ଭୁବନେଶ୍ବର ସ୍ମାର୍ଟ ସିଟି ଦୟା, ଗଙ୍ଗୁଆର ହତ୍ୟାକାରୀ

ଭୁବନେଶ୍ବର: ଓଡ଼ିଶାରେ ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀର ଜଳ ଆଉ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ। ଏସବୁ ନଦୀର ଜଳ ଭୀଷଣ ଭାବେ ପ୍ରଦୂଷିତ ହୋଇଥିବା କଥା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନମୁନା ପରୀକ୍ଷଣରୁ ଜଣାପଡ଼ିଛି। ସୂଚନାଯୋଗ୍ୟ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଓଡ଼ିଶାର ପ୍ରମୁଖ ୧୧ଟି ନଦୀ ଜଳ ନମୁନା ପରୀକ୍ଷଣ କରାଯାଇଥିଲା। ପରୀକ୍ଷଣ ରିପୋର୍ଟରୁ ଜଣାପଡ଼ିଛି ଯେ ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀର ଜଳ ଅତି ମାତ୍ରାରେ ପ୍ରଦୂଷିତ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଚଳିତ ବର୍ଷ ସେ‌‌‌ପ୍ଟେମ୍ବର ମାସରେ ମହାନଦୀ, ବୈତରଣୀ, ବ୍ରାହ୍ମଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବଂଶଧାରା, ନାଗାବଳୀ, କୋଲାବ୍‌, ଇନ୍ଦ୍ରାବତୀ, ବାହୁଦା ନଦୀର ବିଭିନ୍ନ ସ୍ଥାନରୁ ଜଳର ନମୁନା ପରୀକ୍ଷଣ କରାଯାଇଥିଲା। ମହାନଦୀ ବ୍ୟବସ୍ଥାର ପ୍ରମୁଖ ନଦୀ ଓଙ୍ଗ୍‌, ଇବ୍‌, କାଠଯୋଡ଼ି, ଦେବୀ, ଦୟା, ଗଙ୍ଗୁଆ ଭଳି ନଦୀର ଜଳ ନମୁନା ମଧ୍ୟ ପରୀକ୍ଷଣ କରାଯାଇଥିଲା। ମହାନଦୀର ଝାରସୁଗୁଡା, ଭେଡେନ୍‌, ସମ୍ବଲପୁର, କଟକ ସହରର ତିନୋଟି ସ୍ଥାନ, ପାରାଦୀପର ଦୁଇଟି ସ୍ଥାନ, ଓଙ୍ଗ୍‌ ନଦୀର ଧାରୁଆଖମଣ, କାଠଯୋଡ଼ି ନଦୀର ଦୁଇଟି ସ୍ଥାନ (କଟକ ସହର), ଦୟ‌ା ନଦୀର ‌ଗେଲପୁର, କଣାସ, କୁଆଖାଇ ନଦୀର ଦୁଇଟି ସ୍ଥାନ, ଗଙ୍ଗୁଆ ନଦୀର ରାଜଧାନୀ କଲେଜ ନିକଟ, ପଳାସୁଣୀ, ସାମନ୍ତରାପୁର, ବଡ଼ିମୂଳ, ଦେବୀ ନଦୀର ବଡ଼ଶଙ୍ଖ, ରତ୍ନଚିରା, ବ୍ରାହ୍ମଣୀ ନଦୀର ରାଉରକେଲା ସହରର ପାନପୋଷ, ଜଲ୍‌ଦା, ଆଠଘାଟ, ତାଳଚେର, ମଣ୍ଡାପାଳ, ଯାଜପୁର ଜିଲ୍ଲାର ଧର୍ମଶାଳା, ଲିଙ୍ଗିରା ନଳା ଏବଂ ବୈତରଣୀ ନଦୀର ଯାଜପୁର ସହର, ଚାନ୍ଦବାଲି, ଧାମରା, ଭଦ୍ରକର ଶାଳନ୍ଦୀ (ବୈତରଣୀର ଉପନଦୀ)ର ଜଳ ନମୁନା ପରୀକ୍ଷଣ କରାଯାଇଥିଲା। ଏହି ୩ଟି ନଦୀର ଏହିସବୁ ଅଞ୍ଚଳର ଜଳ ପରୀକ୍ଷଣ ରିପୋର୍ଟ ସନ୍ତୋଷଜନକ ନୁହେଁ ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏ ନେଇ ପରିବେଶବିତ୍‌ ଓ ବିଶେଷଜ୍ଞ ମହଲରେ ଚିନ୍ତା ବଢ଼ି ଯାଇଛି। ବ୍ୟାପକ ଶିଳ୍ପାୟନ ଓ ଖଣି ଖନନ ଯୋଗୁଁ ନଦୀ ଶୁଷ୍କ ହେବା ସାଙ୍ଗକୁ ଜଳ ପ୍ରଦୂଷିତ ହେଉଛି ବୋଲି ‘କେନ୍ଦୁଝର ନାଗରିକ ମଞ୍ଚ’ର ସଭାପତି ମେଜର୍‌ କିରଣ ଶଙ୍କର ସାହୁ କ୍ଷୋଭ ପ୍ରକାଶ କରିଛନ୍ତି। କେନ୍ଦୁଝର ଜିଲ୍ଲାରେ ଶିଳ୍ପାୟନ ଓ ଖଣି ଖନନ ‌ଯୋଗୁଁ ବୈତରଣୀ ନଦୀର ମୃ୍ତ୍ୟୁ ହେବା ଭଳି ପରିସ୍ଥିତି ଉପୁଜିଛି ବୋଲି ଶ୍ରୀ ସାହୁ କହିଛନ୍ତି। ସେହିଭଳି ସମ୍ବଲପୁର, ଝାରସୁଗୁଡ଼ା ଓ ରାଉରକେଲା, ଢେଙ୍କାନାଳ ଜିଲ୍ଲାରେ ଶିଳ୍ପାୟନ କାରଣରୁ ମହାନଦୀ ଓ ବ୍ରାହ୍ମଣୀ ବିଷାକ୍ତ ହୋଇଛି ବୋଲି ‘ମହାନଦୀ’ ଉପରେ ଗବେଷଣା କରୁଥିବା ବର୍ଷୀୟାନ୍‌ ଗବେଷକ ପ୍ରଫେସର ଆର୍ତ୍ତବନ୍ଧୁ ମିଶ୍ର କହିଛନ୍ତି। ଅପରପକ୍ଷେ, ଭୁବନେଶ୍ବର ସ୍ମାର୍ଟ ସିଟି ଯୋଗୁଁ ଦୟା ଓ ଗଙ୍ଗୁଆ ଭଳି ଦୁଇଟି ଚିରସ୍ରୋତା ନଦୀର ମୃତ୍ୟୁ ହେବାକୁ ବସିଛି। ଭୁବନେଶ୍ବର ସ୍ମାର୍ଟ ସିଟିର ସମସ୍ତ ବର୍ଜ୍ୟବସ୍ତୁ ବିନା ଟ୍ରିଟ୍‌ମେଣ୍ଟରେ ଡ୍ରେନ୍‌ ମାଧ୍ୟମରେ ଗଙ୍ଗୁଆକୁ ଛଡ଼ାଯାଉଛି ଏବଂ ଏହା ପରୋକ୍ଷରେ ଦୟା ଏବଂ ଚିଲିକାକୁ ପ୍ରଦୂଷିତ କରୁଛି ବୋଲି ‘ଜାତୀୟ ଜଳ ବିରାଦରି’ର ରାଜ୍ୟ ଆବାହକ ମାନସ ମିଶ୍ର ଅଭିଯୋଗ କରିଛନ୍ତି। ଏ ନେଇ ବାରମ୍ବାର ଭୁବନେଶ୍ବର ମ୍ୟୁନିସିପାଲ୍‌ କର୍ପୋରେସନ୍‌ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏହାର ପ୍ରତିକାର ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତି। ଅପରପକ୍ଷେ, ବିଏମ୍‌ସି ପକ୍ଷରୁ ସଲିଡ୍‌ ୱେଷ୍ଟ ମ୍ୟାନେଜ୍‌ମେଣ୍ଟ ଜରିଆରେ ବର୍ଜ୍ୟ ଜଳକୁ ଉପଯୁକ୍ତ ବିଶୋଧନ କରାଯାଇ ନଦୀକୁ ଛଡ଼ାଯାଉଛି ବୋଲି ଭୁବନେଶ୍ବର ମେୟର ଅନନ୍ତ ନାରାୟଣ ଜେନା ପ୍ରକାଶ କରିଛନ୍ତି।

ବ୍ରାହ୍ମଣୀ, ମହାନଦୀ, ବୈତରଣୀ ଜଳ ବ୍ୟବହାର ଅନୁପଯୁକ୍ତ
ବୃଦ୍ଧି ପାଉଛି ଦୟା, ଗଙ୍ଗୁଆର ‘ବାୟୋକେମିକାଲ୍‌ ଅକ୍ସିଜେନ୍‌ ଡିମାଣ୍ଡ’,
ଜଳଚର ଜୀବ ବଞ୍ଚିବା ଆଉ ସମ୍ଭବ ନୁହେଁ

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଗଙ୍ଗୁଆ, ଦୟା ନଦୀରେ ପ୍ରଦୂଷଣ ମାତ୍ରା ଏଭଳି ଭାବେ ବୃଦ୍ଧି ପାଇଛି ଯେ ଏଠାରେ ବାୟୋକେମିକାଲ୍‌ ଅକ୍ସିଜେନ୍‌ ଡିମାଣ୍ଡ (ବିଓଡି) ଅତ୍ୟଧିକ ମାତ୍ରାରେ ବୃଦ୍ଧି ପାଉଛି। ଫଳ‌ରେ ଏହି ନଦୀରେ ମାଛ ସମେତ ଜଳଚର ଜୀବ ବଞ୍ଚିବା ଆଉ ସମ୍ଭବପର ନୁହେଁ। ଗଙ୍ଗୁଆ ଓ ଦୟା ନଦୀ ଜଳରେ ଜିଙ୍କ୍‌, କ୍ୟାଡ୍‌ମିୟମ୍‌, ଆର୍ସେନିକ୍‌, ମ୍ୟା‌ଗ୍‌ନେସିୟମ୍‌, ସଲଫେଟ୍‌ ଭଳି ବିଷାକ୍ତ ରାସାୟନିକ ପଦାର୍ଥର ମାତ୍ରା ବୃଦ୍ଧି ପାଉଥିବାରୁ ଏହା ଜଳଜ ଉଦ୍ଭିଦଙ୍କ ପ୍ରତି ବିପଦ ସୃଷ୍ଟି କରିଛି। ଏବେ ଦୟା ନଦୀ କୂଳରେ କରାଯାଉଥିବା ପନିପରିବା ମଧ୍ୟ ଏସବୁ ରାସାୟନିକ ପଦାର୍ଥ ଦ୍ବାରା ପ୍ରଭାବିତ। ଏସବୁ ପନିପରିବା ଖାଇବା ମଧ୍ୟ ଚିନ୍ତାଜନକ ବୋଲି ବିଶେଷଜ୍ଞ କହିଛନ୍ତି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ମୃତ୍ତିକା ପ୍ରଦୂଷଣ ବିଭାଗ ପ୍ରଫେସର ଡ. ରବୀନ୍ଦ୍ର କୁମାର ନାୟକଙ୍କ କହିବା ଅନୁଯାୟୀ, ଭୁବନେଶ୍ବର ସହରର ବର୍ଜ୍ୟ ଯୋଗୁଁ ଗଙ୍ଗୁଆ ପ୍ରଭାବିତ ହୋଇଛି।

ସମ୍ବନ୍ଧିତ ଖବର