପ୍ରଥମତଃ ଫିଟନେସ୍‌, ଷ୍ଟାମିନା ବଢ଼ିବ। ଦ୍ବିତୀୟରେ ଏହା ଆମ ସମାଜକୁ ପ୍ରଦୂଷଣ ମୁକ୍ତ ପରିବେଶ ପ୍ରଦାନରେ ସହାୟକ ହେବ। ଭବିଷ୍ୟତ ପିଢ଼ି ପାଇଁ ଇନ୍ଧନ ବଞ୍ଚାଇବାରେ ବି ଏହା ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବ। ଆମେ ବିଦେଶରେ ସାଇକେଲ ଚଳାଇବାର ଗୁରୁତ୍ବକୁ ଅଧିକ ଦେଖୁଛୁ। ଲୋକମାନେ ଜିମ୍ ଯାଇ ସେଠାରେ ସାଇକେଲ ଚଳାଉଛନ୍ତି, କିନ୍ତୁ ରାସ୍ତାରେ ସାଇକେଲ୍ ଚଳାଇବାକୁ ଆସିଲେ ଭଲ ହୁଅନ୍ତା।
-ମହମ୍ମଜ ଜାଫର୍ ଇକବାଲ୍‌, ବିଶ୍ବକପ୍ ବିଜେତା ଦୃଷ୍ଟିହୀନ କ୍ରିକେଟର୍‌

ସମ୍ବନ୍ଧିତ ଖବର